ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲାର ଶେଷ ମୁଣ୍ଡରେ ଅବସ୍ଥିତ ତଥା ଛତିଶଗଡ଼ ସୀମାନ୍ତ ଚନ୍ଦାହାଣ୍ଡି ବ୍ଲକ୍ରେ ଦିନକୁ ଦିନ କରୋନା ପରିସ୍ଥିତି ଅତି ଉଦବେଗ ଜନକ ହୋଇ ପଡ଼ିଥିବା ବେଳେ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ନୂଆଁ ନୂଆଁ ଗ୍ରାମ ଯୋଡି ହୋଇ ଯାଉଛି। ପରିସ୍ଥିତି ବେକାବୁ ହୋଇପଡ଼ି ଥିବାରୁ ଆଜି ଚନ୍ଦାହାଣ୍ଡି ସଦର ପଞ୍ଚାୟତକୁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଆଜି ପୁଣି ନୂଆଁ କରି ଛତିଶଗଡ଼ ସୀମାନ୍ତ ସନ୍ଧିମୁଣ୍ଡା ଗ୍ରାମରୁ ୧୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ହସ୍ପିଟାଲ୍ ଆଉଟ୍ ଡୋର୍ରୁ ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Advertisment

ଆଜିର ସଂଖ୍ୟାକୁ ମିଶାଇ ଚନ୍ଦାହାଣ୍ଡି ବ୍ଲକ୍ରେ ଏହି ସଂଖ୍ୟା ୩୫୦ ପାର କରିଛି। ପରିସ୍ଥିତି ଦିନକୁ ଦିନ ଉଗ୍ରରୂପ ଧାରଣ କରୁଥିବା ବେଳେ ଜନସାଧାରଣ ଆତଙ୍କରେ କାଲତି ପାତ କରୁଛନ୍ତି। ତେବେ ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଛି। ଆଜି ସଦର ଗ୍ରାମର ଜୈନିକ ବ୍ୟକ୍ତିଙ୍କ ନବରଙ୍ଗପୁର ସ୍ଥିତ ଜିଲ୍ଲା କୋଭିଡ ହସ୍ପିଟାଲ୍କୁ ନେବା ସମୟରେ ଘାଟି ରାସ୍ତାରେ ମୃତ୍ୟୁ ହୋଇ ଥିବା ପରେ ସଂପୂର୍ଣ୍ଣ କୋଭିଡ ଗାଇଡଲାଇନ ପ୍ରକାରେ ଚନ୍ଦାହାଣ୍ଡି ଠାରେ ଶବ ସତ୍କାର କରାଯାଇଛି ।

ଏଥି ପୂର୍ବରୁ ଅନ୍ୟ ଜଣକର କୋରାପୁଟ କୋଭିଦ ହସ୍ପିଟାଲ୍ରେ ଗତ ଦୁଇ ଦିନ ତଳେ ମୃତ ହୋଇ ଥିବା ବେଳେ କରୋନାର ଦ୍ରୁତ ସଂକ୍ରମଣକୁ ଆଖି ଆଗରେ ରଖି ଚନ୍ଦାହାଣ୍ଡି ସରପଞ୍ଚ ଲଛମନ୍ ମାଝୀ ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି। ସେପଟେ ଛଟିଶଗଡ ସୀମାନ୍ତରେ ଥାନା ଅଧିକାରୀ ପରମାନନ୍ଦ ସୁନାନିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାରେ ସୀମା ସିଲ୍ ପୂର୍ବକ କଡ଼ା ପହଁରା ଦିଆଯାଉଛି। ତଥାପି ଅନେକ ଗଳା ବାଟ ଦେଇ ଅମାନିଆମାନେ ଅନୁପ୍ରବେଶ କରୁଥିବା ଯୋଗୁଁ ଏଠାରେ ଗୋଷ୍ଠୀ ସଂକ୍ରମଣ ହେବାର ଢେର୍ ସମ୍ଭାବନା ରହିଛି।