ରାୟଗଡ଼ା: ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଛି ମାଓ ସଂଗଠନ। ଆନ୍ଧ୍ର-ଓଡ଼ିଶା ବୋର୍ଡର (ଏଓବି) ସ୍ପେଶାଲ୍ ଜୋନାଲ୍ କମିଟିର ସଂପାଦକ ମାଓ ନେତା ଗଣେଶ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଆଜି ଚିଠି ଜାରି କରିଛନ୍ତି। ଭାରତୀୟ କମ୍ୟୁନିଷ୍ଟ୍ ପାର୍ଟି ପକ୍ଷରୁ ଜାରି ହୋଇଥିବା ଚିଠିରେ ଓଡ଼ିଶା ସରକାର କେବଳ ପୁଞ୍ଜିପତି ଓ ଶିଳ୍ପପତିଙ୍କ ପାଇଁ କାମ କରୁଥିବା ଉଲ୍ଲେଖ ରହିଛି। ସରକାରଙ୍କ ଏପରି ଆଭିମୁଖ୍ୟକୁ ବିରୋଧ କରି ଭୋଟଦାନରୁ ବିରତି ରହିବାକୁ ମାଓ ସଂଗଠନ ଆହ୍ବାନ ଦେଇଛି। ୨୦ ବର୍ଷ ଧରି ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାରେ ରହି ଆସୁଥିବା ମାଓ ସଂଗଠନ ଅଭିଯୋଗ କରିଛି। ଶିକ୍ଷା, କୃଷିର ବିକାଶ ପ୍ରତି ସରକାର ଧ୍ୟାନ ଦେଉନାହାନ୍ତି। ବେକାରି ସମସ୍ୟା ମଧ୍ୟ ବଢ଼ି ଚାଲିଛି। ମଦ ବିକ୍ରି ଓ ଗୁଣ୍ଡାଗିରି ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତି ବିପରଯ୍ୟସ୍ତ ହୋଇଛି। କରୋନା ସମୟରେ ଗାଁ ମୁହାଁ ପ୍ରବାସୀଙ୍କୁ ସରକାର କର୍ମସଂସ୍ଥାନ ଯୋଗାଇବାରେ ବିଫଳ ହୋଇଥିବାରୁ ଲୋକେ ଆର୍ଥିକ ସ୍ତରରେ ଦୁର୍ବଳ ହେବା ସହ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ଗ୍ରାମ ଗୁଡ଼ିକର ବିକାଶ ଦିଗରେ ସରକାର ଦୃଷ୍ଟି ଦେଉନାହାନ୍ତି। ପ୍ରାକୃତିକ ଖଣିଜ ସମ୍ପଦରେ ଓଡ଼ିଶା ପରିପୂର୍ଣ୍ଣ ଥିବାରୁ ଶିଳ୍ପପତିଙ୍କୁ ଖଣିଖାଦାନା ଟେକି ଦେଇ ଲୋକଙ୍କୁ ବିସ୍ଥାପିତ କରୁଛନ୍ତି ସରକାର।

Advertisment

publive-image Sambad

୨୦ ବର୍ଷ ହେଲା ରାଜ୍ୟ ସରକାର ଓଡ଼ିଶାର ନିୟମଗିରି, କଳିଙ୍ଗନଗର, ଦେଓମାଳି, ଡାଙ୍ଗଦେଉଳା, ବାଘଡଙ୍ଗରୀ, କୋଡିଙ୍ଗାମାଳି ଭଳି ଖଣିକୁ ଶିଳ୍ପପତିଙ୍କ ହାତରେ ବିକ୍ରି କରି ଦେଇଛନ୍ତି। ସରକାରଙ୍କ ଗରିବ ମାରଣା ନୀତିକୁ ତୀବ୍ର ବିରୋଧ କରିବା ସହ ଫେବ୍ରୁଆରୀ ୧୬ରୁ ୨୪ ପର୍ଯ୍ୟନ୍ତ ହେବାକୁ ଥିବା ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନ ବର୍ଜନ କରିବାକୁ ମାଓ ନେତା ଗଣେଶ ଆହ୍ବାନ ଦେଇଛନ୍ତି। ଦୀର୍ଘଦିନ ପରେ ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶାଲ୍ ଜୋନାଲ୍ କମିଟିର ଏପରି ଚିଠି ରାୟଗଡ଼ା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇ ଚାଲିଥିବା ବେଳେ ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭଜନ୍ ସକ୍ରିୟ ରହିଛି। ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳରେ ବ୍ୟାନର, ପୋଷ୍ଟର୍ ମାରିବା ସହ କାଁ ଭାଁ କିଛି ସ୍ଥାନରେ ହିଂସା ଘଟାଇବାରେ ସକ୍ଷମ ହେଉଛି ବାଘୁନା ଡିଭିଜନ୍। ଆଜି ମାଓ ଡିଭିଜନର ଏଓବି ଜୋନାଲ୍ କମିଟି ସଂପାଦକ ମାଓ ନେତା ଗଣେଶ ଚିଠି ଜାରି କରିବା ପରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ପୁଣି ମାଓ ସଂଗଠନ ସକ୍ରିୟ ହେଉଥିବା ପ୍ରମାଣିତ ହୋଇଛି। ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ଜିଲ୍ଲାର ମାଓ ପ୍ରବଣ ରାୟଗଡ଼ା, କାଶୀପୁର, ମୁନିଗୁଡ଼ା, ଚନ୍ଦ୍ରପୁର, ଗୁଡାରି, ବିଷମକଟକ, କଲ୍ୟାଣସିଂହପୁର ବ୍ଲକର ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।