୧୦ ମାସ ପରେ ଖୋଲିଲା ଚଉଷଠୀ ଯୋଗିନୀ ପୀଠ

ବାଲିଅନ୍ତା: କୋଭିଡ଼-୧୯ କଟକଣା ଯୋଗୁ ଦୀର୍ଘ ୧୦ ମାସ ଧରି ବନ୍ଦ ପଡ଼ିଥିବା ସ୍ଥାନୀୟ ହୀରାପୁର ଗ୍ରାମ ସ୍ଥିତ ଚଉଷଠୀ ଯୋଗିନୀ ପୀଠ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଖୋଲାଯାଇଛି । ସ୍ଥାନୀୟ ପ୍ରଶାସନ ଅନୁମତିକ୍ରମ‌େ ଆଜି ପ୍ରତ୍ୟୁଷରେ ପୀଠ ସର୍ବ ସାଧାରଣଙ୍କ ପ୍ରବେଶ ଲାଗି କଟକଣାମୁକ୍ତ ହୋଇଥିଲା । ଫଳରେ ଦେବୀ ମହାମାୟାଙ୍କ ଦର୍ଶନ ଲାଗି ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ରାଜ୍ୟ ପ୍ରତ୍ନତତ୍ବ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟ ଗେଟ ଖୋଲିଥିଲା।

ମନ୍ଦିର ଖୋଲାଯିବା ସମୟରେ ପୂଜକ, ମାଳି ଓ ଅନ୍ୟାନ୍ୟ ସେବାୟତ ବର୍ଗ ଉପସ୍ଥିତ ଥିଲେ ।  ଦାୟିତ୍ବରେ ଥିବା ଟ୍ରଷ୍ଟ ଓ ପ୍ରତ୍ନତତ୍ବ ବିଭାଗ କର୍ମଚାରୀ ମା’ଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ସଚେତନ କରାଇଥିଲେ । ଶ୍ରଦ୍ଧାଳୁମାନଙ୍କ ମୁଁହରେ ମାସ୍କ ଯାଞ୍ଚ କରାଯିବା ସହ ହାତ ସାନିଟାଇଜ କରାଯାଇ ଭିତରକୁ ଛଡ଼ା ଯାଇଥିଲା । ମୁହଁରେ ମାସ୍କ ନଥିବା ଶ୍ରଦ୍ଧାଳୁଙ୍କୁ ମା’ଙ୍କ ଦର୍ଶନ ‌ପାଇଁ ସୁଯୋଗ ମିଳିନଥିଲା ।

ଆଜି ଦିନରେ ସ୍ଥାନୀୟ ଅଞ୍ଚଳର  ପ୍ରାୟ ୨୦୦୦ ଶ୍ରଦ୍ଧାଳୁ ମା’ ଙ୍କ ଦର୍ଶନ କରିଥିଲେ ।  ଆସନ୍ତା କାଲି ଭୁବନେଶ୍ବର ଉପ ଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ସହ ପୀଠରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରାଯିବ ବୋଲି  ତହସିଲଦାର ‌ସରୋଜ କୁମାର ପଣ୍ଡା  କହିଛନ୍ତି । ପ୍ରତିଦିନ ଭଳି ଆଜି ପ୍ରତ୍ୟୁଷରେ ପୀଠ ଖୋଲିବା ପରେ ମାର୍ଜଣା , ମଇଲମ , ସ୍ନାନ ବିଧି ସଂପନ୍ନ ହୋଇଥିଲା । ବାଳଭୋଗ ପରେ ମଧ୍ୟାହ୍ନରେ ଖେଚୁଡ଼ି ଓ ଡାଲମା ଶଙ୍ଖୁଡ଼ି ଭୋଗ ଲାଗି ହୋଇଥିଲା । ସଂଧ୍ୟା ଆଳତୀ ସଂପନ୍ନ ହୋଇଥିଲା ।

ସମ୍ବନ୍ଧିତ ଖବର