ଭୁଲ୍‌ ଟିକା ନେଇ ଦେଢ ମାସର ଶିଶୁ ମୃତ !

ସୁନ୍ଦରଗଡ଼: ଏକ ଗୁରୁତର ଅଭିଯୋଗକ୍ରମେ, କିଞ୍ଜିରକେଲା ଥାନା ବି.କରୁଆବାହାଲ ଅଙ୍ଗନବାଡ଼ି କେନ୍ଦ୍ରରେ ଟିକା ଓ ଔଷଧର ଭୁଲ୍‌ ଅନୁପାନ ଯୋଗୁଁ ଏକ ଦେଢ଼ ମାସରେ ଶିଶୁ ପୁତ୍ର ପୀୟୂଷର ମୃତ୍ୟୁ ହୋଇଛି। ଏ ନେଇ ମୃତ ଶିଶୁର ବାପା ସୁରମଣି ଟପ୍ପୋ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ପୂରା ଘଟଣାକ୍ରମରେ କିଞ୍ଜିରକେଲା ପୁଲିସ ଆସିବାରେ ବିଳମ୍ବ କରିଥିବା ବେଳେ ଦେଢ଼ ମାସର ପୁଅକୁ ହରାଇ ମ୍ରିୟମାଣ ହୋଇପଡ଼ିଥିବା ବାପାମା ଶବକୁ ଧରି ସୁନ୍ଦରଗଡ଼ ବ୍ୟବଚ୍ଛେଦ ଗୃହ ଆଗରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏ କାନ୍ଦି କାନ୍ଦି ବସି ରହିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଥିଲା। ସକାଳ ୧୦ଟାରେ ଟାଉନଥାନାରୁ କିଞ୍ଜିରକେଲା ଥାନାକୁ ସୂଚନା ଦିଆଯାଇଥିଲେ ମଧ୍ୟ ପୁଲିସ ଅପରାହ୍ନ ୩ଟାରେ ପହଞ୍ଚିବା ପରେ ବ୍ୟବଚ୍ଛେଦ ହୋଇଥିବା ଜଣାପଡ଼ିଛି।

ସୁରମଣିଙ୍କ ଅଭିଯୋଗ ଅନୁସାରେ, ପତ୍ନୀ ରଞ୍ଜିତା ଗର୍ଭରୁ ଗତ ୨୦୨୧ ଜାନୁଆରି ୧ରେ ଏକ ଶିଶୁ ପୁତ୍ର ଜନ୍ମ ନେଇଥିଲା। ସେ ଜନ୍ମରୁ ବେଶ ସୁସ୍ଥ ଥିବା ବେ‌ଳେ ଫେବ୍ରୁଆରି ୧୭ ତାରିଖ ଦିନ ୧୧ଟାରେ ସ୍ଥାନୀୟ ବି.କରୁଆବାହାଲ ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ଟିକା ଦେବା ସହ ଜ୍ବର ପାଇଁ ପାରାସିଟାମଲ୍‌ ବଟିକା ଦେଇଥିଲେ। ଉପସ୍ଥିତ ସ୍ବାସ୍ଥ୍ୟକର୍ମୀଙ୍କ ପରାମର୍ଶ ଅନୁସାରେ, ଶିଶୁକୁ ମଧ୍ୟାହ୍ନ ୧୨ଟାରେ ଅଧା ବଟିକା ଦିଆଯାଇଥିବା ବେଳେ ସନ୍ଧ୍ୟା ୭ଟାରେ ଆଉ ଅଧା ଖୁଆଇଥିଲେ ମା’ ରଞ୍ଜିତା। ମଧ୍ୟ ରାତିରେ ଶିଶୁ ଦେହରୁ ଝାଳ ବାହାରିଥିବା ବେଳେ ସେ ସାରା ରାତି କାନ୍ଦିଥିଲା। ସକାଳ ୬ଟାରେ ତା’ ଦେହ ନିସ୍ତେଜ ହେବାରୁ ବ୍ୟତିବ୍ୟସ୍ତ ବାପାମା ତୁରନ୍ତ ଏକ ଭଡ଼ା ଗାଡ଼ିରେ କିଞ୍ଜିରକେଲା ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେତେବେଳେ ସେଠାରେ ଡାକ୍ତର ନଥିବା ବେଳେ ଜଣେ ସ୍ବାସ୍ଥ୍ୟକର୍ମୀ ତୁରନ୍ତ ସୁନ୍ଦରଗଡ଼କୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ସୁନ୍ଦରଗଡ଼ ପହଞ୍ଚିବା କ୍ଷଣି ପ୍ରାୟ ସକାଳ ସାଢ଼େ ୮ଟାରେ ଡାକ୍ତର ଦେଖି ତାକୁ ମୃତ ଘୋଷଣା କରିଥି‌ଲେ। ତ୍ରୁଟିପୂର୍ଣ୍ଣ ଭାବେ ଟିକା ଓ ଔଷଧ ଦିଆଯାଇଥିବାରୁ ଶିଶୁର ମୃତ୍ୟୁ ହୋଇଥିବା ବାପା ଅଭିଯୋଗ କରିବା ପରେ ଡାକ୍ତରଖାନା ପକ୍ଷରୁ ଟାଉନଥାନାକୁ ସୂଚନା ଦିଆଯାଇଥିଲା। ଟାଉନପୁଲିସ କିଞ୍ଜିରକେଲାକୁ ଅବଗତ କରାଇଥିଲା। ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛି।

ସମ୍ବନ୍ଧିତ ଖବର