ଛତିଶଗଡ଼କୁ ଧାନ ଚୋରା ଚାଲାଣ, ଦୁଇଟି ସ୍ଥାନରେ ସ୍କ୍ବାଡର ଚଢ଼ଉ, 

୧୨୩୭ ବସ୍ତା ଧାନ ଜବତ, ଦଲାଲ ଅଟକ

ନୂଆପଡ଼ା: ଛତିଶଗଡ଼ ରାଜ୍ୟକୁ ଧାନ ‌ଚୋରା ଚାଲାଣ କରୁଥିବା ବେଳେ ନୂଆପଡ଼ା ସ୍କ୍ବାଡ୍‌ ଦୁଇଟି ସ୍ଥାନରେ ଚଢ଼ଉ କରି ୧୨୩୫ ବସ୍ତା ଧାନ ଜବତ କରିଛି ବୋଲି ନୂଆପଡ଼ା ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଜଣେ ଦଲାଲଙ୍କୁ ମଧ୍ୟ ଅଟକ ରଖାଯାଇଛି। ଯୋଗାଣ ଅଧିକାରୀଠାରୁ ମିଳିଥିବା ସୂଚନା ଅନୁସାରେ, ଛତିଶଗଡ଼କୁ ଧାନ ଚୋରା ଚାଲାଣ ହେଉଥିବା ଖବର ପାଇ ଜିଲ୍ଲାପାଳ ସ୍ବାଧାଦେବ ସିଂହ ଚଢ଼ଉ ନିର୍ଦେଶ ଦେଇଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀଙ୍କ ତତ୍ତ୍ବାବଧାନରେ ଚଢ଼ଉ ହୋଇଥିଲା।
ନୂଆପଡ଼ା ବ୍ଲକ୍‌ ବୋଇରଭାଡ଼ି ଗାଁର ଦଲାଲ ତ୍ରିନାଥ ସାହୁଙ୍କ ଗୋଦାମରେ ରଖିଥିବା ୭୧୧ ବସ୍ତା (୨୯୯ କୁଇଣ୍ଟାଲ ୧୦କେଜି) ଧାନ କରାଯାଇଥିଲା। ସେହିପରି ଗତ ୧୯ ତାରିଖ ରାତି ୧୦ଟାରେ ସିନାପାଲି ପୁଲିସ ପାଟ୍ରୋଲିଂ ସମୟରେ ସିଜି ୧୫ ଏଟି ୦୮୪୮ ନମ୍ବରଥିବା ଧାନଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ି ଚାଳକ ମୁକ୍ତିଶ୍ବର ନାଗେଶ ମାଳୀ ୫୨୪ ବସ୍ତା ଧାନ ନେଇ ଛତିଶଗଡ଼ ଯାଉଥିବା ଜଣାପଡ଼ିଥିଲା। ଯୋଗଣ ବିଭାଗ ଏହି ଧାନକୁ ଜବତ କରିଥିଲା। ଏଥିରେ ୨୨୯ କ୍ବିଣ୍ଟାଲ ୪୪ କେଜି ଧାନ ରହିଥିଲା।
ବୋଇରଭାଡ଼ିରେ ଚଢ଼ଉ ସମୟରେ ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀ, ନୂଆପଡ଼ା ଯୋଗାଣ ନିରୀକ୍ଷକ ନବୀନ ବାଗ, ଅତିରିକ୍ତ ତହସିଦାର ଲୋଚନ ଶବର ଉପସ୍ଥିତଥିଲେ। ସେପରି ସିନାପାଳି ଚଢ଼ଉରେ ଅତିରିକ୍ତ ଯୋଗାଣ ଅଧିକାରୀ ଥଣ୍ଡୁରାମ ନାଏକ, ସିନାପ‌ାଲି ଯୋଗାଣ ନିରୀକ୍ଷକ ଅଲେଖ ମହିମା ଭ‌ୋଇ ଉପସ୍ଥିତଥିଲେ। ସୂଚନାଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲାରେ ନଭେମ୍ବର ଶେଷ ହେବାକୁ ଯାଉଥିଲେ ମଧ୍ୟ ଠିକ୍ ଭାବରେ ମଣ୍ଡି ଖୋଲି ନାହିଁ। ଚାଷୀମାନେ ବାଧ୍ୟ ହୋଇ କମ୍‌ ଦରରେ ଦଲାଲମାନଙ୍କୁ ଧାନ ଦେଇଦେଉଛନ୍ତି।
ସମ୍ବନ୍ଧିତ ଖବର