କୋରାପୁଟ: କୋରାପୁଟ ଜିଲ୍ଲାର ଚନ୍ଦନ ବଣ ଓ ଚନ୍ଦନ କାଠକୁ ନେଇ ଦିନଥିଲା ଖ୍ୟାତି ରହିଥିଲା। ଜଙ୍ଗଲ ମଧ୍ୟକୁ ଗଲେ ଚନ୍ଦନର ମହକରେ ମହକି ଉଠୁଥିଲା। ଏପରିକି ଉପରିସ୍ଥ ସରକାରୀ ଅଧିକାରୀ, ଭୁବନେଶ୍ବରରେ ରହୁଥିବା ସରକାରୀ ବାବୁ, ରାଜନୈତିକ ନେତା ମାନେ କୋରାପୁଟ ଜିଲ୍ଲାର ଚନ୍ଦନ କାଠକୁ ପ୍ରମୁଖ ଉପହାର ଭାବେ ଦେଇ ବହୁ ଗୁରୁତ୍ବପୁର୍ଣ୍ଣ କାର୍ଯ୍ୟ କରାଉଥିଲେ। ଗତ କିଛି ବର୍ଷ ହେବ ନିୟମିତ ଭାବେ ଚନ୍ଦନ ମାଫିଆ ମାନେ ସକ୍ରିୟ ହୋଇ କୋରାପୁଟ ଜିଲ୍ଲାରୁ ଚନ୍ଦନ ବଣକୁ ନିଶ୍ଚିହ୍ନ କରି ଦେଇଛନ୍ତି। ଶହ ଶହ ହେକ୍ଟରରେ ଥିବା ଚନ୍ଦନ ବଣ ଆଜି ଜିଲ୍ଲାରେ ମାତ୍ର ୫୦ହେକ୍ଟର ହିଁ ରହିଥିବା ସୂଚନା ମିଳିଛି। ଏପରିକି କୋରାପୁଟ,ଜୟପୁର, ରାମଗିରୀ, ଓ ପାଡୁଆ-ଆରକୁ ଘାଟିରେ ଥିବା ଚନ୍ଦନ ବଣ ଆଜି ନିଶ୍ଚିନ୍ନ।

Advertisment

ସୂଚନାଯୋଗ୍ୟ, କାଠ ମଧ୍ୟରେ ଦେବତୁଲ୍ୟ ଚନ୍ଦନ କାଠକୁ ନେଇ କୋରାପୁଟ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ରାଜ୍ୟରେ ରହିଥିଲା। ଚନ୍ଦନକାଠକୁ ବିଭିନ୍ନ ପୂଜା ଓ ପାର୍ବଣରେ ବି ବ୍ୟବହାର କରାଯାଉଥିଲା। କୋରାପୁଟ ଓଜୟପୁର ଘାଟିରେ ଶାନ୍ତଲମ୍ ଅଲବମ ରହିଥିଲା। ଏହାର ବିଶେଷତ୍ବ ଏହି ଗଛ ମାଳିଥାଏ। ଏହି ଗଛର ଡାଳକୁ ବି ମାଫିଆ ମାନେ କାଟି କାଟି ନେଇ ଯାଉଛନ୍ତି। ତେବେ ଆଜି ଆଉ କୌଣସି ଜଙ୍ଗଲରେ କିମ୍ବା ସରକାରୀ ବାସଭବନରେ ଏହି ଗଛ ଲାଗିଥିବା ଦେଖିବାକୁ ମିଳୁନି। ପୂର୍ବରୁ ସବୁ ସରକାରୀ ଅଧିକାରୀ ମାନଙ୍କ ବାସଭବନ ସହ ବିଚାରପତି ମାନଙ୍କ ବାସଭବନ ପରିସରରେ ବି ବହୁ ପରିମାଣର ଚନ୍ଦନ ଗଛ ରହିଥିଲା। କିଲୋ ପ୍ରତି ୧୦ହଜାରରୁ ଉର୍ଦ୍ଧ୍ବ ଟଙ୍କାରେ ବି ଚନ୍ଦନ କାଠ ବିକ୍ରୀ ବେଳେ ଅର୍ନ୍ତାଜାତୀୟ ବଜାରରେ ଏହାର ମୂଲ୍ୟ ବହୁ ଅଧିକ । ହିନ୍ଦୁ ଧର୍ମର ପୂଜା ପାର୍ବଣରେ ଚନ୍ଦନ କାଠର ମହତ୍ବ ଓ ଗୁରୁତ୍ବ ଅଲଗା ରହିଛି। ଏହାର ଚାହିଦା ବି ଅଧିକା। ତେଣୁ କିଛି ଦୁର୍ବତ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ମାଧ୍ୟମରେ ଏହି ଗଛ କାଟି କୋରାପୁଟ ଜିଲ୍ଲା ନକ୍ସାରୁ ଚନ୍ଦନ ଗଛ ଓ ବଣକୁ ଉଭେଇ ଦେଇଛନ୍ତି। ଏପରିକି ଗଛ ଠିକ ଭାବେ ବୃଦ୍ଧି ନ ହେଉଣୁ ସାନ ସାନ ଥିବା ସମୟରେ ହିଁ ଏହି ଦୁର୍ବତ୍ତ ମାନେ କାଠି ନେଉଛନ୍ତି। ଏପରିକି ଏହି ଗଛ ରାତି ଅଧିଆ ଗାଏବ କରିବା ଦିଗରେ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ କାମ କରୁଛନ୍ତି। ଏପରିକି ଏସଂପର୍କରେ ପୁଲିସ କିମ୍ବା ବନ ବିଭାଗ ନିକଟରେ ଅଭିଯୋଗ କରିବା ପରେ ବି ସେଭଳି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି।

ଜୟପୁରବନଖଣ୍ଡର ଜୟପୁର ଓ କୋରାପୁଟ ରେଂଜର ଜୟପୁର ଘାଟି –କୋରାପୁଟ ଘାଟି , କୋରାପୁଟ ‌ବନଖଣ୍ଡର ସୁଙ୍କି ଘାଟି, ନନ୍ଦପୁର ରେଂଜର ପାଡ଼ୁଆ-ଆରକୁ ଘାଟି, ରାମଗିରୀରୁ ଗୁପ୍ତେଶ୍ବର ଯିବା ରାସ୍ତାରେ ବନବିଭାଗ ପକ୍ଷରୁ ହଜାର ହଜାର ଚନ୍ଦନ ଗଛ ଲଗାଯାଇଥିବା ବେଳେ ଆଜି ଗଛର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି । ଗତ କିଛି ବର୍ଷ ତଳେ କୋରାପୁଟ ଓ ଜୟପୁର ବନଖଣ୍ଡରୁ ପୁରୀ ଶ୍ରୀମନ୍ଦିରକୁ ଏକହଜାର କୁଇଣ୍ଟାଲ ଚନ୍ଦନ କାଠ ଯାଇଥିବା ବେଳେ ବର୍ତ୍ତମାନ ଯଦି ମହାପ୍ରଭୁ ଜଗନ୍ନାଥଙ୍କ ସେବା ପାଇଁ ପୁଣି ମଗାଯାଏ ସେ ପରିମାଣର ଚନ୍ଦନ କାଠ ଦେବା ସମ୍ଭବ ପର ହେବ ନ ନାହିଁ ବନବିଭାଗ ସନ୍ଦେହରେ । କୋରାପୁଟ, ଜୟପୁର ବନଖଣ୍ଡରେ ଏବେ କୋରାପୁଟ, ଜୟପୁର ଓ ବୋରିଗୁମ୍ମା ରେଂଜରେ ୫୦ହେକ୍ଟରରେ ଚନ୍ଦନଗଛ ରହିଛି। ଏସବୁକୁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବଢ଼ାଯାଉଛି। ରାତି ଅଧିଆରେ ଏହି ଚନ୍ଦନକାଠ ଚୋର ମାନେ ଅତ୍ୟାଧୁନିକ ଯନ୍ତ୍ରପାତି ଧରି କାଟି ନେଇ ଯାଉଥିବାରୁ ଅଧିକା ଗଛ କିମ୍ବା ବଡ ବନସୃଷ୍ଟି କରିବା ସମ୍ଭବ ପର ହୋଇ ପାରୁ ନାହିଁ ବୋଲି କହିଛନ୍ତି ବନବିଭାଗ ଅଧିକାରୀ। ଏବେ ଜୟପୁର ଓକୋରାପୁଟ ଘାଟି ଓଆଇଆରବିଏନ୍ ପୁଲିସ କ୍ୟାମ୍ପସ୍ ପରିସରରେ ମାଳୁଥିବା ଶାନ୍ତାଲମ୍ ଆଲବମ୍ ଚନ୍ଦନ ଗଛ ରହିଛି। ଏହା ପ୍ରକୃତିଦତ୍ତ ଗଛ ବୋଲି ବନବିଭାଗର ଜଣେ ଅଧିକାରୀ କହିଛନ୍ତି। ଆଉ ଏଠାରେ ମିଳୁଥିବା ଧଳାରଙ୍ଗର ଚନ୍ଦନ ବଡ଼ ଗଛ ଆଉ ମିଳୁନାହିଁ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି ।