ହାଇକୋର୍ଟଙ୍କ ନିର୍ଦ୍ଦେଶର ସାଢ଼େ ୨ବର୍ଷ ପରେ ବି ସମାଧାନ ହୋଇପାରୁନି ଚାଉଲଟ୍ରୀ ଷ୍ଟଲ ବିବାଦ

ଜୟପୁର: ଦୈନିକ ବଜାର ପାର୍ଶ୍ବରେ ଥିବା ଚାଉଲଟ୍ରୀ ଲାଇନରେ ଥିବା କେଲ୍ଲାପରିବାରର ଧର୍ମଶାଳା ଏବଂ ଷ୍ଟଲ ବିବାଦକୁ ନେଇ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେବାର ସାଢ଼େ ୨ବର୍ଷ ପରେ ବି ପୌରପାଳିକା ଓ କେଲ୍ଲାପରିବାର ମଧ୍ୟରେ ବୁଝାମଣା ଅଭାବରୁ ଏହା କାର୍ଯ୍ୟକାରୀ ହୋଇପାରୁନି। ଅନ୍ୟ ପକ୍ଷରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ୮ଟି ଷ୍ଟଲ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ଭୁତକୋଟି ପାଲଟିଛି। ଏଠାରେ ଲତାବୁଦା ଉଠିବା ସହ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି।

ମିଳିଥିବା ସୂଚନା ମୁତାବକ, ସହରର ପ୍ରତିଷ୍ଠିତ ବ୍ୟବସାୟୀ କେଲ୍ଲା ପରିବାର ପକ୍ଷରୁ ଚାଉଲଟ୍ରୀ ରୋଡ଼ରେ ଗୋଟିଏ ଧର୍ମଶାଳା କରିଥିଲେ। ଜୟପୁରକୁ ଆସୁଥିବା ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଲୋକେ ସ୍ବଳ୍ପ ମୂଲ୍ୟରେ ଏଠାରେ ରୁମ ନେଇ ରହୁଥିଲେ। ଧିରେ ଧିରେ ଏହି ପରିବାର ଏହାର ପରିଚାଳନା ଦାୟିତ୍ବ ପୌରପାଳିକାକୁ ହସ୍ତାନ୍ତର କରିଥିଲେ। ତେବେ ପୌରପାଳିକା ପକ୍ଷରୁ ବି ଏହାକୁ ଠିକ୍ ଭାବେ ପରିଚାଳନା କରି ପାରିନଥିଲେ। ପରେ ତତ୍କାଳୀନ ପାରିଷଦମାନେ ଏଠାରେ ଷ୍ଟଲ ନିର୍ମାଣ କରି ଭଡାସୂତ୍ରରେ ଦେବାକୁ ଯୋଜନା କରିଥିଲେ।

ତଳ ମହଲାରେ ଷ୍ଟଲ ଏବଂ ଷ୍ଟଲର ୨ୟ ମହଲାରେ ଧର୍ମଶାଳା ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା। ୨ୟ ମହଲାରେ ଧର୍ମଶାଳା କରିବାକୁ କେଲ୍ଲାପରିବାରବର୍ଗ ପକ୍ଷରୁ ବିରୋଧ କରି ମାନ୍ୟବର ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ସାଢ଼େ ଦୁଇ ବର୍ଷ ତଳେ ମାନ୍ୟବର ହାଇକୋର୍ଟ ଏହି ମାମଲାକୁ ନେଇ ରାୟ ପ୍ରକାଶ କରିଥିଲେ। କେଲ୍ଲାପରିବାର ଏବଂ ପୌରପାଳିକାକୁ ଅଧା ଲେଖାଏଁ ଏହାକୁ ବାଣ୍ଟି ନେବାକୁ ନିର୍ଦେଶ ଦେଇଥିଲେ। ତେବେ ପରିବାରର ସଦସ୍ୟମାନେ ଏଥିରୁ ଅଧା ସ୍ଥାନରେ ଧର୍ମଶାଳା ଏବଂ ଅଧାସ୍ଥାନରେ ଷ୍ଟଲ କରିବାକୁ କହିଥିଲେ। ତେବେ ଅଧାସ୍ଥାନରେ ଷ୍ଟଲ କରାଗଲେ , ଗୋଟିଏ ଉପରେ ଗୋଟିଏ କରିବାକୁ ପଡ଼ିବ। ଏବଂ ଉପର ଷ୍ଟଲ ଗୁଡିକ କେହି ନେବେ ନାହିଁ। ଏବଂ ଏହା ଖାଲି ପଡ଼ିବ। ଏଣୁ ତଳେ ଷ୍ଟଲ ଏବଂ ଉପରେ ଧର୍ମଶାଳା କରିବାକୁ ପୌରପାଳିକା ପକ୍ଷରୁ ପ୍ରସ୍ତାବ ଦେଇଥିଲେ।

କେଲ୍ଲା ପରିବାର ପୌରପାଳିକା ଦେଇଥିବା ପ୍ରସ୍ତାବରେ ରାଜି ହୋଇ ନଥିଲେ। ଫଳସ୍ବରୁପ ଗତ ସାଢ଼େ ୨ବର୍ଷ ହେବ ଏହି ମାମଲାର ସମାଧାନ ହୋଇ ନ ପାରି ସେଭଳି ପଡ଼ିରହିଛି। ଗତ କାଲି ଉପଜିଲ୍ଲାପାଳ ତଥା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ, ବିଧାୟକ ତାରା ପ୍ରସାଦ ବାହିନୀପତି ସହରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ସ୍ଥାନ ପରିଦର୍ଶନରେ ବୁଲୁଥିବା ବେଳେ ଏହାକୁ ଦେଖିଥିଲେ। କେଲ୍ଲା ପରିବାର ସହ ଆଲୋଚନା କରି ଏହାର ସମାଧାନ କରିବେ ବୋଲି କହିଛନ୍ତି ବିଧାୟକ ଶ୍ରୀ ବାହିନୀପତି । କିଭଳି ଏହାର ଆଶୁ ସମାଧାନ ହୋଇ ପାରିବ ସେ ଦିଗରେ ବିଧାୟକ ପ୍ରୟାସ କରନ୍ତୁ ବୋଲି ଉପଜିଲ୍ଲାପାଳ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦୀର୍ଘ ୧୦ବର୍ଷ ହେବ ଦେଖାଦେଇଥିବା ଏହି ବିବାଦର ଅନ୍ତ କିଭଳି ହେଉଛି ଏବଂ ସହର ମଧ୍ୟରେ ଥିବା ଏହି ଷ୍ଟଲଗୁଡିକ କେବେ ଖୋଲୁଛି ତାହା ସମୟ ହିଁ କହିବ।

ସମ୍ବନ୍ଧିତ ଖବର