ପୁଅ ବାହାଘର ପାଇଁ ବାଟ ଚାହିଁଥିଲେ ବାପା-ମା’, କିନ୍ତୁ ବିଧିର ବିଧାନ ଥିଲା ଅଲଗା

ଗଲଓ୍ଵାନ ଘାଟିରେ ସହିଦ ହୋଇଗଲେ ଓଡ଼ିଆ ପୁଅ ଚନ୍ଦ୍ରକାନ୍ତ

ଫୁଲବାଣୀ: ଲଦାଖର ଗଲୱାନରେ ସହିଦ ହୋଇଥିବା  ଓଡ଼ିଆ ପୁଅ ଚନ୍ଦ୍ରକାନ୍ତ ପ୍ରଧାନ ଆସନ୍ତାବର୍ଷ ବିବାହ କରିଥାନ୍ତେ। ଏଥି ପାଇଁ ତାଙ୍କର ବାପା-ମା’ ଯୋଜନା କରୁଥିଲେ। ହେଲେ ସବୁ ଆଶା ଆଶାରେ ରହିଯାଇଛି। ବିଧାତାରର ବିଧି ଅଲଗା ଥିବାରୁ ଦେଶ ପାଇଁ ଓଡ଼ିଆ ପୁଅ ଚନ୍ଦ୍ରକାନ୍ତ ନିଜକୁ ବାଜି ଲଗାଇଛନ୍ତି। ଦେଶ ପାଇଁ ପୁଅ ଜୀବନ ଦେଇଛି ବୋଲି କହିଛନ୍ତି ଚନ୍ଦ୍ରକାନ୍ତଙ୍କ ବାପା। ଗର୍ବରେ ଛାତି ଫୁଲି ଉଠୁଥିଲେ ବି ପୁଅକୁ ଝୁରି ମା’ ବିଳାସିନୀ ବାହୁନି ବାହୁନି କାନ୍ଦୁଛନ୍ତି। ଘରର ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ବାପା କରୁଣାକର କୋହ ସମ୍ବରଣ କରିପାରୁନାହାନ୍ତି। ଭାଇଉଭଣୀଙ୍କ ବୁକୁଫଟା କାନ୍ଦରେ ଗାଁ ଦାଣ୍ଡ ଫାଟି ପଡ଼ୁଛି। ପୂରା ଗ୍ରାମ ସ୍ତବ୍ଧ ହୋଇଯାଇଥିବା ସହ ଗ୍ରାମବାସୀ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ଚନ୍ଦ୍ରକାନ୍ତଙ୍କ ମୃତ୍ୟୁ ଖବର ଜଣାଇବା ଲାଗି  ସେନାବିଭାଗର ସୁବେଦାର ତାଙ୍କ ଘରକୁ ଫୋନ୍‌ କରିଥିଲେ। ଚନ୍ଦ୍ରକାନ୍ତଙ୍କ ଭଉଣୀ ମୋବାଇଲ୍‌ ଉଠାଇବା କ୍ଷଣି କେବଳ ଗୋଟିଏ ବାକ୍ୟ ଶୁଣିବାକୁ ମିଳିଥିଲା ‘ସି.କେ.ପ୍ରଧାନ ସହିଦ ହୋଇଯାଇଛନ୍ତି’। ଏହା କହି ସୁବେଦାର ଫୋନ୍‌ କାଟିଦେବା ପରେ ସମସ୍ତଙ୍କ ପାଦ ତଳୁ ଯେମିତି ମାଟି ଖସିଯାଇଥିଲା। ଚନ୍ଦ୍ରକାନ୍ତ ଏତେ କମ୍‌ ବୟସରେ ସମସ୍ତଙ୍କୁ ଛାଡ଼ି ପଳାଇବେ, ଏହାକୁ ପରିବାରବର୍ଗ ସହଜରେ ବିଶ୍ୱାସ କରି ପାରି ନ ଥିଲେ। ଏହାର କିଛି ସମୟ ପରେ ଗାଁର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଆସି ଚନ୍ଦ୍ରକାନ୍ତ ସହିଦ ହୋଇଥିବା କହିବା ପରେ ଘରେ କାନ୍ଦବୋବାଳି ଆରମ୍ଭ ହୋଇଥିଲା।

ଚନ୍ଦ୍ରକାନ୍ତ ଗତବର୍ଷ ଡିସେମ୍ବରରେ ଛୁଟିରେ ଘରକୁ ଆସି ଚଳିତବର୍ଷ ଫେବ୍ରୁଆରି ୧୬ ତାରିକଖରେ କର୍ମସ୍ଥଳୀକୁ ଫେରିଯାଇଥିଲେ। ମଝିରେ ମଝିରେ ଫୋନ୍‌ରେ ପରିବାରର ଭଲମନ୍ଦ ବୁଝିବା ସହ ଆସନ୍ତା ଅଗଷ୍ଟରେ ପୁଣି ଛୁଟିରେ ଘରକୁ ଆସିବେ ବୋଲି କଥା ଦେଇଥିଲେ ବୋଲି ବାପା କରୁଣାକର ଓ ମା’ ବିଳାସିନୀ କୋହଭରା କଣ୍ଠରେ କହିଛନ୍ତି। ଗତ ୧ ତାରିଖରେ ସେ ପରିବାରବର୍ଗ ସହ ଶେଷ ଥର ପାଇଁ କଥା ହୋଇଥିଲେ।

ଶତ୍ରୁ ବିପକ୍ଷରେ ବୀରତ୍ୱର ସହ ଲଢ଼ି ବଡ଼ପୁଅ ଦେଶ ପାଇଁ ଜୀବନ ଦେଲା। ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡ଼ିଛୁ। କିନ୍ତୁ ଦେଶ ପାଇଁ ପୁଅ ସହିଦ୍‌ ହୋଇଥିବାରୁ ଏଥିପାଇଁ ଆମେ ଗର୍ବିତ ବୋଲି କରୁଣାକର ଓ ବିଳାସିନୀ କହିଛନ୍ତି। ଚନ୍ଦ୍ରକାନ୍ତ ଆମର ବଡ଼ ଭାଇ ନୁହେଁ, ସେ ସାଙ୍ଗ ଥିଲା ବୋଲି କହିଛନ୍ତି ସାନ ଭଉଣୀ ସଂଧ୍ୟା ଓ ସାନ ଦୁଇ ଭାଇ ନବକିଶୋର ଓ ଦିବ୍ୟ। ସେ ଘରର ସବୁ ଭଲମନ୍ଦ କଥା ପଚାରି ବୁଝୁଥିଲା। ମଝିରେ ମଝିରେ ଟଙ୍କା ପଠାଇବା ସହ ମନ ଦେଇ ପାଠ ପଢ଼ି ଭଲ ମଣିଷଟିଏ ହେବାକୁ ପରାମର୍ଶ ଦେଉଥିଲା।

ସମ୍ବନ୍ଧିତ ଖବର