ମାତିଛନ୍ତି ଚନ୍ଦନ କାଠ ମାଫିଆ; କୋରାପୁଟ ଜିଲ୍ଲାରୁ କୋଟି କୋଟି ଟଙ୍କାର ବଣ ନିଶ୍ଚିହ୍ନ

ଜୟପୁର: ଦିନ ଥିଲା ଚନ୍ଦନ ବଣ ଓ କୋରାପୁଟ ଜିଲ୍ଲାର ଚନ୍ଦନ କାଠକୁ ନେଇ ଜିଲ୍ଲାର ଗୌରବ ଓ ଖ୍ୟାତି ଥିଲା। ଏଠାରୁ ମହାପ୍ରଭୁ ଜଗନ୍ନାଥଙ୍କ ସମେତ ରାଜ୍ୟର ବିଭିନ୍ନ ମନ୍ଦିରକୁ ପ୍ରତ୍ୟେକ ବର୍ଷ ୫୦କୁଇଣ୍ଟାଲ ଚନ୍ଦନ କାଠ ଯାଉଥିଲା। ସେଭଳି ଉପରିସ୍ଥ ସରକାରୀ ଅଧିକାରୀ, ଭୁବନେଶ୍ବରରେ ରହୁଥିବା ସରକାରୀ ବାବୁ, ରାଜନୈତିକ ନେତା ମାନେ କୋରାପୁଟ ଜିଲ୍ଲାର ଚନ୍ଦନ କାଠକୁ ପ୍ରମୁଖ ଉପହାର ମଣୁଥିଲେ। ତେବେ ଆଜି କୋରାପୁଟ ଜିଲ୍ଲାରେ ଚନ୍ଦନ ବଣ ଏକରକମର ନିଶ୍ଚିନ୍ନ ହୋଇଯାଇଛି।କୋରାପୁଟ ଜିଲ୍ଲାରରେ ଚନ୍ଦନ ଗଛ ଚୋରି ବଢ଼ୁଥିବା ଦେଖିବାକୁ ମିଳିବା ସହିତ ଏହା ପଛରେ ବଡ ଧରଣ ରାକେଟ କାର୍ଯ୍ୟ କରୁଥିବା ସଂଦେହ ପ୍ରକାଶ ପାଇଛି। ପୂର୍ବରୁ ସବୁ ସରକାରୀ ଅଧିକାରୀ ମାନଙ୍କ ବାସଭବନ ପରିସରରେ ବି ବହୁ ପରିମାଣର ଚନ୍ଦନ ଗଛ ରହିଥିଲା। ତେବେ ଗତ କିଛି ବର୍ଷ ହେବ ନିୟମିତ ଭାବେ ଚନ୍ଦନ ମାଫିଆ ମାନେ ସକ୍ରିୟ ହୋଇ କୋରାପୁଟ ଜିଲ୍ଲାରୁ ଚନ୍ଦନ ବଣକୁ ନିଶ୍ଚିହ୍ନ କରି ଦେଇଛନ୍ତି।

ଏସଂପର୍କରେ ପୁଲିସ କିମ୍ବା ବନ ବିଭାଗ ନିକଟରେ ଅଭିଯୋଗ କରିବା ପରେ ବି ସେଭଳି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନି ବୋଲି ବହୁ ଆଇନଜୀବୀ ମାନେ ଅଭିଯୋଗ କରିଛନ୍ତି। ଏପରିକି ଜୟପୁର- କୋରାପୁଟ ଘାଟି ମଧ୍ୟରେ ସେଭଳି ରାମଗିରୀରୁ ଗୁପ୍ତେଶ୍ବର ଯିବା ରାସ୍ତାରେ ବନବିଭାଗ ପକ୍ଷରୁ ହଜାର ହଜାର ଚନ୍ଦନ ଗଛ ଲଗାଯାଇଥିବା ବେଳେ ଆଜି ଗଛର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି। ସେଭଳି ଜିଲ୍ଲାର ବିଭିନ୍ନ ବନଖଣ୍ଡରେ ବି ପ୍ରତି ବର୍ଷ ଏହି ଗଛ ଲଗାଯାଉଛି ସତ କିନ୍ତୁ କେତେ ବଂଚୁଛି, କେତେ କଟୁଛି, କେତେ ଅଛି କାହା ନିକଟରେ ବି ସ୍ପଷ୍ଟ ଉତ୍ତର ମିଳି ପାରୁନି। ଏହି ଗଛ ଗୁଡିକ ମୁଲ୍ୟବାନ ଗଛ ହୋଇଥିବା ବେଳେ ଗୋଟିଏ ଗଛର ମୁଲ୍ୟ ମଧ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ବଜାରରେ ଚନ୍ଦନ ଗଛର କିଲୋ ପିଛା ୫ହଜାର ରହିଥିବା ବେଳେ ଅର୍ନ୍ତାଜାତୀୟ ବଜାରରେ ଏହାର ମୂଲ୍ୟ ବହୁ ଅଧିକ। ହିନ୍ଦୁ ଧର୍ମର ପୂଜା ପାର୍ବଣରେ ଚନ୍ଦନ କାଠର ମହତ୍ବ ଓ ଗୁରୁତ୍ବ ଅଲଗା ରହିଛି।

ଏହାର ଚାହିଦା ବି ଅଧିକା। ତେଣୁ କିଛି ଦୁର୍ବତ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ମାଧ୍ୟମରେ ଏହି ଗଛ କାଟି କୋରାପୁଟ ଜିଲ୍ଲା ନକ୍ସାରୁ ଚନ୍ଦନ ଗଛ ଓ ବଣକୁ ଉଭେଇ ଦେଇଛନ୍ତି। ଏପରିକି ଗଛ ଠିକ ଭାବେ ବୃଦ୍ଧି ନ ହେଉଣୁ ସାନ ସାନ ଥିବା ସମୟରେ ହିଁ ଏହି ଦୁର୍ବତ୍ତ ମାନେ କାଠି ନେଉଛନ୍ତି। ଏପରିକି ଏହି ଗଛ ରାତି ଅଧିଆ ଗାଏବ କରିବା ଦିଗରେ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ କାମ କରୁଥିବା ବି ବହୁ ବନବିଭାଗ ଓ ପୁଲିସ ଅଧିକାରୀ ବି ଜାଣିଛନ୍ତି। ତେବେ ସବୁ ଜାଣି ନଜାଣିବା ଭଳି ଚୁପ ହୋଇ ରହୁଛନ୍ତି। ଏହି ସ୍ଥିତିରେ କୋରାପୁଟଜିଲ୍ଲାରୁ ଚନ୍ଦନ ବଣ ସଂପୁର୍ଣ୍ଣ ରୁପେ ନିଶ୍ଚିହ୍ନ ହୋଇଯାଇଛି। ଅନ୍ୟପକ୍ଷରେ ଜୟପୁର ବନଖଣ୍ଡ ପକ୍ଷରୁ ଚନ୍ଦନ ବଣ କରିବା ଲକ୍ଷ୍ୟ ରହିଥିଲେ ହେଁ ତାହା ବି ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ଏଦିଗରେ ବନବିଭାଗର ଉଚ୍ଚକର୍ତ୍ତୃପକ୍ଷଙ୍କ ସହ ଜିଲ୍ଲା ପ୍ରଶାସନ ସମୀକ୍ଷା କରିବା ସହ କ୍ଷେତ୍ର ପ୍ରଦର୍ଶନ କରିବା ନିହାତି ଆବଶ୍ୟକ। ଅନ୍ୟ ପକ୍ଷରେ ଏଭଳି ଚୋରି ହେଉଥିବା ଜାଣିବା ପରେ ଏବେ ବନବିଭାଗ ପକ୍ଷରୁ ଜୟପୁରରେ କରାଯାଉଥିବା ଅରୋଗ୍ୟବନ ମଧ୍ୟରେ ବ୍ୟାପକ ପରିମାଣର ଚନ୍ଦନ ଗଛ ଲଗାଇବାକୁ ଯୋଜନା କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର