କେନ୍ଦ୍ରାପଡ଼ା: ଗଡ଼ିଲାନି ବଳଦେବଙ୍କ ବ୍ରହ୍ମ ତାଳଧ୍ବଜ ରଥ। ନିରାଶ ହେଲେ ଭକ୍ତ। ତିନି ଠାକୁରଙ୍କ ରଥ ଟାଣି ନେଇ ମାଉସୀ ମା’ ମନ୍ଦିରରେ ପହଞ୍ଚାଇବାକୁ ଯେଉଁ ଆଶା ବାନ୍ଧିଥିଲେ ଭକ୍ତ, ତାହା ଧୂଳିସାତ୍ ହେଇଯାଇଛି। ଶ୍ରୀଗୁଣ୍ତିଚାର ତିନିଦିନ ପରେ ବି ରଥ ତୁଳସୀକ୍ଷେତ୍ରାଧିପତି ବଳଦେବଙ୍କ ବ୍ରହ୍ମ ତାଳଧ୍ବଜ ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚି ପାରିନାହିଁ। ରଥ ମୋଡ଼ ନେଇ ବିଦ୍ୟୁତ୍ ଖୁଣ୍ଟ, ଡ୍ରେନ୍ ଉପରକୁ ମାଡ଼ି ରହି ଯାଇଛି। ପ୍ରଶାସନର ଶତଚେଷ୍ଟା ସତ୍ତ୍ବେ ରଥ ଗଡ଼ିବା ସମ୍ଭବ ହେଇ ପାରିନାହିଁ। ଜିଲ୍ଳାପାଳ, ଏସ୍ପିଙ୍କଠୁ ନେଇ ମନ୍ଦିର ପ୍ରଶାସନ ଯାଏ ସମସ୍ତ ଘନଘନ ସମୀକ୍ଷା ବୈଠକ, ରଥଯାତ୍ରାରେ ଉପସ୍ଥିତ ରହି ତଦାରଖ କରିବା ସତ୍ତ୍ବେ କାହିଁକି ଏଭଳି ବିଘ୍ନ ଘଟିଲା, ରଥ କାହିଁକି ମୋଡ଼ ନେଇ ଡ୍ରେନ୍ ଉପରକୁ ମାଡ଼ିଗଲା, ତାକୁ ନେଇ ଉଠିଛି ଅଗଣିତ ଭକ୍ତଙ୍କ ପ୍ରଶ୍ନ। ଏଭଳି ଚରମ ବିଭ୍ରାଟ ପାଇଁ କେହି କେହି ପ୍ରଶାସନ ଅପରିଣାମଦର୍ଶୀ ପଦକ୍ଷେପକୁ ଦାୟୀ କରୁଛି ତ’ କେହି ମହାପ୍ରଭୁ କୋପ ଦେଖାଇଛନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ଯାହା ହେଉନା କାହିଁକି, ଶ୍ରୀଗୁଣ୍ତିଚାରୁ ତିନିଦିନ ପରେ ବି ରଥାରୂଢ଼ ଚତୁର୍ଧାମୂର୍ତ୍ତି ମାଉସୀ ମା’ ମନ୍ଦିର ସମ୍ମୁଖରେ ପହଞ୍ଚି ନ ପାରିବା ବିଗତ ବହୁ ବର୍ଷର ପରମ୍ପରା ଭଙ୍ଗ ହେଇଥିବା ଚର୍ଚ୍ଚା ହେଉଛି।
ସୂଚନା ଅନୁଯାୟୀ, ସାରା ରାଜ୍ୟରେ ତୁଳସୀକ୍ଷେତ୍ର ନାମରେ ପରିଚିତ କେନ୍ଦ୍ରପଡ଼ାରେ ପ୍ରଭୁ ସିଦ୍ଧ ବଳଦେବଜିଉଙ୍କ ରଥଯାତ୍ରାରେ ଏକ ସ୍ବତନ୍ତ୍ର ପରମ୍ପରା ରହିଛି। ଏଠାରେ ଶ୍ରୀଗୁଣ୍ତିଚା ପରଦିନ ବ୍ରହ୍ମ ତାଳଧ୍ବଳ ରଥ ମାଉସୀ ମା’ ମନ୍ଦିର ସମ୍ମୁଖରେ ପହଞ୍ଚିଥାଏ। ଏହିକ୍ରମରେ ଶୁକ୍ରବାର ଅନୁଷ୍ଠିତ ଶ୍ରୀଗୁଣ୍ତିଚାର ହଜାର ହଜାର ଭକ୍ତ ମାତ୍ର ଶହେ ମିଟର୍ ରଥ ଟାଣି ଆଗକୁ ନେଇଥିଲେ। ବଡ଼ ଦେଉଳଠୁ ପ୍ରାୟ ଶହେ ମିଟର୍ ଦୂର ଦେବୋତ୍ତର କାର୍ଯ୍ୟାଳୟ ନିକଟରେ ରଥ ରହିଥିଲା। ଶନିବାର ଦ୍ବିତୀୟ ଶ୍ରୀଗୁଣ୍ତିଚାରେ ରଥ ମାଉସୀ ମା’ ମନ୍ଦିରରେ ଲାଗିବା କଥା।
/sambad/media/post_attachments/wp-content/uploads/2022/07/WhatsApp-Image-2022-07-03-at-7.52.02-PM.jpeg)
ରଥ ମୋଡ଼ ନେଇ ବଡ଼ଦାଣ୍ତ ପାର୍ଶ୍ବ ବିଦ୍ୟୁତ୍ ଖୁଣ୍ଟରେ ଲାଖିଯିବାରୁ ଆଗକୁ ବଢ଼ିପାରି ନ ଥିଲା। ଶତ ଚେଷ୍ଟା ସତ୍ତ୍ବେ ରଥ ଅଳ୍ପ କିଛି ବାଟ ଗଡ଼ ପୁଣି ଡ୍ରେନ୍ ଉପରକୁ ମାଡ଼ି ଯାଇଥିଲା। ଫଳରେ ଆଉ ପାଦେ ବି ରଥ ଗଡ଼ିବା ସମ୍ଭବ ହୋଇନଥିଲା। ଆଜି ପୂର୍ବାହ୍ନରେ ରଥଟଣା ଯିବ ବୋଲି ପ୍ରଶାସନ ଘୋଷଣା କରିଥିଲା। ହେଲେ ଆଜି ବି ତାହା ସମ୍ଭବ ହୋଇପାରିନାହିଁ। ପାରାଦ୍ବୀପରୁ ରେଳବାଇ କର୍ମଚାରୀଙ୍କୁ ଅଣାଯାଇ ଜଗ୍ ସାହାଯ୍ୟରେ ରଥ ଚଲେଇବା ପାଇଁ ଭରପୁର ଚେଷ୍ଟା କରାଯାଇଥିଲେ ବି ରାତି ୮ଟା ସୁଦ୍ଧା ଚାଲିବା ସମ୍ଭବ ହୋଇନାହିଁ। ହେଲେ ଯେଉଁ ପ୍ରଶ୍ନଟି ଅଗଣିତ ଭକ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି କାହିଁକି ଏଥର ଏଭଳି ବିଭ୍ରାଟ ଘଟିଲା? ବିଗତ କିଛି ବର୍ଷ ହେଲା ଏଭଳି କେବେ ଦେଖା ଯାଇନଥିଲା। ୟା’ ମଧ୍ୟରେ ରଥଦାଣ୍ତର ରୂପରେଖ ବଦଳି ଯାଇଛି। ରାସ୍ତା ପିଚୁ ସହ ପ୍ରଶସ୍ତ ହେବା ସତ୍ତ୍ବେ ରଥ ଏଥର ଶ୍ରୀଗୁଣ୍ତିଚାର ତିନିଦିନ ପରେ ବି ମାଉସୀ ମା’ ମନ୍ଦିର ସମ୍ମୁଖରେ ପହଞ୍ଚି ନ ପାରିବା ଭକ୍ତମାନଙ୍କୁ ନିରାଶ କରିଛି। କେବଳ ରଥ ଆଗକୁ ଗଡ଼ୁନି ତା’ ନୁହେଁ, ବଡ଼ଦେଉଳ ଠାରୁ ମାତ୍ର ଶହେରୁ କିଛି ଦୂର ଗଡ଼ିବା ଭିତରେ ଦଉଡ଼ି ତିନି ଥର ଛିଡ଼ିଲାଣି। ତେବେ କାହିଁକି ଏଭଳି ବିଘ୍ନ ଘଟିଲା? ଏହା ପଛର କାରଣ କ’ଣ ହେଇପାରେ? ଠାକୁରଙ୍କ ନୀତିକାନ୍ତିରେ ବିଭ୍ରାଟ ପାଇଁ ନା ଅନଭିଜ୍ଞ ରଥ ଚାଳକଙ୍କ ପାଇଁ ଏଭଳି ଘଟିଲା? ସର୍ବୋପରି ଦୁଇ ବର୍ଷ ପରେ ହେଉଥିବ ରଥଯାତ୍ରାକୁ ପ୍ରଶାସନ ହାଲୁକା ଢଙ୍ଗରେ ନେଇଗଲା କି? ଅଗଣିତ ଭକ୍ତଙ୍କ ମନକୁ ଏବେ ଏଭଳି ପ୍ରଶ୍ନ ଆନ୍ଦୋଳିତ କରୁଛି।