ରାୟଗଡା: ରାୟଗଡାରେ ଗତକାଲି ଠାରୁ ଜୋରଦାର ଚଢଉ ଆରମ୍ଭ ହୋଇଛି। ଏପ୍ରିଲ ପ୍ରଥମ ସପ୍ତାହ ଶୂନ୍ୟ ଅକାଳ ମୃତ୍ୟ କରିବା ନେଇ ରାୟଗଡା ଜିଲ୍ଲା ପୁଲିସ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି। ଏଥିପାଇଁ ଜିଲ୍ଲା ପ୍ରଶାସନର ସହଯୋଗ ମଧ୍ୟ ରହିଛି। ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ଏବଂ ବ୍ଲକର ଛକ ମାନଙ୍କରେ ଚଢଉ ଜୋରଦାର ହେଉଛି।ବିଶେଷ କରି ମଦ ପିଇ ଗାଡି ଚଲାଉଥିବା ଡ୍ରାଇଭରକୁ ଟାର୍ଗେଟ କରିଛନ୍ତି ପୁଲିସ। ଦୁର୍ଘଟଣାର ମୁଖ୍ୟ କାରଣ ମଦ ପିଇ ଗାଡି ଚଲାଉବା ବୋଲି ଏସପି ବିବେକାନନ୍ଦ ଶର୍ମା କହିଛନ୍ତି। ତେଣୁ ସେ ନିଜେ ଜାତୀୟ ରାଜପଥ ୩୨୬ ସମେତ ଜିଲ୍ଲାର ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ରାସ୍ତା ଉପରେ ଠିଆ ହୋଇ ଯିବା ଆସିବା କରୁଥିବା ସମସ୍ତ ଟ୍ରକ, ଟ୍ରାକ୍ଟର, ବସ ଏବଂ ଦୁଇ ଚକିଆ ଯାନର ଡ୍ରାଇଭର ମାନଙ୍କୁ ମୁହଁରେ ମେସିନ ପୁରାଇ ମଦ ପିଇଛନ୍ତି କି ନାହିଁ ତାହା ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା। ଏହାର ଅର୍ଥ ହେଲା ନିଜେ ଏସପି ଯାଞ୍ଚରେ ସାମିଲ ହୋଇଥିବାରୁ ଅନ୍ୟ ପୁଲିସ ଅଧିକାରୀ ମାନେ ମଧ୍ୟ ଏହି ଯାଞ୍ଚକୁ ଆହୁରି କଡାକଡି କରୁଥିବା ଲକ୍ଷ୍ୟ କରାଯାଇଛି।

Advertisment

ମଦ ପିଇ ଗାଡି ଚଲାଇଲେ ଜୋରିମାନା ସହ ଜେଲ ଦଣ୍ଡର ବ୍ୟବସ୍ଥା ରହିଥିବା ପୁଲିସ କହିଛି। ତେଣୁ ମଦୁଆଙ୍କୁ ସାବାଡ କରିବା ପାଇଁ ରାୟଗଡା ପୁଲିସ ଏବେ ମୁଖ୍ୟ ଲକ୍ଷ୍ୟ ବୋଲି କହୁଛି। ତେବେ ଅନ୍ୟ ଗାଡି ଡ୍ରାଇଭର ମାନେ ସିଟ ବେଲ୍ଟ ନ ଲଗାଇବା, ଓବର ଲୋଡିଂ କରିବା ଏବଂ ଗାଡିରେ ଅତ୍ୟଧିକ ଯାତ୍ରୀଙ୍କୁ ବସାଇବା ମଧ୍ୟ ବେଆଇନ ବୋଲି କୁହାଯାଇଛି।

publive-image Sambad

ତେଣୁ ଏହାକୁ ମଧ୍ୟ ଗୁରୁତ୍ବରର ସହ ପୁଲିସ ନେଇଛି। ସେହିପରି ବିନା ହେଲମେଟ ଏବଂ ବିନା ଲାଇସେନ୍ସରେ କୌଣସି ଲୋକଙ୍କୁ ଛଡାଯାଉ ନାହିଁ। ସମସ୍ତ ବ୍ଲକର ମାଜିଷ୍ଟ୍ରେଟ ମାନଙ୍କୁ ମଧ୍ୟ ଏହି ଯାଞ୍ଚରେ ସାମିଲ କରାଯାଇଥିବା ଜଣାପଡିଛି। ରାୟଗଡା ସହର ଭିତରକୁ ଆସୁଥିବା ସମସ୍ତ ଗାଡିକୁ ଯାଞ୍ଚ କରାଯାଉଛି। ବେନିୟମ କରି ଗାଡି ଚଲାଉଥିବା ଲୋକଙ୍କୁ କ୍ଷମା ନାହିଁ ବୋଲି ପୁଲିସ କହିଛି। ନାବାଳକ ମାନେ ଯଦି ଗାଡି ଚଲାଉଥାନ୍ତି ତେବେ ସେମାନେ ବି ବର୍ତ୍ତିବେ ନାହିଁ ଏବଂ ସେମାନଙ୍କର ଗାଡି ମାଲିକ ମାନେ ମଧ୍ୟ ଜୋରିମାନା ସହ ଜେଲ ଦଣ୍ଡ ଭୋଗିବେ।

ଏବେ କଡାକଡି ଯାଞ୍ଚ ଯୋଗୁଁ ଲୋକେ ହେଲମେଟ ପିନ୍ଧିବା ଅଭ୍ୟାସ କରୁଥିବା ବେଳେ ସମସ୍ତ କାଗଜ ପତ୍ର ଏବଂ ନିଜ ହାତରେ ଲାଇସେନ୍ସ ଧରି ଘରୁ ପଦାକୁ ବାହାରୁ ଥିବା ଲକ୍ଷ୍ୟ କରାଯାଇଛି। ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହିପରି ହେଲମେଟ ନଥିବା ଲୋକେ ହେଲମେଟ ଦୋକାନରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି। ଏପ୍ରିଲ ପ୍ରଥମ ସପ୍ତାହ ସମସ୍ତଙ୍କ ପାଇଁ ଏକ ପରୀକ୍ଷାର ବେଳ। ଏହି ସପ୍ତାହେର ଜଣେ ବି ଲୋକଙ୍କୁ ମୃତ୍ୟୁବରଣ କରିବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି। ତେଣୁ ଦୁର୍ଘଟଣା ହେଲେ ଆମ୍ବୁଲାନ୍ସକୁ ସଜାଗ ରଖିବା ସହ ଲୋକଙ୍କୁ ଏଥିରେ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି।