କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଆରାଧୢ ଦେବତା ସିଦ୍ଧ ବଳଦେବଜିଉଙ୍କ ବ୍ରହ୍ମ ତାଳଧ୍ବଳ ରଥ ଏଥର ଶ୍ରୀଗୁଣ୍ତିଚା ମନ୍ଦିରରେ ପହଞ୍ଚିବାକୁ ଚାରି ଦିନ ଲାଗିଗଲା। ଶନିବାର ପରିବର୍ତ୍ତେ ସୋମବାର ଚକଡ଼ାରେ ଲାଗିଲା ରଥ। ୧୫ଲକ୍ଷ ଜିଲ୍ଲାବାସୀଙ୍କ ଭାବାବେଗ ସହିତ ଜଡ଼ିତ ବଳଦେବଙ୍କ ରଥଯାତ୍ରାରେ ଏଭଳି ଚରମ ବିଭ୍ରାଟ୍‌ ଏବ˚ ବ୍ୟାପକ ଅବ୍ୟବସ୍ଥାର କାରଣ ଖୋଜା ଚାଲିଥିବା ବେଳେ ଏହା ପଛରେ ଯେ ଜିଲ୍ଲା ପ୍ରଶାସନର ବେପରୁଆ ତଥା ଖାମଖିଆଲ ମନୋଭାବ ଏବ˚ ସମନ୍ବୟର ଘୋର ଅଭାବ ଦାୟୀ, ତାହା ଜଳଜଳ ଧରାପଡ଼ି ଯାଉଛି। ହେଲେ ପ୍ରଶାସନ ନିଜ ଭୁଲ୍‌କୁ ଠାକୁରଙ୍କ ଲୀଳା କହି ଖସିଯିବାକୁ ଯେଭଳି ଉଦ୍ୟମ କଲା; ତାହା ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଛି। ବିଶ୍ବପ୍ରସିଦ୍ଧ ପୁରୀ ପରେ ଦ୍ବିତୀୟ ବଡ଼ ରଥଯାତ୍ରା ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ହୋଇଥାଏ। କିନ୍ତୁ ଏହାର ପୂର୍ବ ପ୍ରସ୍ତୁତିକୁ ପୁରୀ ପ୍ରଶାସନ ଯେଭଳି ଗମ୍ଭୀରତାର ସହିତ ନେଇଥାଏ, ତାହା କେନ୍ଦ୍ରାପଡ଼ା ପ୍ରଶାସନ କ୍ଷେତ୍ରରେ ଏଥର ପରିଲକ୍ଷିତ ହେଲା ନାହିଁ। ଅତ୍ୟନ୍ତ ହାଲୁକା ଢଙ୍ଗରେ ବଳଦେବଜିଉଙ୍କ ରଥଯାତ୍ରାକୁ ପ୍ରଶାସନ ନେବାରୁ ପରମ୍ପରା ମୁତାବକ ଦୁଇ ଦିନ ପରିବର୍ତ୍ତେ ଗୁଣ୍ତିଚା ମନ୍ଦିରରେ ରଥ ପହଞ୍ଚିବାକୁ ଚାରି ଦିନ ଲାଗିଗଲା। ଏମିତି କାହିଁକି ହେଲା? ଏଥିପାଇଁ ଦାୟୀ କିଏ? ଏ ସବୁ ପ୍ରଶ୍ନର ଉତ୍ତର ଖୋଜିଲା ବେଳକୁ ଯେଉଁ କାରଣ ପଦାକୁ ଆସୁଛି, ତାହା ହେଉଛି ପ୍ରଶାସନର ବେପରୁଆ ମନୋଭାବ। ପୁରୀରେ ରଥଯାତ୍ରା ପାଇଁ ପ୍ରାୟ ଦେଢ଼ ମାସ ଆଗରୁ ପ୍ରସ୍ତୁତି ବୈଠକ ବସେ।

Advertisment

ରଥ ସମନ୍ବୟ ବୈଠକ ଜରିଆରେ ପୂଜାପଣ୍ତା, ପ୍ରତିହାରୀ, ଖୁଣ୍ଟିଆ, ଦଇତାପତି ଆଦି ଛତିଶାନିଯୋଗ ସହିତ ପ୍ରଶାସନ ବିଭିନ୍ନ ପର୍ଯ୍ୟାୟରେ ଏକାଧିକବାର ଆଲୋଚନା କରେ। ଖାସ୍‌ ସେଥିପାଇଁ ଧାର୍ଯ୍ୟ ସମୟ ପୂର୍ବରୁ ଏଥର ତିନି ରଥ ଶ୍ରୀଗୁଣ୍ତିଚା ମନ୍ଦିରରେ ଲାଗିଗଲା। ହେଲେ ଶ୍ରୀକ୍ଷେତ୍ର ପୁରୀ ପରେ ଦ୍ବିତୀୟ ବୃହତ୍‌ ରଥଯାତ୍ରା ତୁଳସୀକ୍ଷେତ୍ରରେ ହେଉଥିଲେ ବି କେନ୍ଦ୍ରାପଡ଼ା ପ୍ରଶାସନର ପ୍ରସ୍ତୁତି କିନ୍ତୁ ଏଥର ଏତେ ଦୁର୍ବଳ ଥିଲା ଯେ ତାହା ନ କହିବା ଭଲ। ଶ୍ରୀଗୁଣ୍ତିଚାର ମାତ୍ର ୧୨ଦିନ ଆଗରୁ ଏଥର ପ୍ରଶାସନ ପ୍ରସ୍ତୁତି ବୈଠକ ଡାକିଥିଲା। କେନ୍ଦ୍ରାପଡ଼ା ମ୍ୟୁନିସିପାଲ୍ଟି ଟାଉନ୍‌ ହଲ୍‌ରେ ଜୁନ୍‌ ୧୮ତାରିଖରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମକର୍ତା, ସେବାୟତଙ୍କ ପ୍ରତିନିଧି, ବିଭିନ୍ନ ବିଭାଗର ସରକାରୀ ଅଧିକାରୀଙ୍କ ସହିତ ଶାନ୍ତି କମିଟି ସଦସ୍ୟ ଏବ˚ ସହରର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ସେହିପରି ଦ୍ବିତୀୟ ସମୀକ୍ଷା ବୈଠକ ଜୁନ୍‌ ୨୯ତାରିଖରେ ଜିଲ୍ଲାପାଳଙ୍କ ଅଧୢକ୍ଷତାରେ ଇଚ୍ଛାପୁରସ୍ଥିତ ଯାତ୍ରୀ ନିବାସରେ ବସିଲା। ପରିମଳ ବ୍ୟବସ୍ଥା ଏବ˚ ଶାନ୍ତିଶୃଙ୍ଖଳାର ସହିତ ରଥଯାତ୍ରା ସ˚ପନ୍ନ ଉପରେ ଆଲୋଚନା ହେଲା। ହେଲେ ଯେଉଁ ମୌଳିକ ପ୍ରଶ୍ନଟି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି ରାଜ୍ୟର ଦ୍ବିତୀୟ ସର୍ବବୃହତ୍‌ ରଥଯାତ୍ରା ପ୍ରସ୍ତୁତି ବୈଠକ କାହିଁକି ୧୨ଦିନ ଆଗରୁ ବସିଲା। ଏହି ବୈଠକ ମାସକ ଆଗରୁ ବସିଥିଲେ ଅସୁବିଧା କେଉଁଠି ଥିଲା?

ପୁରୀରେ ଯେତେବେଳେ ରଥଯାତ୍ରା ପାଇଁ ଦେଢ଼ ମାସ ଆଗରୁ ଏକାଧିକବାର ବୈଠକ ବସୁଛି, ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା ହେଉଛି; ସେତେବେଳେ କେନ୍ଦ୍ରାପଡ଼ାରେ ମାତ୍ର ୧୨ଦିନ ଆଗରୁ ପ୍ରସ୍ତୁତି ବୈଠକ ଡାକିବା ପ୍ରଶାସନର ରଥଯାତ୍ରାକୁ ନେଇଥିବା ସମ୍ବେଦନଶୀଳତାକୁ ବୁଝାଉଛି। କେବଳ ସେତିକି ନୁହେଁ, ରଥ ଉପରେ ୧୫ରୁ ଅଧିକ ଚଢ଼ିବା ମନା ବୋଲି ଆରଏଣ୍ତ୍‌ବି ଫିଟନେସ୍‌ ସାର୍ଟିଫିକେଟ୍‌ ଦେଲା। ହେଲେ ରଥ ଉପରେ ସେବାୟତଙ୍କ ମିଶାଇ ଦୁଇ ଶହରୁ ଅଧିକଙ୍କୁ ଦେଖିବାକୁ ମିଳିଲା। ଶତାଧିକଙ୍କୁ ରଥ ଉପରେ ଚଢ଼ିବାକୁ କିଏ ଅନୁମତି ଦେଲା? କାହିଁକି ପ୍ରଶାସନ ଏହା ଉପରେ ରୋକ୍‌ ଲଗାଇଲା ନାହିଁ? କେବଳ ସେତିକି ନୁହେଁ, ବିଗତ ବର୍ଷଗୁଡ଼ିକରେ ରଥଯାତ୍ରା ପ୍ରସ୍ତୁତି ବୈଠକ ପ୍ରାୟ ମାସକ ଆଗରୁ ପ୍ରଶାସନ କରିଥିବାର ନଜିର‌୍‌ ରହିଛି। ବୈଠକରେ ଯେଉଁ ସବୁ ସମସ୍ୟା ଉପରେ ଆଲୋଚନା କରାଯାଏ, ହାତରେ ସମୟ ଥିବାରୁ ତାହାକୁ ସମାଧାନ କରାଯାଏ। ସେଥିପାଇଁ ପରମ୍ପରା ମୁତାବକ ଶ୍ରୀଗୁଣ୍ତିଚା ପରଦିନ ରଥ ଚକଡ଼ାରେ ଲାଗିଯାଏ। ମାତ୍ର ଏଥର ଯେଭଳି ବିଭ୍ରାଟ୍‌ ଦେଖାଦେଲା ଏବ˚ ଶ୍ରୀଗୁଣ୍ତିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ପହଞ୍ଚିବାକୁ ଚାରି ଦିନ ଲାଗିଗଲା, ତାହା ବିଗତ ୫୦ରୁ ଅଧିକ ବର୍ଷ ଭିତରେ କେବେ ହୋଇ ନଥିବା ବରିଷ୍ଠ ସେବାୟତ ପୂଜାପଣ୍ତା ନୃସି˚ହ ପ୍ରସାଦ ପତ୍ରୀ କହିଛନ୍ତି।

ତାଙ୍କ କହିବା କଥା ହେଉଛି ଯେ ରଥଦାଣ୍ତ କଚା ଥିବା ବେଳେ ଯଦି କେବେ ଏଭଳି ହୋଇଥିବ। ମାତ୍ର ଆମ ଅଭିଜ୍ଞତା ଭିତରେ କେବେ ରଥ ପହଞ୍ଚିବାକୁ ଚାରି ଦିନ ଲାଗି ନାହିଁ। କାହିଁକି ଏଭଳି ବିଭ୍ରାଟ୍‌ ଉପୁଜିଲା ଏବ˚ ଏଥିପାଇଁ ଦାୟୀ କିଏ, ତାର ଏକ ଉଚ୍ଚସ୍ତରୀୟ ତଦନ୍ତ ଜିଲ୍ଲାପାଳଙ୍କ ଅଧୢକ୍ଷତାରେ କରାଯାଇ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ପତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ରଥ ଫସିବାକୁ ନେଇ ଜିଲ୍ଳାପାଳ ଗଣମାଧୢମକୁ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି, ତାହା ସମସ୍ତଙ୍କୁ ତାଜୁବ୍‌ କରିଛି। ଜିଲ୍ଲାପାଳ କହିଛନ୍ତି ସବୁ ପ୍ରଭୁଙ୍କ ଇଚ୍ଛା। ତାଙ୍କ ଇଚ୍ଛା ବିନା ପତ୍ରଟିଏ ବି ହଲେ ନାହିଁ। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଯଦି ସବୁ ପ୍ରଭୁଙ୍କ ଇଚ୍ଛା, ତା'ହେଲେ ଏତେ ସବୁ ପ୍ରସ୍ତୁତି ବୈଠକ, ସେବାୟତଙ୍କ ସହିତ ଆଲୋଚନାର ଆବଶ୍ୟକତା କାହିଁକି ରହିଛି? ଠାକୁରଙ୍କ ଲୀଳା କହି ଦାୟିତ୍ବ ଖସାଇଦେବାକୁ ଯେତେ ଉଦ୍ୟମ କଲେ ବି ପ୍ରଶାସନର ଚରମ ଅପାରଗତା, ପରିଚାଳନାଗତ ତ୍ରୁଟି ଏବ˚ ସମନ୍ବୟର ଅଭାବ ପାଇଁ ଯେ ମହାପ୍ରଭୁ ମଝିଦାଣ୍ତରେ ଅଧିକ ଦୁଇ ଦିନ ଫସି ରହିଲେ, ତାହା ଆଉ ବୁଝିବାକୁ ବାକି ନାହିଁ।