ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଫଟାମୁଣ୍ଡା ଗାଁରେ ରାଜନୈତିକ ଶତ୍ରୁତାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ପୂର୍ବ ସରପଞ୍ଚଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରି ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପୁଲିସର ସୂଚନା ଅନୁସାରେ, ଉପରଝର ପଞ୍ଚାୟତର ପୂର୍ବ ସରପଞ୍ଚ ରାଜୀବ ପଟେଲଙ୍କ ପରିବାର ସହ ଏହି ଗାଁର ଚିତ୍ତରଞ୍ଜନ ପଟେଲଙ୍କ ପରିବାରର ପୂର୍ବରୁ ଶତ୍ରୁତା ରହିଥିଲା। ଏହି ଶତ୍ରୁତା ଶନିବାର ଚରମ ସୀମାରେ ପହଞ୍ଚି ରକ୍ତାକ୍ତ ସଂଘର୍ଷ ହୋଇଥିଲା। ବିଜେଡିକୁ ସମର୍ଥନ କରୁଥିବା ଚିତ୍ତରଞ୍ଜନ ପଟେଲଙ୍କ ପରିବାର ଲୋକେ କଂଗ୍ରେସ ଦଳକୁ ସମର୍ଥନ କରୁଥିବା ପୂର୍ବ ସରପଞ୍ଚ ରାଜୀବ ପଟେଲ, ତାଙ୍କ ପୁଅ ଅମିତ ପଟେଲ, ଭାଇ ରଜନୀକାନ୍ତ ପଟେଲଙ୍କୁ ଆକ୍ରମଣ କରି ମାଡ଼ ମାରିଥିଲେ। ତିନିଜଣଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ପଠାଯାଇଥିଲା। ରାଜୀବ ଓ ତାଙ୍କ ପୁଅ ଅମିତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଫଟାମୁଣ୍ଡା ଗାଁକୁ ଲୋୟର ସୁକତେଲ ପ୍ରକଳ୍ପରୁ କିପରି ପାଣି ମାଡ଼ିପାରିବ ତାହାକୁ ନେଇ ଶୁକ୍ରବାର ରାତିରେ ଗାଁରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜେଡି-କଂଗ୍ରେସ ସମର୍ଥିତ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ବୈଠକଟି ଅଧାରୁ ବାତିଲ ହୋଇଥିବା ଗାଁ ଲୋକଙ୍କଠାରୁ ସୂଚନା ମିଳିଛି।