ବନ୍ଦ ହେବ ଚଉଷଠୀ ଯୋଗିନୀ ମହୋତ୍ସବ, ମିଳୁନି ଜିଲ୍ଲାପାଳଙ୍କ ଅନୁମତି

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ହୀରାପୁର ସ୍ଥିତ ଚଉଷଠୀ ଯୋଗିନୀ ଚତୁର୍ଦ୍ଦଶ ମହୋତ୍ସବ ଆଉ ମାତ୍ର ଦୁଇ ଦିନ ସମୟ ବାକିଥିବା ବେଳେ ଆୟୋଜକ ଓ ବିରୋଧୀଙ୍କ ମଧ୍ୟରେ ଉପୁଜିଥିବା ଗୋଷ୍ଠୀ ବିବାଦର ସମାଧାନ ହୋଇପାରିନି । ସେନେଇ ଖୋର୍ଧା ଜିଲ୍ଲାପାଳ ମହୋତ୍ସବ ଆୟୋଜନ ଲାଗି ଅମୁମତି ପ୍ରଦାନ କରୁନଥିବା ଜଣାପଡ଼ିଛି । କୋଭିଡ଼ ଆଳରେ ଜିଲ୍ଲା ପ୍ରଶାସନ ମହୋତ୍ସବ ଆୟୋଜନକୁ ବନ୍ଦ କରିବା ପାଇଁ ବିରୋଧୀ ଗୋଷ୍ଠୀ ଷଡ଼ଯନ୍ତ୍ର ଚଳାଇଥିବା କୁହାଯାଉଛି ।

ବିରୋଧୀ ରାଜନୈତିକ ବ୍ୟକ୍ତି ବିଶେଷ ପ୍ରଶାସନ ଉପରେ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି । ନିକଟରେ ଆନ୍ତର୍ଜାତିକ କୋଣାର୍କ ମହୋତ୍ସବ ଶେଷ ହୋଇଥିବା ବେଳେ ଭୁବନେଶ୍ବରରେ କିଛି ଐତିହ୍ୟ ସ୍ଥଳୀରେ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ତେଣୁ ଜିଲ୍ଲା ପ୍ରଶାସନ ସମଦୃଷ୍ଟି ପୂର୍ବକ ଚଉଷଠୀ ଯୋଗିନୀ ମହୋତ୍ସବ ଲାଗି ଅନୁମତି ପ୍ରଦାନ କରୁ ବୋଲି ଦାବି ହେଉଛି । ଏଭଳି ସ୍ଥିତିରେ ଏବର୍ଷ ଚଉଷଠୀ ଯୋଗିନୀ ମହୋତ୍ସବ ବନ୍ଦ ହେବାର ଯଥେଷ୍ଟ ଆଶଙ୍କା ଦେଖାଦେଇଛି । ଅପରପକ୍ଷରେ ଆୟୋଜକ ନୃତ୍ୟ ପ୍ରତିଭା ଅନୁଷ୍ଠାନ ସଂପାଦିକା ପ୍ରତିଭା ପଣ୍ଡା ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ୧୩ ବର୍ଷ ମହୋତ୍ସବ ଅନୁଦାନ ଟଙ୍କା ଖର୍ଚ୍ଚରେ କୌଣସି ଅନିୟମିତତା ହୋଇନଥିବା କହିଛନ୍ତି ।

ବାର୍ଷିକ ଅଡ଼ିଟ ଜରିଆରେ ଶାସ୍ତ୍ରୀୟ କାର୍ଯ୍ୟକ୍ରମ ପରିଚାଳନରେ ସ୍ବଚ୍ଛତା ବଜାୟ ରଖା ଯାଇଥିବା କହିଛନ୍ତି । କିଛି ଜନ ପ୍ରତିନିଧି ବିଭିନ୍ନ ଫୋରମରେ ଏନେଇ ତାଙ୍କୁ ଅପମାନ କରିଥିବା ଜଣାଇଛନ୍ତି । ଏବର୍ଷର ମଞ୍ଚ କୋଭିଡ଼ କଟକଣା ସମୟରେ ହାତ ବାନ୍ଧି ବସିଥିବା ସ୍ଥାନୀୟ କଳାକାରଙ୍କ କଳା ପ୍ରଦର୍ଶନ ଲାଗି ସ୍ଥିର ହୋଇଥିଲା । ୨୦ଟି ଦଳର କଳାକାର କଳା ପରିବେଷଣ ନେଇ ଡକାଯାଇଥିଲା । ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଭା ଅନୁଷ୍ଠାନର ସଭାପତି ପ୍ରତିଭା ପଣ୍ଡା , ଉପ ସଭାପତି ବଙ୍କିମ ଚନ୍ଦ୍ର ନାୟକ ଓ ରୁନା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକଙ୍କ ସମର୍ଥିତ କୁହାଯାଉଥିବା ଏକ ଗୋଷ୍ଠୀ ଜିଲ୍ଲାପାଳଙ୍କ ବିନା ସ୍ବୀକୃତିରେ ମହୋତ୍ସବ ନେଇ ପ୍ରସ୍ତୁତି ଚଳାଇଥିଲା । ଗିତକାଲି ପୁଲିସ ସେମାନଙ୍କ ନିକଟରେ ପହଞ୍ଚି ବାରଣ କରିଥିବା ସୂଚନା ମିଳିଛି । ଗଣ୍ଡଗୋଳ ଆଶଙ୍କାରେ ଆଜି ପୀଠରେ ସାମ୍ବାଦିକ ସମ୍ମିଳନୀ ବେଳେ ବାଳକାଟି ଫାଣ୍ଡି ପୁଲିସ ପହଞ୍ଚିଥିଲା । କିଛି ବ୍ୟକ୍ତି ବିଶେଷ ପାଟିତୁଣ୍ଡ କରିଥିଲେ । ସୂଚନାଯୋଗ୍ୟ ଦୀର୍ଘ ୧୩ ବର୍ଷ ହେଲା ନିରବଚ୍ଛିନ୍ନ ଭାବେ ଡିସେମ୍ବର ୨୩ , ୨୪ ଓ ୨୫ ତାରିଖ ୩ ଦିନ ଧରି ମହୋତ୍ସବ ଅନୁଷ୍ଠିତ ହୋଇଥାଏ ।

ସମ୍ବନ୍ଧିତ ଖବର