କୋରାପୁଟ: ଦଳୀୟ କୋଣଠେସା ଓ ରାଜନୈତିକ ରୋଷର ଶିକାର ହେଉଥିଲେ କୋଟପାଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି | ୨୦୧୯ ନିର୍ବାଚନରେ ପରାଜୟ ବରଣ କରିଥିଲେ ବି କୋରାପୁଟ କଂଗ୍ରେସରେ ଥିଲେ ଜଣେ ଟାଣୁଆ ନେତା । ୫୩ ବର୍ଷ ହେଲା କୋଟପାଡ ନିର୍ବାଚନ ମଣ୍ଡଳୀରେ ଦବଦବା ରଖୁଥିବା କଂଗ୍ରେସ ଏହାର ସ୍ଥିତି ହରାଇବା ଏକ ପ୍ରକାର ସ୍ଥିର ହୋଇସାରିଲାଣି । ୨୦୧୯ ନିର୍ବାଚନରେ ବିଜେଡି ଏହି ଗଡ ଦଖଲ କରିଥିବାବେଳେ ମୂଳପୋଛ କରିବାକୁ ଯୋଜନା କରିଛି । ଆସନ୍ତାକାଲି ଭୂବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ତିତିରେ ସେ ବିଜେଡିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତାଙ୍କୁ ବିଜେଡି ପକ୍ଷରୁ ଏକ ନିଗମ ପ୍ରଦାନ କରାଯିବାକୁ ଯୋଜନା ରହିଥିବା ଜଣାପଡିଛି । ଏନେଇ ବିଜେଡି ସଭାପତି ଇଶ୍ୱର ପାଣିଗ୍ରାହୀ କହିଛନ୍ତି ଯେ ନବୀନ ପଟ୍ଟନାୟକ ବିକାଶମୂଳକ ଚିନ୍ତାଧାରା ଚନ୍ଦ୍ରଶେଖରଙ୍କୁ ପ୍ରଭାବିତ କରିଛି ।

Advertisment

ଖାଲି ଚନ୍ଦ୍ରଶେଖର ନୁହେଁ ଶତାଧିକ କର୍ମୀଙ୍କ ସହ ସେ କାଲି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିବେ । ଏନେଇ ଇସ୍ତଫା ପତ୍ର ଦେଇ ସାରିଛନ୍ତି । ବିଜେଡିରେ ତାଙ୍କର ଉପସ୍ଥିତି ଦଳକୁ ମଜଭୁତ କରିବ ବୋଲି ସେ କହିଛନ୍ତି । ଏନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି ଯେ ଯେତେବେଳେ ପ୍ରଥମେ ଜିଲ୍ଲା ପରିଷଦ ବ୍ୟବସ୍ଥା ଆରମ୍ଭ ହୋଇଥିଲା ସେ କୋଟପାଡରେ ପ୍ରଥମେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେ କଂଗ୍ରେସ ପକ୍ଷରୁ ଦଖଲ କରିଥିଲେ । ତାଙ୍କୁ ବିଧାୟକ ଓ ସାଂସଦ ହେବାକୁ ଟିକଟ ଦିଆଯାଇଥିଲା । ବିଧାୟକ ହୋଇ ଦଳକୁ ମଜଭୁତ କରିଥିଲେ । ସେ ୫୩ ବର୍ଷ ହେଲା କଂଗ୍ରେସରୁ ଯାହା ପାଇଛନ୍ତି ତାହା କ’ଣ କେଉଁ ଦଳରୁ ପାଇବେ । ଯଦି କିଏ ଦଳ ଛାଡୁଛି ସେଥିରେ ଦଳ ଉପରେ କିଛି ପ୍ରଭାବ ପଡିବ ନାହିଁ ।

ଦଳ ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନରେ ଏହି ଅଞ୍ଚଳରେ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି । ଏନେଇ ଡିସିସି ସଭାପତି ମୀନାକ୍ଷୀ ବାହିନିପତି କହିଛନ୍ତି ଯେ, କଂଗ୍ରେସ ଦଳ ଚନ୍ଦ୍ରଶେଖରଙ୍କୁ ଯାହା ଦେଇଛି ସେ କେଉଁ ଦଳରୁ କିଛି ବି ପାଇବେ ନାହିଁ । ସେ ଦଳ ଛାଡିବା ନିଶ୍ଚିତ ଭାବେ କଷ୍ଟଦାୟକ କିନ୍ତୁ ଦଳକୁ କୌଣସି ପ୍ରଭାବ ପକାଇବ ନାହିଁ । କଂଗ୍ରେସ ଦଳ ଏକ ମହାସାଗାର ଏଥିରୁ ବୁନ୍ଦାଏ ପାଣି ଚାଲିଗଲେ କିଛି ପ୍ରଭାବିତ ହେବ ନାହିଁ ବୋଲି ସେ କହିଛନ୍ତି ।