ରାୟଗଡା: ରାୟଗଡାସ୍ଥିତ ବୈଠକ ଗୃହରେ ଜିଲ୍ଲା ବିଜେପି ତରଫରୁ ସ୍ଥାନୀୟ ବରିଷ୍ଠ ନାଗରିକ,ବ୍ୟବସାୟୀ ଏବଂ ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲା ବିଜେପିର ସଭାପତି ଶିବ ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଛତିଶଗଡର ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ବିଧାୟକ ଧର୍ମପାଲ କୌଶିକ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ। ଜିଏସଟି ବିଲ ଆଣିବା ଠାରୁ ଆରମ୍ଭ କରି ୩୭୦ ହଟାଇବା,ରାମ ମନ୍ଦିର ନିର୍ମାଣ କରିବା ସହ ବହୁ ଉନ୍ନୟନମୂଳକ କାର୍ଯ୍ୟର ଚିଠା ପ୍ରଦାନ କରିଥିଲେ। ଗରିବ ଲୋକଙ୍କ ପାଇଁ ମୋଦୀ ଉଜ୍ବଳା ଯୋଜନା ଆଣିଥିବାବେଳେ ଦେଶର ୯ କୋଟି ଲୋକ ଉଜ୍ବଳା ଯୋଜନାରେ ସାମିଲ ହୋଇଥିବାବେଳେ ୪ କୋଟି ଲୋକ ଆବାସ ଯୋଜନାରେ ସାମିଲ ହୋଇଥିବା କହିଥିଲେ। ନରେନ୍ଦ୍ର ମୋଦୀଙ୍କର ବିଜୟଗାଥା କେବଳ ବଖାଣିଥିଲେ ବିଧାୟକ ଶ୍ରୀ କୌଶିକ। ତେବେ ବିଜେପି କିନ୍ତୁ ପ୍ରାକ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଥିବା ଏଥିରୁ ହୃଦୟଙ୍ଗମ କରାଯାଇପାରୁଥିଲା।
ଆଜି ରାୟଗଡା ଆସିବା ପୂର୍ବରୁ ଟିକିରି ଠାରେ ମଧ୍ୟ ଶ୍ରୀ କୌଶିକ ପହଞ୍ଚି ଲୋକଙ୍କୁ ସମ୍ବର୍ଦ୍ଧିତ କରି ନରେନ୍ଦ୍ର ମୋଦୀଙ୍କ ବିକାଶର ଗାଥାକୁ ପ୍ରଚାର କରିଥିଲେ। ପ୍ରାୟ ଦେଶର ୩୦୦ ବିଧାୟକ ଏଭଳି ନିଜର ପଡୋଶୀ ରାଜ୍ୟମାନଙ୍କୁ ଯାଇ ନରେନ୍ଦ୍ର ମୋଦୀଙ୍କ ବିକାଶର କଥାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ରାଷ୍ଟୀୟ ବିଜେପି ତରଫରୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି। ସାଧାରଣ ନିର୍ବାଚନକୁ ଆଉ କିଛି ମାସ ରହିଥିବା ବେଳେ ବିଜେପି ଏଥର ମଧ୍ୟ ବିଜୟଧାରକୁ ହାତଛଡା କରିବାକୁ ଚାହୁଁନଥିବା ଦେଖିବାକୁ ମିଳିଥିଲା। ଲୋକେ ଯେପରି କେବଳ ବିଜେପିକୁ ହିଁ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ବୋଲି ଏହି ବୈଠକରେ ଜଣାପଡୁଥିଲା। ଏହି ପ୍ରଚାର ଆଗାମୀ ଦିନରେ କି ପ୍ରକାର ପ୍ରଭାବ ପକାଇବ ଦେଖିବାକୁ ବାକି ରହିଲା। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂଜୟ ପାଣ୍ଡେ,କାଳୀରାମ ମାଝି,ସୁମନ୍ତ ପ୍ରଧାନ,ରାମ ଚନ୍ଦ୍ର ବେହେରା,ବସନ୍ତ ଉଲାକା ପ୍ରମୁଖ ଉପସ୍ଥିତ ଥିଲେ।