ଶ୍ରୀମନ୍ଦିର ଚାରିପଟେ ଉଚ୍ଛେଦ ନେଇ ରାଜନୈତିକ ବାତାବରଣ ଉଷ୍ଣ; ମଠ ମହନ୍ତମାନେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଲେଖିଲେ ଖୋଲା ଚିଠି

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଚାରିପଟେ ଗତ ସପ୍ତାହେ ହେଲା ଚାଲିଥିବା ଜବରଦଖଲ ଉଚ୍ଛେଦ ଅଭିଯାନ ନେଇ କ୍ଷତିଗ୍ରସ୍ତ ମଠର କାର୍ଯ୍ୟକର୍ତ୍ତା ତଥା ଦୋକାନୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ରାଜନୈତିକ ପରିବେଶ ମଧ୍ୟ ସରଗରମ ହୋଇ ଉଠିଛି। କ୍ଷତିଗ୍ରସ୍ତ ମଠର ମହନ୍ତ ଓ ସନ୍ଥମାନେ ଥଇଥାନ ବିନା ଉଚ୍ଛେଦ ଅଭିଯାନରେ ପ୍ରତିବାଦ କରିଥିବା ବେଳେ ବିରୋଧୀ ରାଜନୈତିକ ଦଳଗୁଡିକ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଆଜି ଏହି ଉଚ୍ଛେଦ ଅଭିଯାନ ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ‘ ଶ୍ରୀ କ୍ଷେତ୍ର ଏବେ କୁରୁକ୍ଷେତ୍ର ପାଲଟିଛି।’ ସେ କହିଛନ୍ତି, ‘ସାତ ଦିନ ହେଲା ଶ୍ରୀକ୍ଷେତ୍ରରେ ବୁଲଡୋଜର ଲଗାଇ ଏବଂ ପୁଲିସ ଫୋର୍ସ ମୁତୟନ କରି ଏକ ରଣକ୍ଷେତ୍ରରେ ପରିଣତ କରାଯାଇଛି। ଶ୍ରୀକ୍ଷେତ୍ରକୁ କୁରୁକ୍ଷେତ୍ର କରିବାର ନୈତିକ ଓ ସାମ୍ବିଧାନିକ ଅଧିକାର ସରକାରଙ୍କ ନାହିଁ। ଶ୍ରୀମନ୍ଦିର ଚାରିପଟେ ଉଚ୍ଛେଦ କରି ସରକାର କ’ଣ କରିବେ ତାହା ଜନସାଧାରଣଙ୍କୁ ଜଣାଇବା ଉଚିତ ।’

ସେହିପରି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ସରକାରଙ୍କର ମଠ ଉଚ୍ଛେଦ ଅଭିଯାନକୁ ସମାଲୋଚନା କରି କହିଛନ୍ତି, ଯେ ଯେଉଁଭଳି ଭାବେ ଶହଶହ କୋଟି ଟଙ୍କା ଖର୍ଚ୍ଚ କରି ସରକାର ମଠ ମନ୍ଦିର ଭାଙ୍ଗି ଜାଗା ଖାଲି କରୁଛନ୍ତି ସେଥିରେ ସନ୍ଦେହ ପ୍ରକାଶ ପାଉଛି ଯେ ଏହା କୌଣସି ପ୍ରଭାବଶାଳୀ ଓ ଧନୀଗୋଷ୍ଠୀ ହାତକୁ ଟେକି ଦିଆଯିବ ନାହିଁ ତ? ବଡ଼ଦାଣ୍ଡରେ ଟିକିଏ ବର୍ଷାହେଲେ ଆଣ୍ଠୁଏ ପାଣି ଜମି ଜମୁଥିବା ବେଳେ ଶ୍ରୀକ୍ଷେତ୍ରର ତଥାକଥିତ ସୌନ୍ଦର୍ଯ୍ୟକରଣ ଯୋଜନାର ଆନ୍ତରିକତା ନେଇ ପ୍ରଶ୍ନ ଉଠୁଛି ବୋଲି ଶ୍ରୀ କାନୁନ୍‌ଗୋ କହିଛନ୍ତି।

ଅନ୍ୟ ପକ୍ଷରେ ସରକାରଙ୍କର ଏହି ଉଚ୍ଛେଦ ଅଭିଯାନକୁ ଦୃଢ଼ ସମର୍ଥନ କରି ଶାସକ ବିଜୁ ଜନତା ଦଳର ମୁଖପାତ୍ର ଅମର ପଟ୍ଟଠନାୟକ କହିଛନ୍ତି ଯେ ଜଷ୍ଟିସ ବି.ପି ଦାସ୍‌ କମିଶନଙ୍କ ସୁପାରିଶ ଅନୁଯାୟୀ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଏହି ଉଚ୍ଛେଦ ଅଭିଯାନ ହାତକୁ ନିଆଯାଇଛି। ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ ମଧ୍ୟ ଏହି ଉଚ୍ଛେଦ ଅଭିଯାନରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। ତେଣୁ ଉଚ୍ଛେଦ ଅଭିଯାନକୁ ସମାଲୋଚନା କରିବା ଅର୍ଥ ସୁପ୍ରିମକୋର୍ଟର ଅବମାନନା କରିବା।

ଆଜି ପୁରୀ ଜିଲ୍ଲା ପ୍ରଶାସନ ଏକ ପ୍ରତିନିଧି ଦଳ ସହ ଦୀର୍ଘ ସମୟ ଧରି ଉଚ୍ଛେଦ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନା ଶେଷରେ ପ୍ରଶାସନ ଉଚ୍ଛେଦ ଅଭିଯାନ ଜାରି ରହିବ ଏବଂ କୌଣସି ପରିସ୍ଥିତିରେ ସ୍ଥଗିତ ରଖାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି।

ପୁରୀର ବିଭନ୍ନ ମଠର ମହନ୍ତମାନେ ଏକ ଖୋଲା ଚିଠି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଲେଖି ପୁରୁଣା ମଠଗୁଡ଼ିକର ସୁରକ୍ଷା ପାଇଁ ଏହି ଉଚ୍ଛେଦ ପ୍ରକ୍ରିୟା ଉପରେ ରହିତାଦେଶ ଜାରି କରିବାକୁ ନିବେଦନ କରିଛନ୍ତି। ମଠଗୁଡ଼ିକର ଧାର୍ମିକ ମୂଲ୍ୟବୋଧକୁ ଅଣଦେଖା କରାଯାଇ ଉଠାଯାଉଛି ବୋଲି ଅଭିଯୋଗ କରି ସେମାନେ ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ମଠର ମହନ୍ତମାନଙ୍କ ବିନା ସହମତିରେ ଏହି ମଠଗୁଡ଼ିକୁ ଉଠା ଯାଉଛି। ଶ୍ରୀକ୍ଷେତ୍ରରେ ସ୍ଥିତି ଜାଣିବା ପାଇଁ ଆମିକ୍ୟୁଅସ୍‌ କ୍ୟୁରିଙ୍କୁ ପୁରୀ ଆସିବାକୁ ସୁପ୍ରିମକୋର୍ଟ କହିଥିଲେ। ତେବେ ସେମାନଙ୍କୁ ଅପେକ୍ଷା ନ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ କାର୍ଯ୍ୟ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବୋଲି ମହନ୍ତମାନେ ସେମାନଙ୍କର ଖୋଲା ଚିଠିରେ କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର