ଭଞ୍ଜନଗରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା

ଭଞ୍ଜନଗର: ଆଜି ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା। ଏଥିପାଇଁ ପୁରପଲ୍ଲୀ ଉତ୍ସବ ମୁଖର ହୋଇ ଉଠିଥିଲା। ଗତ ଦୁଇବର୍ଷ ଧରି କୋରନା କଟକଣା ପାଇଁ ଯାତ୍ରା ବନ୍ଦ ହୋଇଥିବାରୁ ଶ୍ରଦ୍ଧାଳୁମାନେ ନିରାଶ ହୋଇଥିବା ବ‌େଳେ ଚଳିତବର୍ଷ ବେଶ ଉତ୍ସାହର ସହ ଏହି ଯାତ୍ରା ଅନୁଷ୍ଠିତ ହୋଇଛି। ଶତାଧିକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ରଥଯାତ୍ରା ହୋଇ ଆସୁଥିବା ଭଞ୍ଜ ଗଡ କୁଲାଡ ଠାରେ ମଧ୍ୟ ଚଳିତବର୍ଷ ରଥ ଯାତ୍ରା ବହୁ ଆଡମ୍ବର ସହକାରେ ପାଳନ ହୋଇଛି। ଭ‌ୋର ସମୟରୁ ହିଁ ମନ୍ଦିର ଗୁଡିକ ଚଳଚଞ୍ଚଳ ହୋଇ ଉଠିଥିଲା। ପୂଜକ, ପ୍ରଶାସନିକ କର୍ମଚାରୀ ପୁଲିସ ତଥା ଭଞ୍ଜ ବଂଶ ଦାୟଦ ପ୍ରଶାନ୍ତ ଭଞ୍ଜଦେଓଙ୍କ ଉପସ୍ଥିତିରେ ରୀତିନୀତି ସମ୍ପନ୍ନ ହୋଇଥିଲା। କୁଲାଡରେ ପାରମ୍ପରିକ ରୀତିନୀତି ଅନୁସରେ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ପରେ ରଥଟଣା ନୀତି ଆରମ୍ଭ ହୋଇଥିଲା। ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସରପଞ୍ଚ ପ୍ରତିନିଧି ରାଜୀବ ଲୋଚନ ରାଜୁଙ୍କ ସମେତ ମନ୍ଦିର ପରିଚାଳନା କମିଟିବୃନ୍ଦ ଓ ଗ୍ରାମବାସୀଙ୍କ ସହଯୋଗୀରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିବା ବେଳେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ଧୀରେଶ କୁମାର ଦାସ ଓ ଥାନା କର୍ମଚାରୀ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।

Sambad

ସେହିପରି ଭଞ୍ଜନଗର ଅଞ୍ଚଳର ବଡକୋଦଣ୍ଡା, ଗାଲେରୀ, ଡୁମାକୁମ୍ପା, ଲେମ୍ଭାଇ ଠାରେ ମଧ୍ୟ ଚଳିତବର୍ଷ ରଥଯାତ୍ରା ଧୂମଧାମରେ ପାଳିତ ହୋଇଥିବା ଜଣାପଡିଛି। ଭଞ୍ଜନଗର ସହରରେ ଥିବା ଜଗନ୍ନାଥ ମନ୍ଦିର ପକ୍ଷରୁ ସଦୃଶ ଏକ ନୂତନ ରଥ ନିର୍ମାଣ କରି ବିରାଟ ପଟୁଆରରେ ରଥଯାତ୍ରା ପାଳନ କରାଯାଇଥିଲା। ଭେଜିପୁଟ ଠାରେ ମଧ୍ୟ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ପାଳନ କରାଯାଇଥିଲା‌। ସକାଳୁ ଅବକାଶ ଓ ପାହାନ୍ତ ନୀତି ସମାପନ ପରେ ଜଗନ୍ନାଥଙ୍କୁ ପହଣ୍ଡି କରି ନିର୍ମାଣ କରାଯାଇ ରଥକୁ ଚତୁର୍ଦ୍ଧା ମୂରତିଙ୍କୁ ଅଣାଯାଇଥିଲା। ଏଥିସହ ଜିଲୁଣ୍ଡି ଓ ବଡକୋଦାଣ୍ଡା ଗ୍ରାମରେ ମଧ୍ୟ ରଥଯାତ୍ରା ବହୁ ଆଡମ୍ବରରେ ‌ପାଳିତ ହୋଇଯାଇଛି। ସେହିପରି ଗାଲେରୀ ଠାରେ ମଧ୍ୟ ଦଧୀବାମନ ସ୍ବାମୀଙ୍କ ରଥଯାତ୍ରା ପାରମ୍ପରିକ ରିତୀନୀତିରେ ପାଳିତ ହୋଇଯାଇଛି। ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟି ରବି ପ୍ରସାଦ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପୁରୋହିତ ତାରିଣୀ ଚରଣ ତ୍ରିପାଠୀ ବିଭିନ୍ନ ନୀତି ସମାପନ କରିଥିଲେ

ସମ୍ବନ୍ଧିତ ଖବର