ଚର୍ଚ୍ଚାରେ କଫି ଚାଷୀ ସୁଲୋଚନା, ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ 

କୋରାପୁଟ/ନନ୍ଦପୁର: ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କସ୍‌ମପଦର ଗାଁର ମହିଳା ସୁଲ‌ୋଚନା ଖରା। ମୁଖ୍ୟମନ୍ତ୍ରୀର ନବୀନ ପଟ୍ଟନାୟକ ପ୍ରଂସଶା କରିବା ପରେ ଜିଲ୍ଲାରେ ରହିଥିବା ମହିଳା ଚାଷୀଙ୍କ ଆତ୍ମବଳ ବଢିଯାଇଛି। ଜିଲ୍ଲାରେ କଫି ଚାଷ କରି ନିଜର ଆର୍ଥିକ ସ୍ବଚ୍ଛଳତାକୁ ବୃଦ୍ଧି କରିଥିବାବେଳେ କୋରାପୁଟ ଜିଲ୍ଲାର ନାଁକୁ ଓଡ଼ିଶାରେ ପ୍ରତିପାଦିତ କରିପାରିଛନ୍ତି। ଚଳିତବର୍ଷ କୋରାପୁଟ କଫିକୁ ଟାଟା କଫି କିଣି ନେଇଥିବାବେଳେ ସର୍ବାଧିକ ଭାବେ ୨୦୪.୫ କେଜି କଫି ବିକ୍ରୟ କରିଛନ୍ତି ସୁଲୋଚନା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ପ୍ରଶଂସା କରିଛନ୍ତି।

 

ଏହା ଖୁସିର ବିଷୟ ବୋଲି କହିବା ସହ କୋରାପୁଟ କଫିର ସ୍ୱତନ୍ତ୍ରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି। କୋରାପୁଟ କଫିର ଆଦୃତି ଆଦାବାସୀ ଚାଷୀଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିକୁ ଆହୁରୀ ସୁଦୃଢ କରିବ ଏବଂ କୋରାପୁଟ କଫି ଚାଷୀଙ୍କ ପାଇଁ ଏହା ନୂଆ ଆଶାର କିରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ ସମୟରେ ଆଦିବାସୀଙ୍କ ଜୀବନ ଜୀବିକା ସୁରକ୍ଷିତ କରିବାରେ ଏହା ବଡ ଗୁରୁତ୍ୱ ବହନ କରିବ। ଏହା ଶୁଣି ସୁଲୋଚନା ଖରା ବେଶ ଖୁସି ପ୍ରକଟ କରିଛନ୍ତି। ଆଗାମୀ ଦିନରେ ଅଧିକ କଫି ଚାଷ କରିବା ସହ କୋରାପୁଟ ଜିଲ୍ଲାର ଆଦିବାସୀ ମହିଳା ମାନଙ୍କୁ ସଚେତନ କରିବି ବୋଲି ସୁଲୋଚନା କହିଛନ୍ତି। କଫି ଚାଷ ଓ ଚାଷୀଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ ପରେ ଜିଲ୍ଲାର କଫି ଚାଷୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ବୃଦ୍ଧି ପାଇଥିବା ଦେଖା ଦେଇଛି। ଟିଡିସିସି କର୍ତ୍ତୃପକ୍ଷ ବି ଖୁସି ପ୍ରକଟ କରିଛନ୍ତି।

 

ମୁଖ୍ୟମନ୍ତ୍ରୀ ଟୁଇଟ କରି ଯେଉଁ ଭଳି ଉତ୍ସାହ ସୃଷ୍ଟି କରିଛନ୍ତି ତାହା କୋରାପୁଟ ଜିଲ୍ଲାର ଆଦିବାସୀ କଫି ଚାଷୀଙ୍କ ମଧ୍ୟରେ ଆନନ୍ଦ ସୃଷ୍ଟି କରି ପାରିଛି ବୋଲି ଟିଡିସିସି ଅଧିକାରୀ ଆଶୁତୋଷ ନନ୍ଦ କହିଛନ୍ତି। ଗତକାଲି କୋରାପୁଟ ଜିଲ୍ଲାପାଇଁ ଗର୍ବର ଦୀନ ଥିଲା। ଆର୍ନ୍ତଜାତୀୟ ଖ୍ୟାତି ସଂପର୍ଣ୍ଣ ଟାଟା କଂପାନୀ ସହିତ କୋରାପୁଟ କଫିକୁ ସଂଯୋଗ କରାଯାଇ ପାରିଥିବା ବେଳେ କାଫକୋ ସହାୟତରେ ଆଦିବାସୀ ଉନ୍ନୟନ ସମବାୟ ନିଗମ ମାଧ୍ୟମରେ ଦୁଇଟି ଟ୍ରକରେ ୩୧୮ କ୍ୱିଇଣ୍ଟାଲ କଫି କର୍ଣ୍ଣାଟକର କୁଶଲନଗରକୁ ପଠାଯାଇଛି। ଏନେଇ କଫିର ଜିଲ୍ଲା ମାର୍କେଟିଂ ଅଧିକାରୀ ଆଶୁତୋଷ ନନ୍ଦ କହିଛନ୍ତି ନନ୍ଦପୁର ସୁଲୋଚନା ଖରାଙ୍କ ଠାରୁ ୩୫ ଟଙ୍କା ଦରରେ ୨୦୪.୫ କେଜି କଫି ଫଳ ଟିଡିସିସି ଦ୍ୱାରା କିଣାଯାଇଥିଲା। ସେ ୧ ଏକର ଜମିରେ କଫି ଚାଷ କରୁଥିଲେ। ଜିଲ୍ଲା ପ୍ରଶାସନର ଜଙ୍ଗଲଜମି ପଟ୍ଟା ଆଇନ ମାଧ୍ୟମରେ ପଟ୍ଟା ଦିଆଯାଇଥିଲା। ତେବେ ଜିଲ୍ଲାରେ ଏହି କଫି ଚାଷ କରି ୧୯୩ ଜଣ ଆଦିବାସୀ ମହିଳା ଉପକୃତ ହେଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର