ରାୟଗଡା: ଗତକକାଲିଠାରୁ ଜିଲ୍ଲାରେ ଶୂନ୍ୟ ମୃତ୍ୟୁ ସପ୍ତାହ ଚାଲିଛି। ଡିସେମ୍ବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ଜଣାପଡିଛି। ଜିଲ୍ଲା ପୁଲିସ ଓ ଆଞ୍ଚଳିକ ପରିବହନ ତରଫରୁ ଏହି ସାତ ଦିନ ଧରି ଜିଲ୍ଲାର ସମସ୍ତ ଅଂଚଳରେ ଯାଞ୍ଚ ପ୍ରକ୍ରିୟା କଡାକଡି କରାଯିବ। ଏହି ସପ୍ତାହରେ ଯେପରି ଗୋଟିଏ ବି ଦୁର୍ଘଣାରେ ମୃତ୍ୟୁ ନହୁଏ ସେତିପ୍ରତି ଦୃଷ୍ଟି ଦିଆଯିବ ବୋଲି ଜଣାପଡିଛି।ଗତ ଏପ୍ରିଲ ମାସରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳିତ ହୋଇଥିଲା। ଏହାଦ୍ବାରା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା କମିଥିଲା। ଗତବର୍ଷ ତୁଳନାରେ ଚଳିତ ଏପ୍ରିଲରୁ ଅଗଷ୍ଟ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିଥିବା ରାଜ୍ୟ ସରକାର ଏକ ରିପୋର୍ଟରେ ଦର୍ଶାଇ ପୁଣି ଡିସେମ୍ବର ମାସର ପ୍ରଥମ ସପ୍ତାହରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି। ତେବେ ଏହି ସପ୍ତାହ ମଧ୍ୟରେ ପୁଲିସର କଡା ଯାଞ୍ଚ ସହ ସ୍ବାସ୍ଥ୍ୟ ବିଭାଗ ତରଫରୁ ଦୁର୍ଘଟଣା ସ୍ଥାନଗୁଡିକ ନିକଟରେ ଆମ୍ବୁଲାନସର ସେବା ତୁରନ୍ତ ଯୋଗାଇବା, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ପ୍ରଥମ ୪୮ ଘଣ୍ଟା ମାଗଣାରେ ଚିକିତ୍ସା କରିବା, ପ୍ରଥମ ବ୍ୟକ୍ତିଙ୍କୁ ପ୍ରଥମେ ଚିକିତ୍ସା କରିବା ଏବଂ ତୁରନ୍ତ ଭଲ କରିବାକୁ ଚେଷ୍ଟା କରିବା। ସେହିପରି ସ୍କୁଲଗୁଡିକରେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ କି କି ପଦକ୍ଷେପ ନେବା ସେନେଇ ସଚେତନ କରାଇବା। ରାସ୍ତାରେ ଗାଈଗୋରୁଙ୍କୁ ନଛାଡିବା, ରାସ୍ତା କଡରେ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା କରିବା ଭଳି କାମ ଏହି ସପ୍ତାହରେ କରାଯିବ ବୋଲି ଜଣାପଡିଛି। ତେବେ ଜିଲ୍ଲାରେ ୧ ତାରିଖ ସଂଧ୍ୟାରେ ପୁଲିସ ଯାଞ୍ଚ କରିବ। ୨ ତାରିଖ ସକାଳେ କ୍ଷୀପ୍ର ଗତିରେ ଚଲାଉଥିବା ଲୋକଙ୍କୁ ସାବାଡ କରିବ। ୩ ତାରିଖ ଦିନ ମଦୁଆ ଡ୍ରାଇଭର,ହେଲମେଟ ଚେକିଂ, ଦ୍ରୁତ ଗତିରେ ଗାଡି ଚଲାଇବା ଏବଂ ତିନି ଜଣ ବସି ଗାଡି ଚଲାଇବାକୁ ଯାଞ୍ଚ କରାଯିବ। ୪ ତାରିଖରେ ମଧ୍ୟ ସକାଳେ ଏଭଳି ଯାଞ୍ଚ କରାଯିବ ବୋଲି କୁହାଯାଇଛି।

Advertisment

କିନ୍ତୁ ୫,୬ ଓ ୭ ତାରିଖ ଦିନ ଦିନ ସାରା ଛକ ଜାଗା ମାନଙ୍କରେ କଡା ଯାଞ୍ଚ କରାଯିବ। ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ଚଳିତ ବର୍ଷ ରାୟଗଡା ଥାନା ଅଂଚଳରେ ୩୬ଟି ଦୁର୍ଘଟଣା ଘଟିଥିବାବେଳେ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଶେଷଖାଲ ଥାନା ଅଂଚଳରେ ୯ଟି ଦୁର୍ଘଟଣା ଘଟିଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଚାନ୍ଦିଲି ଥାନା ଅଂଚଳରେ ୩୨ଟି ଦୁର୍ଘଟଣାରେ ୧୬ ଜଣଙ୍କର ଜୀବନ ଯାଇଛି। କଲ୍ୟାଣସିଂହପୁର ଥାନା ଅଂଚଳରେ ୬ଟି ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଯାଇଛି। କାଶୀପୁର ଥାନା ଅଂଚଳରେ ୯ଟି ଦୁର୍ଘଟଣାରେ ୭ ଜଣଙ୍କର ଜୀବନ ଯାଇଛି। ସେହିପରି ଟିକିରି ଥାନା ଅଂଚଳରେ ୮ଟି ଦୁର୍ଘଟଣାରେ ୫ ଜଣଙ୍କର ଜୀବନ ଯାଇଛି। ଦୋରାଗୁଡା ଥାନା ଅଂଚଳରେ ୬ଟି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିଷମକଟକ ଥାନା ଅଂଚଳରେ ୧୭ଟି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ମୁନିଗୁଡା ଥାନା ଅଂଚଳରେ ୧୮ଟି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆମ୍ବାଦୋଳା ଥାନା ଅଂଚଳରେ ୧୬ଟି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଗୁଣପୁର ଥାନା ଅଂଚଳରେ ୧୧ଟି ଦୁର୍ଘଟଣାରେ ୮ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଗୁଡାରୀ ଥାନା ଅଂଚଳରେ ୫ଟି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପଦ୍ମପୁର ଥାନା ଅଂଚଳରେ ୨୧ଟି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାମନାଗୁଡା ଥାନା ଅଂଚଳରେ ୧୨ଟି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ପୁଟାସିଂ ଥାନା ଅଂଚଳରେ ୨ଟି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଚନ୍ଦ୍ରପୁର ଥାନା ଅଂଚଳରେ ୨ଟି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମାଇକଞ୍ଚ ଥାନା ଅଂଚଳରେ ୩ଟି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଗତ ୨୦୨୧ ମସିହାରେ ଜିଲ୍ଲାରେ ୧୩୩ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୨୦୨୨ରେ ୧୧୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ବର୍ତ୍ତମାନ ଶୂନ୍ୟ ମୃତ୍ୟୁ ସପ୍ତାହରେ କେତେ ଦୁର୍ଘଟଣା ଏବଂ କେତେ ଜଣଙ୍କର ମୃତ୍ୟୁ ହେଉଛି ଦେଖିବାକୁ ବାକି ରହିଲା।