ଘାସରେ ଆଚ୍ଛାଦିତ ଚାନ୍ଦିପୁର ବେଳାଭୂମିର ମାଟି, ଘାସ ପରୀକ୍ଷା ପାଇଁ ପଠାଗଲା

ଏଫ୍‌ଏମ୍‌ୟୁ ପରିବେଶ ବିଜ୍ଞାନ ବିଭାଗ ମୁଖ୍ୟଙ୍କ କ୍ଷେତ୍ର ପରିଦର୍ଶନ

ବାଲେଶ୍ବର : ଚାନ୍ଦିପୁର ବେଳାଭୂମିରେ ଘାସ ଓ ବିଭିନ୍ନ ଗୁଳ୍ମ ଦେଖାଯିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶିତ ହେବା ପରେ ପରିବେଶ ବିଜ୍ଞାନୀମାନେ ଏହାର କାରଣ ଖୋଜିବା ଆରମ୍ଭ କରିଛନ୍ତି। ରବିବାର ମଧ୍ୟାହ୍ନରେ ଫକୀରମୋହନ ବିଶ୍ବବିଦ୍ୟାଳୟ ‌ପରିବେଶ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ସୂର୍ଯେନ୍ଦୁ ଦେ ଓ ତାଙ୍କ ସହଯୋଗୀମାନେ ଚାନ୍ଦିପୁର ବେଳାଭୂମି ପରିଦର୍ଶନ କରିବା ସହ ସେଠାରେ ଉଠିଥିବା ଏକାଧିକ ପ୍ରକାର ଘାସ ଓ ବାଲି କାଦୁଅମିଶା ମାଟି ସଂଗ୍ରହ କରିଛନ୍ତି।

ପ୍ରଫେସର ଦେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଚାନ୍ଦିପୁର ଭଳି ଏକ ପ୍ରାକୃତିକ ବେଳାଭୂମିରେ ବିଭିନ୍ନପ୍ରକାର ଘାସ ଓ ଗୁଳ୍ମ ଉଠିବା ନିଶ୍ଚିତ ଭାବେ ନୂଆ ଘଟଣା। ତେବେ ସମୁଦ୍ର ଭିତରକୁ ଘୁଞ୍ଚିଯିବା ଓ ବେଳାଭୂମି ମାଟିରେ ଲବଣ ଭାଗ କମିବା ଯୋଗୁଁ ଘାସଗଛ ଉଠିବା ନେଇ ଯେଉଁ ଅନୁମାନ କରାଯାଉଥିଲା, ତାହା ଠିକ ନୁହେଁ। ଯଦିଓ ଏବେ ପୂର୍ବଭଳି କୂଳକୁ ନିୟମିତ ଜୁଆର ଆସୁନାହିଁ, କିନ୍ତୁ ପୂର୍ଣ୍ଣିମା‌ ଓ ଅମାବାସ୍ୟା ସମୟରେ ଜୁଆର ଲହଡ଼ି ଆସୁଛି। ଯାହା ଆଜି ମଧ୍ୟ ଦେଖିବାକୁ ମିଳିଛି। ଜୁଆର କୂଳକୁ ଆସିବା ଫଳରେ ଘାସ ଗଛ ଉଠିଥିବା ସ୍ଥାନ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି କି ଏହି ଗଛଗୁଡ଼ିକ ଲୁଣି ପାଣିରେ ମଧ୍ୟ ବଢ଼ିପାରୁଛି। ପୂର୍ବରୁ ବେଳାଭୂମିରେ ଏହା ଦେଖିବାକୁ ମିଳୁନଥିଲେ ମଧ୍ୟ ଏହାର କାରଣ ଅନୁଧ୍ୟାନ ପାଇଁ ଆଜି ସମୁଦ୍ର ବେଳାଭୂମିରୁ ମାଟି ଓ ଏଠାରେ ଉଠିଥିବା ଘାସଗଛରୁ କିଛି ସଂଗ୍ରହ କରି ଗବେଷଣା ପାଇଁ ନିଆଯାଇଥିବା ପ୍ରଫେସର ଦେ କହିଛନ୍ତି।

ଲବଣାକ୍ତ ସାମୁଦ୍ରିକ ମାଟିରେ ଘାସଗଛ ବଢ଼ିବା ପଛରେ କିଛି କାରଣ ନିହିତ ରହିଛି, ଯାହାକି ଗବେଷଣାସାପେକ୍ଷ। ସାଧାରଣତଃ ବେଳାଭୂମିରେ ଘାସଲତା କି ଅନ୍ୟାନ୍ୟ ବୃକ୍ଷଲତା ଉଧେଇ ନଥାନ୍ତି। କିନ୍ତୁ ଚାନ୍ଦିପୁର ଅଞ୍ଚଳରେ ଲୁଣି ଜୁଆର ପଶୁଥିବା ବିଭିନ୍ନ କେନାଲରେ ମଧ୍ୟ ଏହି ଜାତୀୟ ଘାସ ଉଠିଥିବା ଦେଖିବାକୁ ମିଳିଛି। ତେଣୁ ଲୁଣିଜଳରେ ଏପ୍ରକାର ଘାସଲତା ବଢ଼ୁଥିବାରୁ ନିୟମିତ ବ୍ୟବଧାନରେ ସାମୁଦ୍ରିକ ବେଳାଭୂମି ପରିସରକୁ ସଫା କରାଯିବାର ଆବଶ୍ୟକତା ରହିଛି। ଅନ୍ୟଥା ଚାନ୍ଦିପୁରର ମୂଳ ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ବିସ୍ତ୍ରୀର୍ଣ୍ଣ ବେଳାଭୂମି ବିରାଟ ଘାସ ପଡ଼ିଆର ରୂପ ନେବ ବୋଲି ପ୍ରଫେସର ଦେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର