ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜ ଆସିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ସ୍ମାର୍ଟ ହେଲ୍‌ଥ କାର୍ଡ

ଦୁର୍ଗାପୂଜା ପୂର୍ବରୁ ଜିଲ୍ଲା ପାଇଁ ଏକାଧିକ ପ୍ରକଳ୍ପ ଭେଟି

ବାରିପଦା: ଆସୁଛି ପଞ୍ଚାୟତ ନିର୍ବାଚନ। ଆଉ ଏହାର ଅବ୍ୟବହିତ ପୂର୍ବରୁ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ମାସ (ଅକ୍ଟୋବର) ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ବାରିପଦା ଗସ୍ତ ଚୂଡ଼ାନ୍ତ ହୋଇଛି। ଯଦିଓ ଏହି ଗସ୍ତ ସମ୍ପୂର୍ଣ୍ଣ ସରକାରୀ ତଥାପି ରାଜନୈତିକ ମହଲରେ ଏହା ବେଶ୍‌ ଗୁରୁତ୍ବ ବହନ କରୁଛି। ସ୍ଥାନୀୟ ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ନବୀନ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଅନ୍ତର୍ଗତ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏଥିସହିତ ଜିଲ୍ଲା ପାଇଁ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶୁଭାରମ୍ଭ କରିବାର ଯୋଜନା ରହିଛି।

ମାଲକାନଗିରି, ସୁନ୍ଦରଗଡ଼, ବଲାଙ୍ଗୀର ପରେ ଚଳିତ ମାସରେ ହିଁ ମୁଖ୍ୟମନ୍ତ୍ରୀଙ୍କର ମୟୂରଭଞ୍ଜ ଗସ୍ତ ଯୋଜନା ରହିଥିଲା। ମାତ୍ର ଲଗାଣ ବର୍ଷା କାରଣରୁ ଏହି କାର୍ଯ୍ୟକ୍ରମ ଆସନ୍ତା ମାସ ୮ ତାରିଖକୁ ଘୁଞ୍ଚାଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି ବାରିପଦାରେ ସ୍ଥିତି ପରଖିଛନ୍ତି। ଦଳୀୟ ନେତୃମଣ୍ଡଳୀଙ୍କ ସହିତ ବବି ସହିଦ ସ୍ମୃତି ଭବନ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ‌ ସମ୍ପର୍କରେ ଆଲୋଚନା କରିଥିଲେ। ରାଜନୈତିକ ଦୃଷ୍ଟିକୋଣରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଜିଲ୍ଲା ବିଜେଡି ପାଇଁ କିନ୍ତୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଗତ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜରେ ବିଜେଡି ଯେପରି ଦଶା ଭୋଗିଥିଲା, ଚଳିତ ପଞ୍ଚାୟତ ନିର୍ବାଚନରେ କିନ୍ତୁ ତାହା ନ ଦୋହରାଇବା ଲକ୍ଷ୍ୟରେ ରହିଛି।

ଏନେଇ ପୁରା ଜିଲ୍ଲାରେ ବବିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବିଜେଡି ଯୋଜନାବଦ୍ଧ ଭାବେ ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିଛି। ବିଶେଷକରି ଏଥର ପ୍ରତି ଜିଲ୍ଲାପରିଷଦ ଆସନ ଉପରେ ସର୍ବାଧୀକ ଗୁରୁତ୍ବାରୋପ କରିଛି ଦଳ। ସେହିପରି ତୃଣମୂଳସ୍ତରରେ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାର ସହିତ ସାଧାରଣ ଭୋଟରଙ୍କୁ ବିଜେଡି ସହିତ ଯୋଡ଼ି ହୋଇ ରହିବା ନିମନ୍ତେ ଦଳ ପକ୍ଷରୁ ସମସ୍ତ ପ୍ରୟାସ ଜାରି ରଖିଛି। ତେଣୁ ନବୀନଙ୍କ ଏହି ଗସ୍ତ ଦଳ ପାଇଁ ବଳ ‌ଯୋଗାଇବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ରଖିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ହାତରେ ହେବାକୁ ଥିବା ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ଥର ସ୍ଥାପନ ମଧ୍ୟ ଦଳକୁ ନିର୍ବାଚନରେ ସହାୟକ ହେବ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନଙ୍କ ଗସ୍ତକୁ ନେଇ ବିଜେଡି ଶିବିରରେ ଉତ୍ସାହ ଦେଖା ଦେଇଛି। ଏହି ଗସ୍ତ କାଳରେ ପ୍ରାୟ ୨୦ରୁ ଅଧିକ ମନ୍ତ୍ରୀ ବିଧାୟକ ବାରିପଦାରେ ଉପସ୍ଥିତ ରହିବେ। ଯାହାକି ଜିଲ୍ଲାରେ ଦଳକୁ ନିର୍ବାଚନମୁଖୀ କରିବ ବୋଲି ଚର୍ଚ୍ଚା ହେଉଛି। ପ୍ରଣବ ପ୍ରକାଶଙ୍କ ଗସ୍ତ ଅବସରରେ ରାଜ୍ୟସଭା ସାଂସଦ ମମତା ମହାନ୍ତି, ପୂର୍ବତନ ନଗରପାଳ ତଥା ମୋରଡ଼ା ନିର୍ବାଚନ ମଣ୍ଡଳୀ ସଂଯୋଜକ କୃଷ୍ଣାନନ୍ଦ ମହାନ୍ତି, ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ଏସ୍‌ଡିସି ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ପ୍ରକାଶ କୁମାର ମହାନ୍ତି, ପ୍ରଭାତ ନାୟକ, ସୁବ୍ରମଣ୍ୟମ ମହାନ୍ତି, ଯୁବ ସଭାପତି ଅରୁଣ ବରାଡ଼, ଛାତ୍ର ସଭାପତି ସୁନୀଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର