ସମ୍ବଲପୁର: ଏଏନଗୁହା ଲେନ୍‌ର ଜଣେ ମହିଳାଙ୍କୁ ଜଣେ ବ୍ୟକ୍ତି ସରକାରୀ ଚାକିରି କରାଇଦେବ କହି ୭୦ ହଜାର ଟଙ୍କା ଠକି ନେଇଛି। ଟଙ୍କା ଫେରାଇବାକୁ କହିବାରୁ ଜୀବନରୁ ମାରିଦେବାକୁ ଧମକ ଦେଉଛି। ଏ ନେଇ ମହିଳା ଜଣକ ଲିଖିତ ଅଭିଯୋଗ କରିବା ପରେ ଟାଉନ୍‌ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ମହିଳାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ତାଙ୍କର ୭ ବର୍ଷର ଏକ ପୁଅ ଅଛି। ରୋଜଗାର ଶୂନ୍ୟ ହୋଇଯାଇଥିବାରୁ ପରିବାର ପୋଷଣ କରିବା ତାଙ୍କ ପକ୍ଷରେ କଷ୍ଟକର ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଜଣେ ବ୍ୟକ୍ତି ତାଙ୍କର ଚାକିରି କରାଇଦେବ ବୋଲି କହିଥିଲା ଏବଂ ତାଙ୍କୁ ୭୦ ହଜାର ଟଙ୍କା ମାଗିଥିଲା। ପରିବାର ଚଳାଇବାକୁ ଅସୁବିଧା ହେଉଥିବାରୁ ମହିଳା ଜଣକ ଗତ ଜୁଲାଇ ମାସରେ ସେ କହିଥିବା ଆକାଉଣ୍ଟ ନମ୍ବରରେ ୭୦ ହଜାର ଟଙ୍କା ଜମା କରିଥିଲେ। କିନ୍ତୁ ସେ ଚାକିରି କରାଇ ଦେଇ ନଥିଲା। ଠକେଇର ଶିକାର ହୋଇଥିବା ସନ୍ଦେହ କରି ମହିଳା ଜଣକ ତାଙ୍କୁ ଟଙ୍କା ଫେରାଇବାକୁ କହିଥିଲେ। ତାପରେ ବ୍ୟକ୍ତି ଜଣକ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଲେ। କୌଣସି ଉପାୟ ନ ପାଇ ଶେଷରେ ମହିଳା ଜଣକ ଟାଉନ୍‌ ଥାନାର ଦ୍ବାରସ୍ଥ ହୋଇଛନ୍ତି।

Advertisment

ଅଧିକ ସୁଧ ଲୋଭ ଦେଖାଇ ୪ ଲକ୍ଷ ଠକେଇ ଅଭିଯୋଗ

ସମ୍ବଲପୁର: ସଦର ଥାନା କଣ୍ଟେଇପାଲିର ପଞ୍ଚାନନ ଦାଶଙ୍କ ଘରକୁ କିଛି ବର୍ଷ ତଳେ ତାଙ୍କ ସ୍ତ୍ରୀଙ୍କର ୨ ଜଣ ସମ୍ପର୍କୀୟ(ସ୍ବାମୀ, ସ୍ତ୍ରୀ) ଆସିଥିଲେ। ଭିଷ୍ଟା ମ୍ୟାନେଜ୍‌ମେଣ୍ଟ ସର୍ଭିସ୍‌ର କିଛି ବଣ୍ଡ୍‌ ପେପର୍‌ ଦେଖାଇ ସେହି କମ୍ପାନିର ବଡ଼ ପଦବିରେ ସେମାନେ ଥିବା କହିଥିଲେ। ୩ ବର୍ଷ ପାଇଁ ଲକ୍ଷେ ଟଙ୍କା ରଖିଲେ ୭୨ ହଜାର ଟଙ୍କା ସୁଧ ମିଳିବ ବୋଲି ଦୁହେଁ ବୁଝାଇଥିଲେ। ମାସକୁ ୨ ହଜାର ଟଙ୍କା ସୁଧ ମିଳିବ ବୋଲି କହିଥିଲେ। ଏଭଳି କହି ସେମାନେ ପଞ୍ଚାନନଙ୍କ ସମେତ ତାଙ୍କ ଶ୍ବଶୁର, ଶାଶୂ ଓ ଶାନ ଶ୍ବଶୁରଙ୍କ ଠାରୁ ମୋଟ ୪ ଲକ୍ଷ ଟଙ୍କା ନେଇଥିଲେ। କିଛି ମାସ ପାଇଁ ସେମାନେ ମାସିକ ୨୦୦୦ ଟଙ୍କା ଲେଖାଏଁ ପାଇଲେ। କିଛି ମାସ ପରେ ତାହା ବନ୍ଦ ହୋଇଗଲା। ଠକେଇର ଶିକାର ହୋଇଥିବା ସନ୍ଦେହ କରି ପଞ୍ଚାନନ ସଦର ଥାନାରେ ସୋମବାର ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।