ଗାରୋଇ: ନାଉଗାଁ ବ୍ଲକ୍ର ଅଣଜଳସେଚିତ ପଞ୍ଚାୟତ ଗୁଡ଼ିକ ସମସ୍ୟାରେ ଛନ୍ଦି ହୋଇଯାଇଛି। ଏହି ବ୍ଲକ୍ର ଡେରିକି, ତିରୁଣା, ବାଂଶ, ଶିଖର ଆଦି ପଞ୍ଚାୟତର ଚାଷୀକୁଳ ବର୍ଷା ଉପରେ ଭରସା କରିଥାନ୍ତି। ବର୍ଷା ଦିନେ ଏଠାକାର ପ୍ରାୟ ୧୦୦୦ ହେକ୍ଟର ଚାଷ ଜମି ଘାସ ପାଟ ପାଲଟିଯାଏ। ଅଞ୍ଚଳରେ ଉଠାଜଳସେଚନ ବିଭାଗ, ଡ୍ରେନେଜ୍ ବିଭାଗ ଓ ବିଧାୟକଙ୍କ ଉନ୍ନୟନ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି। ସେହିପରି ଜଳ ସଂରକ୍ଷଣ ପାଇଁ ଚେକ୍ ଡ୍ୟାମ୍ ବି ନିର୍ମାଣ କରାଯାଇଛି। କିନ୍ତୁ ସମସ୍ତ ପ୍ରକଳ୍ପ ଅକାମୀ ହୋଇ ପଡ଼ିରହିଛି। ସୂଚନାଥାଉକି ୨୦୦୭ ରୁ ୨୦୦୮ ମସିହାରେ ତତ୍କାଳୀନ ବିଧାୟକ ଉମେଶ ଚନ୍ଦ୍ର ସ୍ବାଇଁଙ୍କ ବିଧାୟକଙ୍କ ପାଣ୍ଠିରୁ ୧୧ଲକ୍ଷ ଟଙ୍କା ବ୍ୟୟରେ ଏହି ବ୍ଲକ୍ର ଗୋବରୀ ନଦୀ ସହିତ ସଂଯୋଗ ହୋଇଥିବା କଅଁରପଦା ନାଳିରେ ଚେକ୍ ଡ୍ୟାମ୍ ନିର୍ମାଣ ହୋଇଥିଲା। କିନ୍ତୁ ନିର୍ମାଣର ଏକ ଦଶନ୍ଧି ପରେ ବି ଚାଷ ଓ ଚାଷୀଙ୍କର କୌଣସି କାର୍ଯ୍ୟରେ ଲାଗିପାରି ନଥିଲା। ଏହି ବିଷୟରେ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ସମ୍ପୃକ୍ତ ବିଭାଗ ତତ୍ପର ଦେଖାଇଥିଲା। ଗତ ୨୦୧୮-୧୯ ଆର୍ଥିକ ବର୍ଷରେ କଅଁରପଦା ନାଳି ଉପରେ ୩୬ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ପୋଲ ସହିତ ଚେକ୍ ଡ୍ୟାମ୍ ପୁନଃ ନିର୍ମାଣ କରାଗଲା। ନିର୍ମାଣ କରୁଥିବା ସଂସ୍ଥା ସୂଚନା ଅଧିକାର ଆଇନକୁ ଫୁଃ କରି ଚେକ୍ ଡ୍ୟାମ୍ର ନିର୍ମାଣ ସମ୍ବନ୍ଧୀୟ କୌଣସି ତଥ୍ୟ ଜନସାଧାରଣଙ୍କୁ ପ୍ରଦାନ କରିନଥିଲା। ଚେକ୍ ଡ୍ୟାମ୍ ନିର୍ମାଣ ହେଲା ସତ, ହେଲେ ଚାଷୀମାନେ କୌଣସି ଉପକୃତ ପାଉନଥିବା ଅଭିଯୋଗ ହୋଇଛି।
ଅଞ୍ଚଳର ଚାଷୀମାନଙ୍କ ଅଭିଯୋଗ ହେଲା, ଏଥିରେ ଲଗାଯାଇଥିବା ଲୌହ ଫାଟକଟିର ଉଚ୍ଚତା କମ ରହିଥିବାରୁ ଜଳ ସଂରକ୍ଷଣ ରଖିବା ପରିବର୍ତ୍ତେ ଗୋବରୀ ନଦୀରେ ଜଳ ମିଶୁଛି। ଏ ସମ୍ପର୍କରେ ଅଭିଯୋଗ କଲେ ବିଭାଗ ଅଜବ ଯୁକ୍ତି ବାଢୁଛି, କେତେବେଳେ ମେଣ୍ଟେନାନ୍ସ୍ ବିଭାଗର କାର୍ଯ୍ୟ କହୁଛି ତ ଆଉ କେତେବେଳେ ଠିକାଦାରଙ୍କ ମୁଣ୍ଡରେ ଦୋଷ ଲଦୁଛି। ଚେକ୍ ଡ୍ୟାମ୍ର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ବୋଲି ଚାଷୀ ଚକ୍ରଧର ସ୍ବାଇଁ, ଡେରିକ ପଞ୍ଚାୟତର କୃଷି ସମ୍ମାନପ୍ରାପ୍ତ କୃଷକ ବସନ୍ତ ସ୍ବାଇଁ, ସୁଦର୍ଶନ ପୁହାଣ, ତିରୁଣା ପଞ୍ଚାୟତ ତେଣ୍ଟୋଇ ଗ୍ରାମର ଉଲ୍ଲାସ ଚନ୍ଦ୍ର ସ୍ବାଇଁ, ପରି ସ୍ବାଇଁ, ତ୍ରିଲୋଚନ ରାଉଳ, ଶିଖର ପଞ୍ଚାୟତର ଯୁଧିଷ୍ଠିର ରାଉତ, କୈଳାସ ଚନ୍ଦ୍ର ନାୟକ, ଦେବେନ୍ଦ୍ର ମହାପାତ୍ର, ବାଂଶ ପଞ୍ଚାୟତର ସଚିଦାନନ୍ଦ ପରିଡ଼ା ଓ ଅଜୟ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି। ଏମାନଙ୍କ ଅଭିଯୋଗ ମୁତାବକ ବର୍ଷାଦିନେ ଉପରୋକ୍ତ ୪ଟି ପଞ୍ଚାୟତର ଚାଷ ଜମିର ପାଣି ଜମିରେ ସଂରକ୍ଷିତ ନରହି ସିଧା କଅଁରପଦା ନାଳିରେ ମିଶୁଥିଲା। ତେଣୁ ୨୦୧୮ ମସିହାରେ ଏଠାରେ ପୁନଃ ଚେକ୍ ଡ୍ୟାମ୍ ନିର୍ମାଣ କରାଗଲା। ଏହାସତ୍ତ୍ବେ ଅବସ୍ଥା ସୁଧୁରିଲା ନାହିଁ। ଜଳସମ୍ପଦ ମନ୍ତ୍ରୀଙ୍କୁ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଏହି ବିଷୟକୁ ନେଇ ବାଲିକୁଦା ଉପଖଣ୍ଡ ଜଳ ନିଷ୍କାସନ ବିଭାଗର କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ଦିକ୍ଷିତଙ୍କୁ ପଚାରିବାରୁ, ସେ ଓଲଟା ପାଲଟା ଉତ୍ତର ଦେଇ ଏଡ଼ାଇ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/CHECK-DYAM-2_6.jpg)