ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ଅଖରେ ଚକଲାଗି କାର୍ଯ୍ୟ ଆରମ୍ଭ ହେବା ସହ ମହାପ୍ରଭୂ ୨୧ ଦିବସୀୟ ଚନ୍ଦନଯାତ୍ରା କାର୍ଯ୍ୟକ୍ରମ ରୀତିନୀତି ଓ ବିଧିବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରଧାମ ପୁରୀଠାରେ ମହାପ୍ରଭୂ ଚନ୍ଦନ ପୁଷ୍କରଣୀରେ ୨୧ ଦିନ ଚାପ ଖେଳୁ ଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶେଷ ତିନି ଦିନ ମହାପ୍ରଭୂ ପୁଷ୍କରଣୀରେ ନୌକା ବିହାର(ଚାପ ଖେଳ) କରିବାର ରୀତିନୀତି ଓ ବିଧି ବ୍ୟବସ୍ଥା ପ୍ରଚଳିତ ରହିଆସିଛି । ଜୁନ ୨ ଚନ୍ଦନ ଯାତ୍ରାର ଅଷ୍ଟାଦଶ ଦିବସରେ ମହାପ୍ରଭୂଙ୍କ ଚଳନ୍ତି ପ୍ରତିମା ମହାପ୍ରଭୂ ମଦନ ମୋହନ, ଦେବୀ ସରସ୍ୱତୀ ଓ ଦେବୀ ମହାଲକ୍ଷ୍ମୀ ହେମସାଗର ପୁଷ୍କରଣୀକୁ ବିଜେ କରି ନୌକା ବିହାର କରିଥିଲେ । ଆଜି ରାତିରେ ମନ୍ଦିରର ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଠାକୁରଙ୍କୁ ସେବାୟତମାନେ ପହଣ୍ଡି ବିଜେରେ ଆସି ସିଂହଦ୍ୱାର ନିକଟରେ ସୁସଜ୍ଜିତ ବିମାନର ସିଂହାସନରେ ବସିଥିଲେ ।
/sambad/media/post_attachments/wp-content/uploads/2021/06/IMG-20210602-WA0049.jpg)
ଏହାପରେ ମୃଦଙ୍ଗ, ଘଣ୍ଟ, ଘଣ୍ଟା, କାହାଳୀ ଓ ଶଙ୍ଖନାଦ ମଧ୍ୟରେ ପାଇକମାନେ ବିମାନକୁ ହେମସାଗର ପୁଷ୍କରଣୀକୁ ନୌକାବିହାର ପାଇଁ ନେଇ ଆସିଥିଲେ । ସେହିପରି ସାନ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୂ ମଦନମୋହନ ଓ ଦେବୀ ମହାଲକ୍ଷ୍ମୀ ହେମସାଗର ପୁଷ୍କରଣୀକୁ ବିଜେ ହେବା ପରେ ସମସ୍ତେ ଏକତ୍ରିତ ହୋଇ ପୁଷ୍କରଣୀରେ ନୌକାବିହାର କରିଥିଲେ ଏବଂ ମହାପ୍ରଭୂଙ୍କ ଏହି ନୌକାବିହାର(ଚାପଖେଳ) ୩ ଦିନ ଧରି ଚାଲୁ ରହିବ । ଆଜି ପ୍ରଥମ ଦିନରେ ହେମସାଗର ପୁଷ୍କରଣୀର ପଶ୍ଚିମଘାଟରୁ ମହାପ୍ରଭୂ ପୋଖରୀରେ ସାତଫେରା ନୌକାବିହାର ଆରମ୍ଭ କରିଥିଲେ । ସେହିପରି ଦ୍ୱିତୀୟ ଦିବସରେ ମହାପ୍ରଭୂ ପୂର୍ବଘାଟରୁ ନୌକାରେ ବିରାଜମାନ ହୋଇ ପୁଷ୍କରଣୀରେ ୧୪ ଫେରା ଏବଂ ଅନ୍ତିମ ଦିବସରେ ହେମସାଗର ପୁଷ୍କରଣୀର ଉତ୍ତରଘାଟରୁ ନୌକାରେ ବିରାଜମାନ ହୋଇ ୨୧ ଫେରା ନୌକାବିହାର ଶେଷ କରି ପୁଷ୍କରଣୀର ମଧ୍ୟ ଭାଗରେ ଠାକୁରମାନଙ୍କ ସ୍ନାନ ସହ ସମସ୍ତ ପୂଜାନୀତି ସମ୍ପନ୍ନ ହେବା ପରେ ପରେ ମନ୍ଦିରକୁ ବିଜେ କରିବେ । ଏହି ସମୟରେ ପୁଷ୍କରଣୀର ଦ୍ୱିତୀୟ ଘାଟ ହୋଇ ଫେରିବେ ଏବଂ ମଧ୍ୟ ରାତ୍ରରେ ବଡ଼ ସିଂହାର ହୋଇ ପହଡ଼ରେ ଯିବାର କାର୍ଯ୍ୟକ୍ରମ ରହିଛି । କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ମହାପ୍ରଭୂଙ୍କ ପ୍ରଥମ ଦିନର ଚାପଖେଳ ଶେଷ ହୋଇଥିଲା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା କରିବା ନିମନ୍ତେ ବ୍ୟାପକ ଭାବେ ପୁଲିସ ମୁତୟନ କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/2b563cab-2d0d-4ae8-adc5-c32c01d470f3.jpg)