ରାୟଗଡା: ରାୟଗଡା ଜିଲ୍ଲାରେ ପୁଣି ହାଡ଼ଫୁଟିକୁ ନେଇ ଆତଙ୍କ ଦେଖା ଦେଇଛି। ଜିଲ୍ଲାରର ସୀମାନ୍ତ ଜମାଦେଇପେଣ୍ଠ ପଞ୍ଚାୟତର ମେଠିଗୁଡା, ଟିକରପଡା ଏବଂ ବିଲେସୁ ଗ୍ରାମରେ ହାଡଫୁଟି ରୋଗ ବ୍ୟାପିଛି। ଏହି ତିନୋଟି ଗ୍ରାମରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହେଲେଣି। ଲୋକଙ୍କୁ ଜ୍ବର ହେବା ସହ ହାତ, ଗୋଡ ଫୁଲୁଛି।ହାତ, ଗୋଡ କୁଣ୍ଡିଆ ହେଉଛି। ତେବେ ଏହି ଅଞ୍ଚଳର ଲୋକେ ଏହାକୁ ଠାକୁରାଣୀ ଭାବି ପୂଜାର୍ଚ୍ଚନା କରୁଛନ୍ତି। ଖବର ପାଇ ମେଡିକାଲ ଟିମ ଏହି ଗାଁ ଗୁଡିକରେ ପହଞ୍ଚି ଲୋକଙ୍କୁ ସଚେତନ କରାଉଥିବା ଜଣାପଡିଛି। ହାଡ଼ଫୁଟି ଏକ ବାୟୁଜନିତ ରୋଗ ଏବଂ ଏହାକୁ ଔଷଧ ଖାଇଲେ ତୁରନ୍ତ ଭଲ ହୋଇଯିବ ବୋଲି ବୁଝାଉଥିବା ବେଳେ ଲୋକେ ଔଷଧ ଖାଇଲେ ଠାକୁରାଣୀ ରାଗିବେ ବୋଲି କହୁଥିବା ଦେଖିବାକୁ ମିଳିଛି। ତେବେ ୯ ଦିନ ପର୍ଯ୍ୟନ୍ତ ରୋଗୀକୁ ସେଭଳି ପୂଜା କରାଯିବା ସହ ନିମ୍ବ ପତ୍ର ଓ ହଳଦୀରେ ଗାଧୋଇଥାନ୍ତି।
/sambad/media/post_attachments/wp-content/uploads/2023/04/Rgda-Hada-futi-village-2.jpg)
ପରେ ଠାକୁରାଣୀଙ୍କ ନିକଟରେ କୁକୁଡା, ବତକ ବଳି ଦିଆଯାଇଥାଏ। ଠାକୁରାଣୀ ସନ୍ତଷ୍ଟ ହେଲେ ଏହି ରୋଗ ତୁରନ୍ତ ଭଲ ହେବ ବୋଲି ଲୋକଙ୍କର ବିଶ୍ବାସ ରହିଛି। ତେଣୁ ଲୋକେ ଔଷଧ ଖାଇବା ବନ୍ଦ କରି ଦେଇଛନ୍ତି। ତିନୋଟି ଗ୍ରାମରେ ଏବେ ଘରେ ଘରେ ହାଡଫୁଟି ରୋଗ ବ୍ୟାପୁଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ବଣ୍ଟନ କରାଯାଉଛି। ଔଷଧ ନଖାଇଲେ ମଧ୍ୟ ଏହା ଧିରେ ଧିରେ କମିଯିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ତେବେ ଲୋକେ କିନ୍ତୁ ସଚେତନ ହେବା ଦରକାର ବୋଲି କୁହାଯାଇଛି। କୌଣସି ଠାକୁରାଣୀଙ୍କର ଏହା ପ୍ରକୋପ ନୁହେଁ ବୋଲି କୁହାଯାଇଛି। ଲୋକେ କାହିଁ କେଉଁକାଳରୁ ଏହାକୁ ଠାକୁରାଣୀ ବୋଲି ମାନି ଆସୁଛନ୍ତି। ତେଣୁ ଲୋକଙ୍କ ମନରୁ ଏହାକୁ କାଢିବାକୁ ହେଲେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତୃଣମୂଳ ସ୍ତରରୁ ସଚେତନ କରାଇବା ଆବଶ୍ୟକ ହୋଇ ପଡିଛି। ଏହି ରୋଗ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ବ୍ୟାପିବା ପୂର୍ବରୁ ଲୋକଙ୍କ ନିକଟରେ ତୁରନ୍ତ ଔଷଧ ପହଞ୍ଚାଇବାକୁ ଦାବି ହୋଇଛି।