ଆସନ୍ତାକାଲି ଠାରୁ ଛତ୍ରପୁର ଏନ୍‌ଏସି ୭ଦିନ ପାଇଁ ସଟ୍‌ଡାଉନ୍‌

ଗଞ୍ଜାମ: କରୋନା ମୁକାବିଲା ପାଇଁ ଆସନ୍ତାକାଲି ଠାରୁ (ମଙ୍ଗଳବାର) ଛତ୍ରପୁର ଏନ୍‌ଏସିକୁ ୭ଦିନ ପାଇଁ  ଜିଲ୍ଲାପାଳ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସଟଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ସେବା ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଛତ୍ରପୁର ବ୍ଲକ ଅଧ୍ୟକ୍ଷ କରୋନା ଆକ୍ରାନ୍ତ ହେବା ସହ ସହରରେ ୧୦ ଜଣରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ପଦକ୍ଷେପ ନେଇଛି। ଆସନ୍ତାକାଲି ସକାଳୁ ୭ଦିନ ଲାଗି ଛତ୍ରପୁର ସହର ସଟଡାଉନ୍ ହେବ ବୋଲି ଘୋଷଣା ହେବା ପରେ ଦୋକାନ ବଜାରରେ ଏଭଳି ଭିଡ ହୋଇଥିଲା ଯେ କିଛି କ୍ଷଣ ଲାଗି ପ୍ରଶାସନ ହାତରୁ ନିୟନ୍ତ୍ରଣ ଖସି ଯାଇଥିବା ଭଳି ମନେହୋଇଥିଲା। ଲୋକେ ସାମାଜିକ ଦୂରତା ନିୟମ ନ ମାନି ଜିନିଷପତ୍ର କିଣାକିଣିରେ ଲାଗିପଡ଼ିଥିଲେ।

ଏପଟେ ବ୍ରହ୍ମପୁର ସହରରେ ଲାଗୁ ହୋଇଥିବା ସଟଡାଉନର ଆଜି ତୃତୀୟ ଦିନ। ସହରର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ଦୋକାନ ବଜାର ବନ୍ଦ ରହିଛି । ବାହାର ଜିଲ୍ଲାରୁ ଲୋକ ଆସିବା ଉପରେ କଟକଣା ଲଗାଯାଇଛି । ଲୋକଙ୍କୁ ଘରଠାରୁ ଗୋଟିଏ କିଲୋମିଟରରୁ ଅଧିକ ବାଟ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଜ୍ୱର, କଫ ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭଳି ଲକ୍ଷଣ ଦେଖା ଦେଉଥିଲେ ଏହାକୁ ନଲୁଚାଇବାକୁ ଗଞ୍ଜାମ ଜିଲ୍ଲାପାଳ ଅନୁରୋଧ କରି କହିଛନ୍ତି। ଏଥିସହିତ ସାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ବେଳେ ଏଭଳି କିଛି ଲକ୍ଷଣ ଥିଲେ ତୁରନ୍ତ ଆଶାକର୍ମୀଙ୍କୁ ଜଣାଇବାକୁ ଟୁଇଟ୍‌ କରି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କରୋନା କଟକଣାକୁ କଡାକଡି କରାଯାଇଛି ।

ସମ୍ବନ୍ଧିତ ଖବର