ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ବିଗୁଡ଼ୁଛି ଜଗତସିଂହପୁର ସହରର ରୂପରେଖ

ଜଗତସିଂହପୁର ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ ସ୍ଥାଣୁ

ଜଗତସିଂହପୁର ଟାଉନ୍: ଜଗତସିଂହପୁର ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ ସ୍ଥାଣୁ ପାଲଟିଛି। ଲୋକେ ମନଇଚ୍ଛା କୋଠାଘର ଠିଆ କରୁଛନ୍ତି। ଟାଉନ୍‌ ପ୍ଲାନିଂର ସବୁ ନୀତିନିୟମକୁ ଖୋଲା ଉଲ୍ଲଂଘନ କରୁଥିଲେ ହେଁ କହିବାକୁ କେହି ନାହିଁ। ସରକାରୀ ବିନା ଅନୁମତିରେ ଯିଏ ଯେମିତି ପାରୁଛି, ଯେତେ ମହଲା ଇଚ୍ଛା ଘର ତୋଳୁଛି। ଜଗତସିଂହପୁର ଟାଉନ୍‌ସିପ୍‌ ବିକଶିତ ଦିଗରେ ଉଦ୍ୟମ ହୋଇନାହିଁ କି ବେଆଇନ୍ ଗୃହ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଯୋଜନାବିହୀନ ଅବ୍ୟବସ୍ଥିତ ଢଙ୍ଗରେ ଗଢ଼ି ଉଠୁଥିବା କ୍ରମବର୍ଦ୍ଧିଷ୍ଣୁ ସହରାଞ୍ଚଳ ଜଗତସିଂହପୁର ଟାଉନ୍‌ ପାଇଁ ଆଗକୁ ବିପଦ ମାଡ଼ି ଆସୁଛି। ଓଡ଼ିଶା ଟାଉନ୍ ପ୍ଲାନିଂ ନିର୍ଦ୍ଦେଶାଳୟ ଅଧୀନରେ ଜଗତସିଂହପୁର ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ(ଜେଆର୍‌ଆଇଟି) ସହରର ଉନ୍ନୟନ ପାଇଁ କାମ କରୁଛି। ୨୦୦୬ ଫେବୃଆରି ୨ ତାରିଖରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହି କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ। ସହର ଓ ଗ୍ରାମାଚଂଳକୁ ଏକ ମାଷ୍ଟର ପ୍ଲାନ୍ କରାଯାଇ ବ୍ୟବସ୍ଥିତ ଢଙ୍ଗରେ କେମିତି ଜଗତସିଂହପୁର ସହରର ରୂପରେଖ ହେବ ସେଥିପାଇଁ ଉଦ୍ୟମ ହେବା କଥା।

ତେବେ ଦୀର୍ଘ ୧୧ ବର୍ଷ ପରେ ୨୦୧୭ ମସିହାରେ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ସ୍ଥିର ହୋଇଥିଲା। ୨୦୧୮ ମସିହା ମେ ମାସ ୬ ତାରିଖରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ପାଇଁ ବାଙ୍ଗାଲୋର ସ୍କାଏ ଗ୍ରୁପ୍ ସହ ଜଗତସିଂହପୁର ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟର ରାଜିନାମା ସ୍ବାକ୍ଷରିତ ହୋଇଥିଲା। ରାଜିନାମା ଅନୁସାରେ ୨୩ ଜୁଲାଇ ୨୦୧୯ ମଧ୍ୟରେ ଏହାର ପ୍ଲାନ୍ ପ୍ରସ୍ତୁତ ହେବା କଥା। କିନ୍ତୁ ଏଯାଏଁ ସେକାମ ଆଗେଇ ପାରିନାହିଁ।

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଏହି କାର୍ଯ୍ୟାଳୟର ସମ୍ପାଦକ ଅଛନ୍ତି କୀର୍ତନ ଭୂଷଣ ନାୟକ। ସେ କଟକରେ ରୁହନ୍ତି। ବର୍ଷକୁ ୧୨ ଥର ଆସିବା ବି କଷ୍ଟ। ଆବଶ୍ୟକ ଥିବା ପୋଷ୍ଟ ଭିତରେ ଅମିନ, ପ୍ଲାନିଂ ଆସିଷ୍ଟାଣ୍ଟ୍‌, କନିଷ୍ଠ କିରାଣି, ଇଞ୍ଜିନିୟର, ଚତୁର୍ଥ ଶ୍ରେଣୀ କର୍ମଚାରୀ କେହି ଜଣେ ବି ନାହାନ୍ତି। ସବୁପଦବି ଖାଲି। କୃଷ୍ଣ ଚନ୍ଦ୍ର ନାୟକ ଜଣେମାତ୍ର ଏକାଉଣ୍ଟାଣ୍ଟ୍‌ ଅଫିସ୍‌ ଚଳାଉଛନ୍ତି। ଏକ ଆକଳନ ଅନୁସାରେ ଜିଲ୍ଲାରେ ବାର୍ଷିକ ୪ ହଜାରରୁ ଅଧିକ ନୂଆ କୋଠା ନିର୍ମାଣ କରାଯାଉଥିବା ବେଳେ ୨୦୦୬ ରୁ ୨୦୨୦ ୧୫ ବର୍ଷରେ ମଧ୍ୟରେ ମାତ୍ର ୮୦୦ କୋଠା ଅନୁମତି ପାଇଁ ଆବେଦନ କରିଛନ୍ତି। ଯାହା ଆଶ୍ଚର୍ଯ୍ୟର ବିଷୟ। ବିନା ଏନ୍ଓସିରେ କେମିତି ହଜାର ହଜାର କୋଠା ନିର୍ମାଣ କରାଯାଉଛି ଏବଂ ବିଭାଗ କିପରି କାମ କରୁଛି ତାହା ଆଶ୍ଚର୍ଯ୍ୟଜନକ ମନେ ହେଉଛି। ଧୀରେ ଧୀରେ ଜନ ସଂଖ୍ୟା ବଢ଼ୁଛି। ଏହାକୁ ତାଳ ଦେଇ ବଢ଼ୁଛି ବେଆଇନ ନିର୍ମାଣ। ଏବେଠୁ ନିୟନ୍ତ୍ରଣ କରାନଗଲେ ଆଗକୁ ଏ ସମସ୍ୟା ବଢ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର