ରାୟଗଡ଼ାରେ ୧୨୫୦କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ରାୟଗଡା: ବୁଧବାର ଦିନ ପାଗ ଖରାପ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାତ୍ରା କରୁଥିବା ବିମାନଟି ଲାଞ୍ଜିଗଡ଼ ଠାରେ ଅବତରଣ କରି ନ ପାରିବାରୁ ଜୟପୁର ଠାରେ ଅବତରଣ କରିଥିଲା। ଫଳରେ ରାୟଗଡ଼ା ଜିଲ୍ଲାର କଲିଗୁଡାଠାରେ ଆୟୋଜିତ ହୋଇଥିବା ମହିଳା ସଶକ୍ତିକରଣ ମହା ସମାବେଶରେ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିଥିବା ହେତୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମା ମାଗି ଭାଷଣ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ ରାୟଗଡ଼ାରେ ୧୨୫୦କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିଥିବା କହି ଆପଣମାନେ ଖୁସି ତ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ପଦରେ ହଁ ଭରିଥିଲେ ସମାବେଶରେ ଉପସ୍ଥିତ ଥିବା ଲୋକମାନେ।

ରାୟଗଡ଼ା ଜିଲ୍ଲାର ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସିଡମନି ସହାୟତା ପାଇଥିବା ୬୭୨୯ଟି ସ୍ୱୟଂ ସହାୟକ ଗୋଷ୍ଠୀ, ୨ କୋଟି ୨୦ ଲକ୍ଷ ଟଙ୍କା ଡିଜିଟାଲ୍‌ ସଶକ୍ତିକରଣ ନିମନ୍ତେ ପାଇଥିବା ୬୭୩୫ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୨କୋଟି ୭୫ ଲକ୍ଷ ଟଙ୍କା ସହାୟତା ପାଇଥିବା ୧୧ଟି ବ୍ଳକ୍‌ସ୍ତରୀୟ ମହାସଂଘର ସଦସ୍ୟାମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହାପରେ ସେ ୧୪୪ଟି ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ମିସନ୍‌ ଶକ୍ତି ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ଦେଇଥିଲେ।

ଏହାଛଡ଼ା ମୁଖ୍ୟମନ୍ତ୍ରୀ ୫୩୨ କୋଟି ୫୮ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିବା ୪୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ୨୦୪ କୋଟି ୮୪ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟରେ ନିର୍ମିତ ୪୧ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ।

ସମାବେଶରେ ସେ ୧୫୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ସାଇକେଲ୍‌, ୧୧୮୯ ଜଣଙ୍କୁ ମଧୁବାବୁ ପେନ୍‌ସନ୍‌, ୧୨୯୭ ଜଣଙ୍କୁ ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ କରିଥିଲେ। ସେହିପରି ଆଜି ଅପରାହ୍ନରେ ଅପରାହ୍ନରେ ଖୋର୍ଦ୍ଧା ଗୋଶାଳା ପଡିଆରେ ବିଜୁ ଯୁବ ବାହିନୀ ସମାବେଶକୁ ସମ୍ବୋଧିତ କରିବେ ନବୀନ।

ସମ୍ବନ୍ଧିତ ଖବର