ରାଉରକେଲା: ଏଣିକି ସାବାଡ଼ ‌ହେବେ ଅଯୋଗ୍ୟ ହିତାଧିକାରୀ। ଓଜନରେ ଠକୁଥିବା କଣ୍ଟ୍ରୋଲ ଦୋକାନୀ ମଧ୍ୟ ବାଦ୍‌ ପଡ଼ିବେନି। ସରକାର ବଦଳିବା ପରେ ବିଭାଗରେ ସ୍ବଚ୍ଛତା ଆଣିବାକୁ ଅଣ୍ଟା ଭିଡିଛି ରାଜ୍ୟ ଯୋଗାଣ ବିଭାଗ। ମନ୍ତ୍ରୀଙ୍କ ତାଗିଦ୍‌ ପରେ ସାରା ରାଜ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ଯୋଗାଣ ବିଭାଗ ଜୋରଦାର କରିଛି। ଯେଉଁ ଅଯୋଗ୍ୟ ହିତାଧିକାରୀ ଗରିବଙ୍କ ପିଡିଏସ୍‌ ଚାଉଳକୁ ବର୍ଷବର୍ଷ ଧରି ଉଠାଉଥିଲେ, ସେମାନଙ୍କ ନାଁ ଏବେ ତାଲିକାରୁ ଗୋଟିଏ ପରେ ଗୋଟିଏ ବାଦ୍‌ ପଡୁଛି। ରାଉରକେଲା ସହରରେ ପୂର୍ବରୁ ୪ ହଜାର ଭୂତକାର୍ଡ ବାଦ୍‌ ପଡ଼ିଥିଲା। ଏବେ ପୁଣି ୩ ହଜାରରୁ ଅଧିକ କାର୍ଡ କଟିଗଲାଣି। ଆସନ୍ତା ଦିନରେ ଆହୁରି କଟିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସହରରେ ମୋଟ ୬୫ ହଜାର କାର୍ଡରୁ ପାଖାପାଖି ୨୦%, ଅର୍ଥାତ୍‌ ୧୩ ହଜାର କାର୍ଡ ବାଦ୍‌ ପଡିଯିବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଯୋଗାଣ ବିଭାଗ ପକ୍ଷରୁ ଗଠିତ ସ୍ବତନ୍ତ୍ର ଟିମ୍‌ ପ୍ରତ୍ୟେକ କଣ୍ଟ୍ରୋଲ ଦୋକାନରେ କାର୍ଡ ଯାଞ୍ଚକୁ କଡ଼ାକଡ଼ି କରିଛନ୍ତି। କେଉଁ କଣ୍ଟ୍ରୋଲ ଦୋକାନ ଓ ଏସ୍‌ଏଚ୍‌ଜି ଅଧିନରେ କେତେ କାର୍ଡ ରହିଛି। ପିଡିଏସ୍‌ ଚାଉଳ ଉଠାଉଥିବା ହିତାଧିକାରୀ ଯୋଗ୍ୟ ନା ଅଯୋଗ୍ୟ ତାହା ଯାଞ୍ଚ କରାଯାଉଛି। କେତେ କାର୍ଡଧାରୀ ଚାଉଳ ଉଠାଉ ନାହାନ୍ତି, ତା’ର ଏକ ତାଲିକା ପ୍ରସ୍ତୁତ କରାଯାଉଛି। କେବଳ ଏତିକି ନୁହେଁ କଣ୍ଟ୍ରୋଲ ଦୋକାନ ଓ ଏସ୍‌ଏଚ୍‌ଜି ମହିଳାମାନେ ଓଜନରେ ହିତାଧିକାରୀଙ୍କୁ ନ ଠକିବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଉଭୟ କଣ୍ଟ୍ରୋଲ ଦୋକାନ ଓ ଏସ୍‌ଏଚ୍‌ଜିମାନେ ନିଜ କଣ୍ଟାରେ ଚାଉଳ ଓଜନ କରିପାରିବେନି। ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ବୈଦ୍ୟୁତିକ ଓଜନ ମେସିନ୍‌। ଯାହାକୁ ‘ପସ୍‌’ ମେସିନ୍‌ ସହ ସଂଯୋଗ କରାଯିବ। ପସ୍‌ ମେସିନ୍‌ ଅନୁଯାୟୀ ଠିକ୍‌ ଓଜନରରେ ହିତାଧିକାରୀ ଚାଉଳ ପାଇବେ। ପରୀକ୍ଷାମୂଳକ ଭାବେ ସହରର ଗୋଟିଏ ‌କଣ୍ଟ୍ରୋଲ ଦୋକାନରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଆସନ୍ତା ଦିନରେ ସହର ସମସ୍ତ କଣ୍ଟ୍ରୋଲ ଦୋକାନ ଓ ଏସ୍‌ଏଚ୍‌ଜି ପଏଣ୍ଟରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ସହର ପାଇଁ ଆବଶ୍ୟକ ବୈଦ୍ୟୁତିକ ଓଜନ ମେସିନ୍‌ ଯୋଗାଣ ବିଭାଗରେ ପହଞ୍ଚିସାରିଛି। ପସ୍‌ ମେସିନ୍‌ ସହ ସଂଯୋଗ କରାଯାଉଛି। ଖୁବ୍‌ଶୀଘ୍ର ରାଉରକେଲା ମହାନଗର (ଆର୍‌ଏମ୍‌ସି) ସହ ରାଜ୍ୟର ସମସ୍ତ ମହାନଗର ନିଗମରେ ଏହା କାର୍ଯ୍ୟକ୍ଷମ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଗ୍ରାମାଞ୍ଚଳରେ ଏଭଳି ବ୍ୟବସ୍ଥା କରାଯିବ। ବ୍ୟବସ୍ଥା କଡ଼ାକଡ଼ି ହେଲେ ପିଡିଏସ୍‌ ଚାଉଳ ବାଟମାରଣା କରୁଥିବା କଣ୍ଟ୍ରୋଲ ଦୋକାନୀ, ଏସ୍‌ଏଚ୍‌ଜି ଓ ପରିବହନ ସଂସ୍ଥା ସାବାଡ଼ ହେବେ। ତେବେ ଆଗାମୀ ଦିନରେ ଏହି ନୂତନ ବ୍ୟବସ୍ଥା କେତେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ ହେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।