ଛତିଶଗଡ଼ ସୀମା ସିଲ୍, ଯାଞ୍ଚ କଡ଼ାକଡ଼ି: ବସ ଓ ଅନ୍ୟ ପରିବହନ ସେବା ବନ୍ଦ

ସୁନ୍ଦରଗଡ଼: କରୋନାର ଦ୍ବିତୀୟ ଲହର ଆସିବା ପରେ ସଙ୍ଗୀନ ସ୍ଥିତିକୁ ଚାଲିଯାଇଛି ଛତିଶଗଡ଼। ଛତିଶଗଡ଼ ସୀମାକୁ ଲାଗି ରହିଥିବା ସୁନ୍ଦରଗଡ଼କୁ ସଂକ୍ରମଣ ମାଡ଼ି ଆସିଥିବାବେଳେ ଜିଲ୍ଲାରେ ଏହା ବେଲଗାମ ହୋଇପଡ଼ିଛି। ଏହା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ଗତ ୧୨ ଦିନ ମଧ୍ୟରେ ଜିଲ୍ଲାରେ ୧୮୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ ୧୮୦୨ ଏବେ ମଧ୍ୟ ସକ୍ରିୟ ରହିଛି। ରାଜ୍ୟ ସରକାର ଜିଲ୍ଲାରସ୍ଥିତିକୁ ଦେଖି ରେଡ୍ ଜୋନ୍ ଘୋଷଣା କରିବା ସହ ଛତିଶଗଡ଼ ଓ ଝାରଖଣ୍ଡ ସୀମାରେ ଯାଞ୍ଚ କଡ଼ାକଡ଼ି କରିବା ଓ ଉଭୟ ରାଜ୍ୟକୁ ବସ୍ ଓ ଅନ୍ୟ ପରିବହନ ସେବା ବନ୍ଦ ନିର୍ଦ୍ଦେଶ ଦେବା ପରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସ ତତ୍ପର ହୋଇଉଠିଛି।

ବାଲିଶଙ୍କରା ବ୍ଲକ୍ ଛତିଶଗଡ଼ ସୀମା ତେଲିଯୋରକୁ ସିଲ୍ କରି ଦିଆଯାଇଥିବା ବେଳେ ବସ୍ ଓ ଅନ୍ୟ ଗାଡ଼ିଗୁଡ଼ିକୁ ଜିଲ୍ଲା ଭିତରକୁ ପଶିବାକୁ ଦିଆଯାଉ ନଥିବା ଓ ଏଠାରୁ ଛତିଶଗଡ଼ ଯାଉଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଫେରାଇ ଦିଆଯାଉଥିବା ଦେଖାଯାଇଛି। ସୀମାରେ ୧ ପ୍ଲାଟୁନ୍ ପୁଲିସ ବଳ ସହ ତଳସରା ପୁଲିସ ଓ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଉଛି। ଜରୁରୀ କାର୍ଯ୍ୟରେ ଯାଉଥିବା ବା ଆସୁଥିବା ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ସୁସ୍ଥ ଲୋକଙ୍କୁ ଛଡ଼ାଯାଉଥିବା ଓ ସାମାନ୍ୟ ଅସୁସ୍ଥ ଥିଲେ ଫେରାଇ ଦିଆଯାଉଛି। ଆଜି ସକାଳୁ ସୁନ୍ଦରଗଡ଼ ଏସପି ସାଗରିକା ନାଥ ସୀମାକୁ ଯାଇ ଯାଞ୍ଚ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଯାଞ୍ଚକୁ ଅଧିକ କଡ଼ାକଡ଼ି କରିବାକୁ ସ୍ଥାନୀୟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ କେବେଳ ମୁଖ୍ୟ ରାସ୍ତା ନୁହେଁ, ଛତିଶଗଡ଼ରୁ ସୁନ୍ଦରଗଡ଼ ଜିଲ୍ଲାକୁ ପଶିବା ପାଇଁ ବହୁ ଜଙ୍ଗଲି ବାଟ ରହିଥିବାରୁ ତା’ରି ଉପରେ ନଜର ରଖିବାକୁ ସେ ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ଛତିଶଗଡ଼ରେ ସଂକ୍ରମଣ ବଢ଼ିବା ପରେ ସୀମାନ୍ତ ବାଲିଶଙ୍କରା, ଲେଫ୍ରିପଡା ଓ ହେମଗିର ବ୍ଲକର ଅଧିବାସୀଙ୍କୁ ଅଧିକ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ନିବେଦନ କରିଥିଲା। ପ୍ରଥମେ ବାଲିଶଙ୍କରା ବ୍ଲକର ବନଡେଗା, ଲୁଲକିଡିହି ଅଂଚଳ ହଟସ୍ପଟ ପାଲଟିଥିବା ବେଳେ ପରବର୍ତ୍ତୀ ସମୟରେ ଜିଲ୍ଲାର ସମସ୍ତ ଅଂଚଳରୁ ସଂକ୍ରମିତ ଚିହ୍ନଟ ହୋଇଥିଲେ। ପ୍ରଶାସନ ଆରଟିପିସିଆର୍ ପରୀକ୍ଷାକୁ ଗୁରୁତ୍ଵ ଦେଇଥିଲେ। ଜିଲ୍ଲାର ସ୍ଥିତି ବିଗିଡ଼ିବା ପରେ ଓଡ଼ିଶା ଉନ୍ନୟନ ଆୟୁକ୍ତ ପ୍ରଦୀପ ଜେନା, ସୁନ୍ଦରଗଡ଼ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ ନିକୁଞ୍ଜ ବିହାରୀ ଧଳ ସୁନ୍ଦରଗଡ଼ ଆସି କୋଭିଡ ସ୍ଥିତିର ସମୀକ୍ଷା କରିଥିଲେ। ସଂକ୍ରମଣ ରୋକିବାକୁ ନାଇଟକର୍ଫ୍ୟୁ, ପୁଲିସର ସ୍ଵତନ୍ତ୍ର ମାକ୍ସ ଯାଞ୍ଚ ଅଭିଯାନ ସତ୍ତ୍ବେ ବଢିଚାଲିଛି ସଂକ୍ରମଣ। ଜିଲ୍ଲାରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢୁଥିବାରୁ ପୂର୍ବରୁ ବନ୍ଦ ଥିବା ସଙ୍ଗରୋଧ କେନ୍ଦ୍ର ତଥା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ସବୁ ପ୍ରସ୍ତୁତ ରଖିବାମକୁ ଜିଲ୍ଲାପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି।

ବର୍ତ୍ତମାନ ଚିହ୍ନଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ରାଉରକେଲା ଆଖପାଖ ଅଞ୍ଚଳର ହୋଇଥିବାରୁ ରାଉରକେଲା ମହାନଗର ନିଗମ ପକ୍ଷରୁ ସହରର ସମସ୍ତ ଉଦ୍ୟାନ ବନ୍ଦ କରି ଦିଆଯାଇଛି। ବିଶ୍ରା ଓ ବନ୍ଧମୁଣ୍ଡା ଅଞ୍ଚଳରେ ସଂକ୍ରମଣ ବଢିଥିବାରୁ ଆବଶ୍ୟକ ପଡ଼ିଲେ ଏ ଅଞ୍ଚଳକୁ ଅବରୋଧ ଅଞ୍ଚଳ (କଣ୍ଟେନମେଣ୍ଟ ଜୋନ୍) ଘୋଷଣା କରାଯିବ ବୋଲି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି। ଲୋକଙ୍କ ସୁବିଧା ପାଇଁ ପରୀକ୍ଷା କେନ୍ଦ୍ର ବଢ଼ାଯାଇଥିବା ବେଳେ ଟିକା ନେବାକୁ ଅନୁରୋଧ କରିଛନ୍ତି ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡ.ସରୋଜ କୁମାର ମିଶ୍ର। ଏହା ସତ୍ତ୍ବେ ଅମାନିଆ ହେଉଥିବା ଲୋକଙ୍କୁ କାବୁ କରିବା ପାଇଁ ପୁଲିସ, ପ୍ରଶାସନ ଠୋସ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର