ବାଲିକୁଦା ସିଏଚ୍‌ସି; ମାସେ ହେଲା କାର୍ଯ୍ୟରେ ଯୋଗ ଦେଉନାହାନ୍ତି ଡାକ୍ତର

ନିରାଶ ଫେରୁଛନ୍ତି ଶତାଧିକ ଗର୍ଭବତୀ

ବାଲିକୁଦା: ଗର୍ଭବତୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେଇ ବାଲିକୁଦା ସିଏଚ୍‌ସି ଦିନେ ରାଜ୍ୟସ୍ତରରେ ପୁରସ୍କାର ହାସଲ କରିଥିଲା। ବର୍ତ୍ତମାନ ଏହି ସିଏଚ୍‌ସିରେ ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ପଦବି ଖାଲିପଡ଼ିବା ଖବର ସାମ୍‌ନାକୁ ଆସିବାପରେ ବଦନାମ ମୁଣ୍ଡେଇଛି। ବାଲିକୁଦା ବ୍ଲକ୍‌ ବାଲିକୁଦା ମାତୃ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ଏକ ମାସରୁ ଅଧିକ ସମୟ ହେବ ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ବିନା ଅନୁମତିରେ ଛୁଟିରେ ରହିଛନ୍ତି। ଏଥିପାଇଁ ଗର୍ଭବତୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଏହି ମେଡିକାଲ୍‌ ଉପରେ ନିର୍ଭର କରୁଥିବା ବାଲିକୁଦା ବ୍ଲକ୍‌ର ୩୦ ପଞ୍ଚାୟତ ସମେତ ନାଉଗାଁ ଓ ଏରସମା ବ୍ଲକ୍‌ର ହଜାର ହଜାର ଗର୍ଭବତୀ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ମେଡିକାଲ୍‌ ଉପରେ ବିଶେଷକରି ସାଧାରଣବର୍ଗ ଓ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଗର୍ଭବତୀ ନିର୍ଭର କରିଥା’ନ୍ତି। ବର୍ତ୍ତମାନ ଏଠାରେ ଡାକ୍ତର ନଥିବାରୁ ଘରୋଇ ମେଡିକାଲ୍‌ରେ ଚିକିତ୍ସା କରିବା କାରଣରୁ ସେମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ସେହପରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବାରମ୍ବାର ଯାଇ ଚିକିତ୍ସା କରାଇବା ସମ୍ଭବ ହେଉନାହିଁ। ଏଥିପାଇଁ ସମଗ୍ର ବାଲିକୁଦା ବ୍ଲକ୍‌ରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ବିଭାଗରେ ଡାକ୍ତର ପଦବି ପୂରଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିବା ପରେ ଗତ ୯ମାସେ ପୂର୍ବେ ଜଣେ ବିଭାଗୀୟ ଡାକ୍ତର ନିଯୁକ୍ତି କରାଯାଇଥିଲା। କିନ୍ତୁ ମାସ କେଇଟା ସେବା ଯୋଗାଇବା ପରେ ବାଲିକୁଦା ମେଡିକାଲ୍‌ ମୁଖ୍ୟ ଡାକ୍ତର ହିମାଂଶୁ ଶେଖର ସାହୁଙ୍କ ବିନା ଅନୁମତିରେ ଏକ ମାସରୁ ଅଧିକ ସମୟ ହେବ ଡାକ୍ତର ରମଣ ଜାମା ଛୁଟିରେ ଅଛନ୍ତି।

ଏହି ସିଏଚ୍‌ସିରେ ନିଶ୍ଚେତକ ବିଭାଗ ଡାକ୍ତର ନ ଥିବାରୁ ଅସ୍ତ୍ରୋପଚାର ଘଟଣାରେ ଏଠାକାର ରୋଗୀ ଜଗତସିଂହପୁର ମେଡିକାଲ୍‌ ସ୍ଥାନାନ୍ତର ହେଉଛନ୍ତି। ତେଣୁ ନିଶ୍ଚେତକ ବିଭାଗ ଡାକ୍ତର ପଦବି ପୂରଣ ପାଇଁ ଅଞ୍ଚଳବାସୀ ଅଡ଼ି ବସିଥିଲେ। ଏଭଳି ସ୍ଥିତିରେ ନିଯୁକ୍ତି ପାଇଥିବା ପ୍ରସୂତି ବିଭାଗ ଡାକ୍ତରଙ୍କ ମାସେକାଳ ଅନୁପସ୍ଥିତି ନାନା ଚର୍ଚ୍ଚା ସୃଷ୍ଟି କରିଛି। ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାର ଓ ଜାତୀୟ ସ୍ୱାସ୍ଥ୍ୟ ମିସନ ସହାୟତାରେ ବାଲିକୁଦା ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ତିଆରି କରାଯାଇଥିଲା। ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ୨୦୧୬ ମସିହାରେ ଏହାର ଉଦ୍‌ଘାଚନ କରିଥିଲେ। କିନ୍ତୁ ଏବେ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଉ ନଥିବାରୁ ସର୍ବଦା ଏହି ସିଏଚ୍‌ସି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଆଗାମୀ ଦିନରେ ସ୍ଥାୟୀ ଭାବରେ ନିଶ୍ଚେତକ ଡାକ୍ତର ପଦବି ସହ ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ପଦବି ପୂରଣ କରାନଯାଏ ତେବେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ବାଲିକୁଦା ମେଡିକାଲ୍‌ ମୁଖ୍ୟ ଡାକ୍ତର ହିମାଂଶୁ ଶେଖର ସାହୁଙ୍କ ପତିକ୍ରିୟା ନେବାରୁ; ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗ ଡାକ୍ତର ରମଣ ଜାମା ଗତ ଏପ୍ରିଲ୍‌ ୨୩ ତାରିଖରେ ୩ ଦିନ ପାଇଁ ଛୁଟି ଆବେଦନ କରି ଘରକୁ ଯାଇଥିଲେ। ୨୬ ଏପ୍ରିଲରେ କାର୍ଯ୍ୟରେ ଯୋଗଦେବାର ଥିଲା। କିନ୍ତୁ ଏକମାସ ବିତି ଯାଇଥିଲେ ମଧ୍ୟ ସେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଏନେଇ ଫୋନ୍‌ ଯୋଗେ ଯୋଗାଯୋଗ କରିବାକୁ ପ୍ରଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ୍‌ ରିସିଭ୍‌ କରୁନାହାନ୍ତି। ଏପଟେ ଚିକିତ୍ସା କରାଇବାକୁ ଆସି ବହୁ ଗର୍ଭବତୀ ନିରାଶ ଫେରୁଥିବାରୁ ଏନେଇ ମୁଁ ଏକ ଚିଠି ସିଡିଏମ୍‌ଓଙ୍କୁ ପ୍ରଦାନ କରିଛି। ଜଣେ ନୂତନ ଡାକ୍ତରଙ୍କୁ ନିଯୁକ୍ତ କରିବା ପାଇଁ ଅନୁରୋଧ କରାଯାଇଛି ବୋଲି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର