ଲକ୍ଷ୍ମୀପଣ୍ଡା ଛକର ରୁପରେଖ ପରିବର୍ତ୍ତନ ପାଇଁ ଏନଏଚର ସ୍ବତନ୍ତ୍ର ଯୋଜନା: ୧୩ଦିନ ପରେ ଅଗ୍ରଗତି ଶୁନ

ଜୟପୁର: କୋରାପୁଟ ଜୟପୁରର ଲକ୍ଷ୍ମୀପଣ୍ଡା ଛକର ସଂପୁର୍ଣ୍ଣ ରୁପରେଖ ପରିବର୍ତ୍ତନ କରାଯିବା ପାଇଁ ଏନଏଚ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ଗତ ୩୦ତାରିଖ ଦିନ ନେତାଜୀ ସୁବାଷ ବୋଷଙ୍କ ରାଣୀ ଲକ୍ଷ୍ମୀବାଇ ରେଂଜିମେଣ୍ଟର ସଦସ୍ୟା ଥିବା ସ୍ବାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମୀ ପଣ୍ଡାଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତରର ୧୩ଦିନ ପରେ ବି ଛକର ରୁପରେଖ ପରିବର୍ତ୍ତନ ପାଇଁ କିଛି ଅଗ୍ରଗତି ହୋଇନି। ସୂଚନାଯୋଗ୍ୟ,ବୋରିଗୁମ୍ମା-ଜୟପୁର ଜାତୀୟ ରାଜପଥକୁ ଲାଗି ରହିଥିବା ଜୟନଗର ଛକରେ ପୂଜ୍ୟ ପୂଜା ପାଇଁ ସ୍ବାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମୀ ପଣ୍ଡାଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା। ତେବେ ଛକଟି ଓଣଓସାରିଆ ଓ ବଙ୍କା ଥିବାରୁ ଏଠାରେ ବହୁବାର ଛୋଟ ବଡ଼ ଦୁର୍ଘଟଣା ବି ହେଉଥିଲା |

ଏପରିକି ଏହି ଛକରୁ କାଳିଆ ପେଟ୍ରୋଲ ପମ୍ପ ମଧ୍ୟକୁ ଏନଏଚ ପକ୍ଷରୁ ବ୍ଲାକ୍ ସ୍ପଟ ଭାବେ ବି ଚିହ୍ନଟ କରିଥିଲେ। ପୌରପାଳିକା ମଧ୍ୟ ସହରର ସୌନ୍ଦର୍ଯ୍ୟକରଣ କାମ ଜାରି ରଖିଛି। ଅନ୍ୟ ପକ୍ଷରେ ଜାତୀୟ ରାଜପଥକୁ ଲାଗିକି ଏହି ପ୍ରତିମୂର୍ତ୍ତି ରହିଥିବାରୁ ଏହାକୁ ସ୍ଥାନାନ୍ତର କରାଯାଇଛି। ସେଭଳି ଏନଏଚ ପକ୍ଷରୁ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପରେ ଏହି ଛକକୁ ସ୍ବତନ୍ତ୍ର ଛକ କରିବାକୁ ଯୋଜନା କରାଯାଇଛି।

ଏଠାରେ ଥିବା ଗଛ ଗୁଡ଼ିକୁ କାଟିବା ପାଇଁ ବନବିଭାଗ ଓ ଓଏଫଡିସିକୁ ଏନଏଚ ପକ୍ଷରୁ ଚିଠି କରାଯାଇଛି। ବନବିଭାଗ ଗଛ କାଟିବା ପରେ ଛକରେ ହୋଇଥିବା ଜବରଦଖଲ ଦୋକାନଗୁଡ଼ିକୁ ଉଛେଦ କରିବା ସହ ଛକର ରୁପରେଖରେ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ଏନଏଚ ଏସଡିଓ ବିନୋଦ ବଗର୍ତ୍ତୀ। ଗତ ୧୩ଦିନ ହେବ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀ ସେଭଳି ପଡ଼ି ରହିଛି। ତେବେ ଛକର ରୁପରେଖ ପରିବର୍ତ୍ତନ ପାଇଁ ଆଉ କେତେ ଦିନ ସମୟ ଲାଗିବ ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର