ଭଦ୍ରକ: ଓଡ଼ିଶା ପ୍ରସିଦ୍ଧ ଚନ୍ଦିନିପାଳ ଶୁଖୁଆ ଖଳା ଅଂଚଳ ଏବେ ଖାଁ ଖାଁ । ଆଜକୁ ୧୬ ଦିନ ହୋଇଗଲା ଲକଡାଉନ୍ ହୋଇଛି । ଆଗକୁ ଆହୁରି ୨୦ ଦିନ ଯାଏଁ ଏହି ଲକଡାଉନ୍ ଅବଧି ରହିବ ବୋଲି ଶୁଣି ଧାମରା ଚନ୍ଦିନିପାଳ ଶୁଖୁଆ ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି । ତାର କାରଣ ମାସ ମାସ ଧରି ନିଜ ଶୁଖୁଆ ଖଳାରେ ଉତ୍ପାଦନ କରିଥିବା ଶୁଖୁଆ ବାହାରକୁ ଚାଲାଣ ହୋଇପାରୁନାହିଁ। ଏଥିପାଇଁ ଟନ୍ ଟନ୍ ଶୁଖୁଆ ନିଜ ଗୋଦାମ ଘରେ ପଡିରହିଛି। ଗାଡି ମୋଟର ଆସିଲେ ସିନା ବେପାରୀ ଶୁଖୁଆ କିଣିବେ।
ଚନ୍ଦିନିପାଳ ଶୁଖୁଆ ଖଳାରୁ ଉତ୍ପାଦିତ ଟନ୍ ଟନ୍ ଶୁଖୁଆ ଦେଶର ବିଭିନ୍ନ ରାଜ୍ୟକୁ ଯଥା ଆସାମ, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ବିଭିନ୍ନ ଜିଲାକୁ ଚାଲାଣ ହୁଏ । ଏବେ ଲକଡାଉନ୍ ଯୋଗୁଁ ଏହି ଶୁଖୁଆ ଗୋଦାମ ଘରେ ପଡିରହିଛି ଗୁମ ଖାଇବା ଆରମ୍ଭ କଲେଣି । ଏତିକିରେ କଥା ସରିନାହିଁ, ଛୋଟ ଛୋଟ ଭୁଟୁଭୁଟି ଯିଏକି ୱାନ୍ ଏବଂ ଟୁ ସିଲିଣ୍ଡର ବିଶିଷ୍ଟ ଜଳଯାନକୁ ନେଇ ଅଳ୍ପ ନଦୀ ଓ ସମୁଦ୍ର ଗର୍ଭରେ ଛୋଟ ଛୋଟ ମାଛଧରି କିଛି ମତ୍ସ୍ୟଜୀବୀ ଏହି ଶୁଖୁଆ ଖଳା ଚାଷୀଙ୍କୁ ପ୍ରଦାନ କରନ୍ତି । ଏମାନେ ଚନ୍ଦିନିପାଳ ଶୁଖୁଆ ଖଳାରେ ଶୁଖାଇ ତାକୁ ଶୁଖୁଆରେ ପରିଣତ କରି ଚାଲାଣ କରନ୍ତି । ଏଥିପାଇଁ ସ୍ଥାନୀୟ ଅଂଚଳରେ ବହୁ ଗରିବ ମହିଳା ଓ ଯୁବତୀ ଜୀବିକା ନିର୍ମାହ ବି କରନ୍ତି । ସରକାରଙ୍କ ଲକଡାଉନ୍ ଯୋଗୁଁ ମାଛ ଧରିବାକୁ ଭୁଟୁଭୁଟି ସମୁଦ୍ରକୁ ଯାଉନି କାରଣ ମାଛ ଆଣି ଖଳାରେ ଶୁଖାଇବା ପାଇଁ ବହୁ ଲୋକଙ୍କ ଆବଶ୍ୟକ।
ସ୍ଥାନୀୟ ପୁଲିସ୍ ଓ ପ୍ରଶାସନ ସମଦୂରତା ବ୍ୟବସ୍ଥା ଲାଗୁ କରୁଥିବା ବେଳେ ଏକାଧିକ୍ରମେ ୫ ରୁ ଅଧିକ ଲୋକଙ୍କ ସମାଗମ ଉପରେ କଟକଣାହ ବି ଲାଗୁ କରିଛନ୍ତି । ତେଣୁ ଚନ୍ଦିନିପାଳ ଶୁଖୁଆ ଖଳାରେ ଯାହା ଶୁଖୁଆ ଉତ୍ପାଦନ ହୋଇଥିଲା, ତାହା ପରେ ଆଉ ଏହି ଗୋଟିଏ ସପ୍ତାହ ହେଲା ଅଧିକ ଉତ୍ପାଦନ କରିବାକୁ ମନ ଦେଉନାହାଁନ୍ତି । ଏହି ଶୁଖୁଆ ଖଳାକୁ ତିହିଡି, ଚାନ୍ଦବାଲି, ବାସୁଦେବପୁର, ମାଟିଆସାହି, ବାହାବଳପୁର, ଗୋବିନ୍ଦପୁର, ସାହାପୁର, ଚରଦିଆ ଆଦି ଅଂଚଳର ଲୋକେ ଯାଇ ବର୍ଷର ୬ ମାସ ଏଠାରେ ରହି ଶୁଖୁଆ ଚାଷ କରନ୍ତି । ଏବେ ମହାମାରୀ କୋରୋନା ଯୋଗୁଁ ଶୁଖୁଆ ଉତ୍ପାଦନ ଠପ୍ ହୋଇଥିବାବେଳେ ଏହାକୁ ଖାଇବାକୁ ବି ଲୋକେ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ତେଣୁ ଟନ୍ ଟନ୍ ଶୁଖୁଆ ଏବେ ଗୋଦାମରେ ପଡି ଖତ ଖାଉତି । ଯେଉଁଥିପାଇଁ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ହଜାର ହଜାର ଶୁଖୁଆ ଚାଷୀ ଓ ସେଥିରେ ନିର୍ଭର କରି ଚଳୁଥିବା ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି । ତେବେ ଲକଡାଉନ୍ ଅବଧି ସରିବ ସେମାନେ ସମୟ ଗଣୁଛନ୍ତି ।
ସମ୍ବନ୍ଧିତ ଖବର