ମହେନ୍ଦ୍ରଗିରି ଓ ଚନ୍ଦ୍ରଗିରି ଓଡ଼ିଶା ପର୍ଯ୍ୟଟନ ସର୍କିଟ ସହ ସଂଯୁକ୍ତ ହେବ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଜପତି ଜିଲ୍ଲା ଗସ୍ତକରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଏବଂ ଜିଲ୍ଲାରେ ରହିଥିବା ପର୍ଯ୍ୟଟନ ସମ୍ଭାବନାର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲ ।  ଶ୍ରୀ ମହାପାତ୍ର ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ରାସ୍ତାରେ ତୁମ୍ବା-ପୁରିଆ ସାହି-ବୁର୍ଖତ ଆଦି ସ୍ଥାନ ଦେଇ ମହେନ୍ଦ୍ରଗିରିର କୁନ୍ତୀ ମନ୍ଦିର, ଯୁଧିଷ୍ଠିର ମନ୍ଦିର ପରିଦର୍ଶନ କରିଥିଲେ । ଶ୍ରୀ ମହାପାତ୍ର ମଧ୍ୟ ମହେନ୍ଦ୍ରଗିରି ଶିଖର ଅଞ୍ଚଳରେ ପର୍ଯ୍ୟଟନ ବିକାଶର ସମ୍ଭାବନା ଅନୁଧ୍ୟାନ କରିଥିଲେ ।

ଏହିସବୁ ମନ୍ଦିର ଏବଂ ମହେନ୍ଦ୍ରଗିରିକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଅଧିକ ଆକର୍ଷଣୀୟ କରିବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶମାନ ଦେଇଥିଲେ । ଏହା ସହ ମହେନ୍ଦ୍ରଗିରି ଜୈବ ଅଞ୍ଚଳର ଜୈବବିବିଧତା ବୃଦ୍ଧି କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ପର୍ଯ୍ୟଟକମାନଙ୍କ ନିମନ୍ତେ ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ରାସ୍ତାକୁ ସଂଯୋଜିତ କରୁଥିବା ସ୍ଥାନ ବୁର୍ଖତଠାରେ ପର୍ଯ୍ୟଟକ-ରହଣି କ୍ୟାମ୍ପ୍ ଓ ସୁବିଧା କେନ୍ଦ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଗସ୍ତକାଳରେ ମୁଖ୍ୟ ଶାସନ ସଚିବ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଏବଂ ଖସଡ଼ା ଜଳପ୍ରପାତ ପର୍ଯ୍ୟଟନ ବିକାଶ ଆଦିର ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାପଡ଼ିଥିଲା । ଯେ ଇତି ମଧ୍ୟରେ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛିା ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ।  ଏହି ପ୍ରକଳ୍ପ ଗଜପତି ଜିଲ୍ଲାର ୫୦୦ ହେକ୍ଟର ଏବଂ ଗଞ୍ଜାମ ଜିଲ୍ଲାର ପ୍ରାୟ ୬୦୦୦ ହେକ୍ଟର ଜମିକୁ ଜଳସେଚିତ କରିବ ।

ଏହି ଗସ୍ତ ସମୟରେ ରାଜସ୍ୱ ଡିଭିଜନ୍ କମିଶନର ଡି. ଓ୍ୱାପାଙ୍ଗ୍ ଆଓ ଏବଂ ଗଜପତିର ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସମୀକ୍ଷା ନିମନ୍ତେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ ।

ସମ୍ବନ୍ଧିତ ଖବର