ଅନୁଗୁଳ : ରାଜନୀତି ପାଠ କହୁଛି, ଛେଣ୍ଡିପଦା ବ୍ଳକର ଜରପଡ଼ା ଜୋନ୍ ଜିଲ୍ଲା ପରିଷଦ ଆସନ ହେଉଛି ବିଜେଡିର ଗଡ଼। ଗତ ପଞ୍ଚାୟତ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଏଠାରେ ବିଜେଡି ଏକତରଫା ଭାବେ ଭୋଟରଙ୍କ ସମର୍ଥନ ପାଇଥିଲା। ଜିଲ୍ଲା ପରିଷଦ ଆସନରେ କଂଗ୍ରେସକୁ ସାଢେ ୫ ହଜାର ଭୋଟରେ ପଛରେ ପକାଇ ବିଜେଡି ବାଜିମାତ କରିଥିଲାବେଳେ ବିଧାନସଭା ନିର୍ବାଚନରେ ବିଜେଡି ୫ ହଜାରରୁ ଅଧିକ ଭୋଟରେ ଆଗୁଆ ରହି ବିଜେପିକୁ ଦ୍ବିତୀୟ ସ୍ଥାନକୁ ଠେଲି ଦେଇଥିଲା।
ଏହି ଜୋନର ଜିଲ୍ଲା ପରିଷଦ ସଭ୍ୟଙ୍କ ଅକାଳ ବିୟୋଗ କାରଣରୁ ଏବେ ଏଠାରେ ଉପ ନିର୍ବାଚନ ହେବାକୁ ଯାଉଛି। ଆଉ ଏହା ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ପାଇଁ ସମ୍ମାନର ପ୍ରଶ୍ନ ଭାବେ ଛିଡ଼ା ହୋଇଛି। ଗଡ଼କୁ ସୁରକ୍ଷିତ ରଖିବା ସହ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ତାଙ୍କ ପାଇଁ ମସ୍ତବଡ଼ ଆହ୍ବାନ ପାଲଟିଛି।
ଛେଣ୍ଡିପଦା ବିଧାନସଭା କ୍ଷେତ୍ରର ଜରପଡା ଅଞ୍ଚଳ ତଥା ଅନୁଗୁଳର ୧୭ ନମ୍ବର ଜୋନର ଜିଲାପରିଷଦ ସଭ୍ୟ ପାଇଁ ଆସନ୍ତା ୨୮ ତାରିଖରେ ଉପନିର୍ବାଚନ ହେବ। ବିଜେଡ଼ି ଟିକେଟରୁ ଜିତିଥିବା ଜିଲ୍ଲାପରିଷଦ ସଭ୍ୟ ଶ୍ରୀଧର ଗଡ଼ନାୟକଙ୍କ ବିୟୋଗ କାରଣରୁ ଏହି ଆସନ ଖାଲି ପଡ଼ିଥିଲା। ଏହି ଜରପଡା ଜୋନ ଅଧିନରେ ବାଲିପଟ୍ଟା, ଦୁର୍ଗାପୁର, ଜେଡିସାହି, କତଡା, କୋରଡା, ଜରପଡା, ପରା, ଉଗୀ ଓ ତୁକୁଡ଼ା ପଞ୍ଚାୟତର ୩୧,୦୨୭ ଭୋଟର ରହିଛନ୍ତି। ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଶ୍ରୀଧର ଗଡ଼ନାୟକ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ରମଣୀ ରଞ୍ଜନ ଦାଶଙ୍କଠାରୁ ଅଧିକ ୫୫୦୦ ଭୋଟ ପାଇ ବିଜୟୀ ହୋଇଥିଲେ। ସ୍ବର୍ଗତ ଶ୍ରୀଧର ଗଡ଼ନାୟକ ୧୩,୧୪୫, କଂଗ୍ରେସ ପ୍ରାର୍ଥୀ ରମଣୀ ରଞ୍ଜନ ଦାଶ ୭,୬୪୫, ବିଜେପି ପ୍ରାର୍ଥୀ ରୂପେଶ କୁମାର ସାମଲ ୪,୧୯୭, ଏସୟୁସିଆଇ ପ୍ରାର୍ଥୀ ରଞ୍ଜିତ ପ୍ରଧାନ ୮୨୦ ଓ ସ୍ୱାଧୀନ ପ୍ରାର୍ଥୀ ସିତାଂଶୁ ସାହୁ ୬୨ ଖଣ୍ଡ ଭୋଟ ପାଇଥିଲେ। ଅର୍ଥାତ ଏହି ଆସନରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ସମୁଦାୟ ଯେତିକି ଭୋଟ ପାଇଥିଲେ, ବିଜେଡିର ଭୋଟ ତା’ଠାରୁ ଅଧିକ ଥିଲା। ତେଣୁ ଏଠାରେ ବିଜେଡିର କିଛି ପକେଟ ଭୋଟ ଥିବା ସ୍ପଷ୍ଟ ହୋଇଥିଲା। ୨୦୧୯ ବିଧାନସଭା ନିର୍ବାଚନରେ ଏହି ୧୭ ନମ୍ବର ଜୋନରେ ଏହି ସଫଳତା ଦୋହରାଇବାରେ ସଫଳ ହୋଇଥିଲା ବିଜେଡି। ଏଠାରେ ବିଜେପି ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ଅପେକ୍ଷା ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ୫,୩୪୮ ଖଣ୍ଡ ଅଧିକ ଭୋଟ ପାଇଥିଲେ। ନିର୍ବାଚନରେ ବିଜେଡି ବିଧାୟକ ସୁଶାନ୍ତ କୁମାର ବେହେରା ୧୩,୩୧୧ ଖଣ୍ଡ ଭୋଟ, ବିଜେପି ପ୍ରାର୍ଥୀ ଅଗସ୍ତି ବେହେରା ୭,୯୬୩ ଭୋଟ, କଂଗ୍ରେସ ପ୍ରାର୍ଥୀ ସସ୍ମିତା ବେହେରା ୩,୫୮୬ ଭୋଟ, ବିଏସପି ପ୍ରାର୍ଥୀ ଶରତ ଚନ୍ଦ୍ର ନାଏକ ୧୭୭, ଏସୟୁସିଆଇ ପ୍ରାର୍ଥୀ ଭରତ ନାଏକ ୧୫୪, ଏପିଆଇ ପ୍ରାର୍ଥୀ ସୁବାସ ନାଏକ ୧୧୫, ବିଜେଡି ବିଦ୍ରୋହୀ ପ୍ରାର୍ଥୀ ପଞ୍ଚାନନ ବେହେରା ୧୨୫ ଓ ସ୍ୱାଧୀନ ପ୍ରାର୍ଥୀ ଛବିନ୍ଦ୍ର ସିଂ ସାମନ୍ତ ୮୬ ଖଣ୍ଡ ଭୋଟ ପାଇଥିଲେ। ଏହି ନିର୍ବାଚନରେ ବିଜେପି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ଦ୍ବିତୀୟ ସ୍ଥାନକୁ ଉଠିଥିଲା। ତଥାପି ବିଜେଡି ଯେତିକି ଭୋଟ ପାଇଥିଲା, ବିଜେପି ଓ କଂଗ୍ରେସ ମିଶିକି ଯେତିକି ଭୋଟ ପାଇବାରେ ସଫଳ ହୋଇ ନ ଥିଲେ।
/sambad/media/post_attachments/wp-content/uploads/2021/04/WhatsApp-Image-2021-04-11-at-21.45.11-1024x473.jpeg)
ଏହି ପାରମ୍ପରିକ ଭୋଟ ବ୍ୟାଙ୍କ ଜରିଆରେ ଗଡ ରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଛି ବିଜେଡି। ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ବରେ ଦଳ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲାବେଳେ ଜିତିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି। ଗାଁ ଗାଁରେ କର୍ମୀଙ୍କୁ ନେଇ ବୈଠକ କରି ରଣନୀତି ପ୍ରସ୍ତୁତ କରିଛି ଦଳ। ସୁଶାନ୍ତଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଥିବାରୁ ସେ ଏହାକୁ ବିଶେଷ ଗୁରୁତ୍ବ ଦେଇଛନ୍ତି। ମହିଳା ଭୋଟ ଓ ବିକାଶକୁ ଆଧାର କରି ବିଜେଡି ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଆଶା ରଖିଛି। ତେବେ ସମୟ ଗଡ଼ିବା ସହ ସ୍ଥିତି ବଦଳିଛି। ଆଉ ୧୦ ମାସ ପରେ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ଥିବାବେଳେ ସ୍ଥିତି ସୁଦୃଢ କରିବାକୁ ବିଜେପି ଓ କଂଗ୍ରେସ ଅଣ୍ଟା ଭିଡିଛନ୍ତି। ତେଣୁ ବିଜେଡିକୁ ଗଡ ରକ୍ଷା କରିବା ପାଇଁ ଏଥର ବେଶ୍ କସରତ କରିବାକୁ ପଡ଼ିବ। ଏପଟେ ଦଳରେ ଥିବା ଗୋଷ୍ଠୀ କନ୍ଦଳକୁ ଦଳକୁ ଅଡୁଆରେ ପକାଇବାର ଆଶଙ୍କା ରହିଛି। ଦଳ ପକ୍ଷରୁ ଜରପଡାର ପୂର୍ବତନ ସରପଞ୍ଚ ନାରଣ ସାହୁ ପ୍ରାର୍ଥୀ ହୋଇଥିଲାବେଳେ ଦଳର ଏକ ଗୋଷ୍ଠୀ ତାଙ୍କୁ ଭିତିରିଆ ବିରୋଧ କରୁଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା। ସେ କହିଛନ୍ତି ଯେ, ଦଳ ଭିତରେ କୌଣସି ବିବାଦ ନାହିଁ। ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ସ୍ଥାନୀୟ ଅଂଚଳରେ ହୋଇଥିବା ବିକାଶକୁ ନେଇ ସେମାନେ ଲୋକଙ୍କୁ ଭୋଟ ମାଗିବେ। ଗତଥର ଅପେକ୍ଷା ଏଥର ଭୋଟ ବ୍ୟବଧାନ ବଢିବ ବୋଲି ବିଧାୟକ କହିଛନ୍ତି।
/sambad/media/post_attachments/wp-content/uploads/2021/04/WhatsApp-Image-2021-04-11-at-21.45.11-1-1024x474.jpeg)
ଏହି ନିର୍ବାଚନର ଫଳାଫଳ ଜିଲ୍ଲା ପରିଷଦ ଗଠନ ଉପରେ କୌଣସି ପ୍ରଭାବ ପକାଇବାର ସମ୍ଭାବନା ନ ଥିଲେ ମଧ୍ୟ ବ୍ଲକ ତଥା ନିର୍ବାଚନ ମଣ୍ଡଳୀ ଉପରେ ପ୍ରଭାବ ରହିବ। ଏହି ଉପନିର୍ବାଚନରେ ବିଜେପି ଟିକେଟରେ ବାଲିପଟାର ସମିତି ସଭ୍ୟ ଅଜିତ ପ୍ରଧାନ ଓ କଂଗ୍ରେସରୁ ଇଂ ଅଭିରାମ ସାହୁ ପ୍ରାର୍ଥୀ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/WhatsApp-Image-2021-04-11-at-21.45.10.jpeg)