ଚକଡ଼ା ପରେ ବର୍ଷା; ଚିନ୍ତାରେ ଚାଷୀ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଚାଷୀ ଏଥର ବହୁ କ୍ଷତି ସହିଲେଣି। ବର୍ଷ ଆରମ୍ଭରୁ ଚାଷ କାମକୁ ନେଇ ଚାଷୀ କୁଳ ବଡ ଆଶଙ୍କାରେ ପଡ଼ିଥିଲେ। ମୌସୁମୀ ଆସିବାରେ ବିଳମ୍ବ ହେବାରୁ ଚାଷ କାମ ଏଥର ଅଗଷ୍ଟ ମାସ ଯାଏଁ ଚାଲିଥିଲା। ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କୁ ଯେଉଁ ଧାନ ବିହନ ଦିଆଯାଇଥିଲା ସେଥିରୁ ଅଧା ଗଜା ହେଲା ନାହିଁ। ଧାନ ବିହନ ଗଜା ନହେବାରୁ ଚାଷୀ ପ୍ରଥମେ ରୁଆ ବିହୁଡା କରି ନପାରି ଚାଷ କାମରେ ପଛେଇ ଯାଇଥିଲା। କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ଧାନ ବିହନକୁ ନେଇ ଆଉ କିଛି ପ୍ରତିକାର କରାଯାଇପାରି ନଥିଲା। ପୁଣି ନୂତନ ଭାବେ ଚାଷ କରି ଧାନ ଅମଳକ୍ଷମ ହେବା ବେଳକୁ ଚକଡ଼ା ପୋକ ଲାଗିଯିବାରୁ ଚାଷୀଙ୍କ ମୁଣ୍ଡ ବ୍ୟଥା ବଢ଼ି ଯାଇଥିଲା। ଜିଲ୍ଲାରେ ଜୁଲାଇ ମାସରେ କୃଷି ବିଭାଗ ପକ୍ଷରୁ ମୋଟ ୫୮ ହଜାର ୮ଶହ ୩୫ ହେକ୍ଟର ଜମିରେ ଚାଷ କରାଯାଇଥିବା କୁହାଯାଇଥିଲା।
ଏତେ ପରିମାଣ ଜମିରୁ ମାତ୍ର ୩ ଶହ ୬ ହେକ୍ଟର ଜମିରେ ଚକଡ଼ା ପୋକ ଲାଗିଥିବା କୃଷି ବିଭାଗ ପକ୍ଷରୁ ନଭେମ୍ବର ମାସରେ କୁହାଗଲା। ମାତ୍ର ଚାଷୀ ମାନଙ୍କ ଅଭିଯୋଗ ଅନୁସାରେ ଜିଲ୍ଲାରେ ୧୩ ଶହ ୨୬ ହେକ୍ଟର ଜମିରେ ଚକଡ଼ା ପୋକ ଲାଗିଥିବା ଅଭିଯୋଗ କରାଯାଇଥିଲା। କୃଷି ବିଭାଗ ପକ୍ଷରୁ ଜୁଲାଇ ମାସରେ ୫୮ ହଜାରରୁ ଅଧିକ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି ବୋଲି କୁହାଯାଇଥିଲା ବେଳେ ନଭେମ୍ବର ୧୫ ତାରିଖରେ ଧାନ କ୍ରୟ ବୈଠକରେ କୃଷି ଉପନିର୍ଦ୍ଦେଶକ ୫୬ ଜହାର ହେକ୍ଟର ଜମିରେ ଚାଷ ହୋଇଥିବା କହିଥିଲେ। ଏକର ପିଛା ୩୮ କ୍ୱିଣ୍ଟାଲ ଧାନ ଅମଳ ହେବ ବୋଲି ସେ ଆକଳନ କରିଥିଲେ।

ମାତ୍ର ଗତ ଦୁଇଦିନ ଭିତରେ ଯେଉଁ ଲଘୁଚାପ ଜନିତ ବର୍ଷ ହେଲାଣି ଏଥିରେ ଧାନ ଚାଷ ବେଶ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଲାଣି। ସେହି ଅନୁସାରେ କୃଷି ବିଭାଗ ପକ୍ଷରୁ କରାଯାଇଥିବା ଧାନ ଅମଳ ଆକଳନ ଫେଲ ମାରିଯିବାର ଯଥେଷ୍ଟ ଆଶଙ୍କା ଦେଖାଦେଲାଣି। ଏବେ ଧାନ ଅମଳ ସମୟରେ ପରିସ୍ଥିତି ପୁରା ବିଗିଡ଼ି ଗଲାଣି। ଯାହା ଜଣାପଡୁଛି ଜିଲ୍ଲାରେ ଏଥର ପୁଣି ଥରେ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଧାନ ଚାଷ ବିିଗିଡି ଗଲାଣି। କ୍ଷେତରେ ଧାନ ଲହଣି ମାରୁଥିବା ବେଳେ ବର୍ଷା ମାଡରେ ଜମିରେ ଏବେ ପାଣି ଜମି ରହିଛି। ଯେଉଁ ଧାନ କଟା ଗଲାଣି ପାଣି ରେ ବୁଡି ଥିବାରୁ ତାହାଗଜା ହେବାର ଆଶଙ୍କା ରହିଛି। ଯାହା ଗଛରେ ଅଛି ତାହା ମଧ୍ୟ ନଷ୍ଟ ହେବାର ଆଶଙ୍କା ରହିଛି।

ଲଚ୍ଛିପୁର: ସୋନପୁର ବ୍ଲକ୍‌ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚକଡ଼ା ପୋକ ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର୍ତ୍ତମାନ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢାଇଛି। ଚାଷୀମାନେ ଧାନ କାଟି ଦେଇଥିବା ବେଳେ ବର୍ଷା ଯୋଗୁଁ ତାକୁ ଅମଳ କରିବା ନେଇ ଚିନ୍ତାରେ ପଡିଛନ୍ତି। ଯଦି ଆଗକୁ ବର୍ଷା ଜୋରରେ ହୁଏ, ତେବେ ଧାନ ସବୁ ଗଜା ହୋଇଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଏ ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଛି। ଏହାଛଡ଼ା ଖଳରେ ମଧ୍ୟ ଧାନ ଅମଳା ପାଇଁ ପଡ଼ି ରହିଛି। ବର୍ଷା ଓ ଧାନ ଅମଳ ନେଇ ଚାଷୀମାନେ ଏବେ ଚିନ୍ତାରେ ଅଛନ୍ତି।

ଦେଉଳପଦର: ତରଭା ବ୍ଲକ୍‌ ଦେଉଳପଦର, ମେଣ୍ଡା, ପାଇକବାହାଲ, ପୁଆ, ଜରାଜାରିଙ୍ଗ, ରାଣୀସର୍ଡା ଓ ସୋନପୁର ବ୍ଲକ୍‌ ନାରାୟଣପୁର, ବଲାଡ଼ି, ଖଲିଆପାଲି ଗ୍ରାମପଞ୍ଚାୟତର ଅଧିକାଂଶ ସମୟରେ ମରୁଡ଼ି, ଚକଡ଼ା, ପୋକ ଏବଂ ଲଘୁଚାପଜନିତ ବର୍ଷା ପାଇଁ ଚାଷୀ ଏବେ ହତାଶ ହୋଇପଡ଼ିଛି। ଏହି ବର୍ଷା ଯୋଗୁଁ ଚାଷୀ ଧାନ କାଟି ମଧ୍ୟ ଘରକୁ ଆଣି ପାରୁନାହିଁ। ଚାଷୀମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବ କାହିଁକି ତାହା ଚାଷୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅନ୍ୟପକ୍ଷରେ ଏ ଅଞ୍ଚଳରେ ହାତୀ, ବାର୍‌ହା ପ୍ରଭୃତି ବନ୍ୟଜନ୍ତୁ ଉପଦ୍ରବ ଯୋଗୁଁ ବ୍ୟାପକ ଧାନ ଚାଷ କ୍ଷତି ହୋଇଛି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର