ଜୀବିତଙ୍କୁ ମୃତ ଦର୍ଶାଇ ଜାତୀୟ ପରିବାର ମଙ୍ଗଳ ଯୋଜନା ଅର୍ଥ ହଡ଼ପ: ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦେଶ

କେସିଙ୍ଗା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଜୀବିତ ମଣିଷଙ୍କୁ ମୃତ ଦର୍ଶାଇ ପରିବାର ମଙ୍ଗଳ ଯୋଜନାରେ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଜାଣିବା ପରେ ଜିଲ୍ଲାପାଳ ଅଞ୍ଜନ ମାଣିକ ଘଟଣାର ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହିତ ଦୁର୍ନୀତି ସମ୍ପର୍କିତ କାଗଜ ପତ୍ରକୁ ଜବତ କରିଛନ୍ତି।
ଅଭିଯୋଗ ଅନୁସାରେ, ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଂଚାୟତ ଲହରାଜୋର ଗାଁର ପ୍ରହଲ୍ଲାଦ ନାଏକ ଜୀବିତ ଅଛନ୍ତି। ହେଲେ ବ୍ଲକ ପ୍ରଶାସନର ଜାତୀୟ ପରିବାର ମଙ୍ଗଳ ଯୋଜନା ସହାୟତା ରିପୋର୍ଟ ଅନୁଯାୟୀ ୨୩.୧୨.୨୦୧୪ରେ ତାଙ୍କ ମୃତ୍ୟୁ ଘଟିଥିବା ଦର୍ଶାଯାଇଛି। ଏହା ପରେ ତାଙ୍କ ସ୍ତ୍ରୀ ବମାନି ନାଏକଙ୍କ ଥୁଆମୂଳ ରାମପୁର ଏସ୍‌ବିଆଇ ଶାଖାର ଆକାଉଣ୍ଟ ନଂ ୩୬୬୨୦୨୮୧୩୦୯ରେ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ହେଲେ ଏହି ପରିବାର ସହାୟତା ରାଶି ପାଇ ନାହାନ୍ତି କି ଏହି ଯୋଜନା ସମ୍ପର୍କରେ ସେମାନେ ଆବେଦନ କରିବା ଜାଣି ନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ଏହି ଗାଁର ପାକସି ପଡ଼ାର ରାମଧର ଗଉଡ଼ ଓ ତାଙ୍କ ସ୍ତ୍ରୀ ସୁନିତା ଗଉଡ଼ଙ୍କ ପରିବାରରେ ବି ଏହିପରି ହୋଇଛି। ରାମଧର ଜୀବିତ ଥିଲେ ମଧ୍ୟ ଏହି ଯୋଜନାର ରିପୋର୍ଟ ଅନୁଯାୟୀ ତାଙ୍କ ମୃତ୍ୟୁ ୨୫.୩.୨୦୧୫ରେ ହୋଇଥିବା ଦର୍ଶାଯାଇଛି। ଏଥିପାଇଁ ତାଙ୍କ ସ୍ତ୍ରୀ ସୁନିତାଙ୍କ ଆକାଉଂଟ ନଂ ୩୨୮୮୭୧୪୯୫୨୪ରେ ୨୦ ହଜାର ଟଙ୍କା ସହାୟତା ରାଶି ଦିଆଯାଇଛି।

ହେଲେ ଏହି ପରିବାର ବି ଏହି ଯୋଜନା ବିଷୟରେ କିଛି ଜାଣି ନଥିବା ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ହେଲା, ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଋଣ ଟଙ୍କା କରାଇ ଦେବାକୁ ଗାଁର ଜଣେ ବ୍ୟକ୍ତି ରାମଚନ୍ଦ୍ର ନାଏକ କାଗଜ ପତ୍ର ନେଇଥିଲେ ଏବଂ ଏବେ ବି ସେମାନଙ୍କ ବ୍ୟାଙ୍କ ଖାତା ତାଙ୍କ ପାଖରେ ରହିଛି। ଅନ୍ୟପଟରେ ରାମଚନ୍ଦ୍ର ‘ବ୍ଲକର ପୂର୍ବତନ ଏସ୍‌ଇଓ ଲୋକମାନଙ୍କ ଠାରୁ ଋଣ କରାଇବା ପାଇଁ ଏହି କାଗଜପତ୍ର ମାଗିଥିଲେ’ ବୋଲି କହିଥିଲେ। କେବଳ ଏହି ଦୁଇ ଘଟଣା ନୁହେଁ, ବ୍ଲକ୍‌ର ବିଭିନ୍ନ ପଂଚାୟତରେ ଏପରି ଦୁର୍ନୀତି ହୋଇଥିବା ଆଲୋଚନା ହେଉଛି। ଏଣୁ ଏଥିରେ ଏକ ବଡ଼ ର‍୍ୟାକେଟ କାମ କରୁଥିବା ଅଭିଯୋଗ ହେଉଛି। ଏ ସଂପର୍କରେ ବ୍ଲକର ପୂର୍ବତନ ଏସଇଓଙ୍କୁ ଫୋନ୍‌ ଯୋଗେ ପଚାରିବାରୁ ସେ ଅଭିଯୋଗକୁ ଅସ୍ୱୀକାର କରିଥିଲେ। ସେହିପରି ଜିଲ୍ଲାପାଳ ଅଞ୍ଜନ ମାଣିକଙ୍କୁ ପଚରାଯିବାରୁ ଯିଏ ବି ଏଭଳି ଦୁର୍ନୀତି କରିଛି ତା’ ବିରୋଧରେ ଠୋସ୍‌ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ପ୍ରକାଶଯୋଗ୍ୟ ଯେ ଦୁଇ ବର୍ଷ ତଳେ ଜିଲ୍ଲାରେ ବିଜୁ କୃଷକ କଲ୍ୟାଣ ସ୍ୱାସ୍ଥ୍ୟ ବୀମା ଯୋଜନାର ପର୍ଦ୍ଦାଫାସ ହୋଇଥିଲା। ଦୁଇଟି ବେସରକାରୀ ହସପିଟାଲରେ ଲୋକଙ୍କ ଚିକିତ୍ସା ନକରି ଚିକିତ୍ସା କରିଥିବା ଦର୍ଶାଇ କୋଟିକୋଟି ଟଙ୍କା ହଡ଼ପ କରିଥିବା ଜଣା ପଡ଼ିଥିଲା।

ସମ୍ବନ୍ଧିତ ଖବର