କୋଭିଡ଼ ଗାଇଡ଼ଲାଇନ ଅନୁଯାୟୀ ହେବ ଚଉଷଠୀ ଯୋଗିନୀ ମହୋତ୍ସବ , ପର୍ଯ୍ୟଟନ ବିଭାଗକୁ ଜିଲ୍ଲାପାଳଙ୍କ ଚିଠି

ବାଲିଅନ୍ତା: ବାଲିଅନ୍ତା ବ୍ଲକ ହୀରାପୁର ସ୍ଥିତ ଚଉଷଠୀ ଯୋଗିନୀ ମହୋତ୍ସବ ନେଇ ଏବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଯୋଗିନୀ ମହୋତ୍ସବ ଆୟୋଜନ କରୁଥିବା ନୃତ୍ୟ ପ୍ରତିଭା ପକ୍ଷରୁ ଏନେଇ ପ୍ରସ୍ତୁତି ଚାଲିଛି । ପ୍ରତିବର୍ଷ ଡିସେମ୍ବର ୨୩ , ୨୪ ଓ ୨୫ ତାରିଖ ୩ ଦିନ ଧରି ପୀଠ ପରିସରରେ ଥିବା କଳାମଣ୍ଡପରେ ମନୋରଞ୍ଜନ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ହୋଇଥାଏ । ପୂର୍ବବର୍ଷ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଦୁଇଟି ପ୍ରସ୍ତୁତି ବୈଠକ ସରିଥିବା ବେଳେ ଏବର୍ଷ ମହାମାରୀ କରୋନା କଟକଣା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ବସିବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି । ନୃତ୍ୟ ପ୍ରତିଭାର ସଂପାଦିକା ପ୍ରତିଭା ପଣ୍ଡାଙ୍କ ସୂଚନାନୁଯାୟୀ ଏଯାଏଁ ଚଉଷଠୀ ଯୋଗିନୀ ପୀଠ ଖୋଲାଯାଇ ନାହିଁ । ଚଳିତ ବର୍ଷ କୋଭିଡ଼ ନିୟମ ଅନୁଯାୟୀ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ହେବ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି,ମଞ୍ଚରେ କେବଳ ଓଡ଼ିଶାର ନୃତ୍ୟ ଶିଳ୍ପୀମାନଙ୍କୁ କଳା ପରିବେଷଣର ସୁଯୋଗ ମିଳିବ । ରାଜ୍ୟ ବାହାର କିମ୍ବା ବିଦେଶୀ ନୃତ୍ୟଶିଳ୍ପୀମାନଙ୍କୁ ଆମନ୍ତ୍ରଣ କରାଯିବ ନାହିଁ । କୋଭିଡ଼ ନିୟମ ଯୋଗୁ ରୋଜଗାର ହରାଇଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାର କଳାକାରମାନେ ନୃତ୍ୟ ପରିବେଷଣ କରିବାର ପ୍ରସ୍ତାବ ରହିଛି । କଳାହାଣ୍ଡି , ସମ୍ବଲପୁର , ବଲାଙ୍ଗୀର , ବରଗଡ଼ , ବାଲିପାଟଣା , ଖୋର୍ଧା ଆଦି ସ୍ଥାନୀୟ ଅଞ୍ଚଳର କଳାକାରମାନଙ୍କୁ କଳା ପରିବେଷଣର ସୁଯୋଗ ମିଳିବ । ଏନେଇ ନୃତ୍ୟ ପ୍ରତିଭା ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି । ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମହୋତ୍ସବ ଲାଗି ସବୁଜ ସଙ୍କେତ ମିଳିସାରିଛି । ଜିଲ୍ଲା ପ୍ରଶାସନ ଏନେଇ ପର୍ଯ୍ୟଟନ ବିଭାଗକୁ ଚିଠି ମଧ୍ୟ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର