ଜଗତସିଂହପୁର ଟାଉନ୍/ବିରିଡ଼ି: ମାମୁ ଘରକୁ ଯାଇ ନିଖୋଜ ହୋଇଥିବା ଦୁଇ ବର୍ଷ ଶିଶୁ ସୌମ୍ୟରଂଜନ ଓରଫ ବାପୁନ୍‌ର ମୃତଦେହ ଆଜି କେନାଲରୁ ମିଳିଛି। ମୃତ ଦେହ ମିଳିବା ପରେ ମାମୁଁ ଘର ଗାଁ ବିରିଡ଼ି ଥାନା ଶିବପୁର ପଂଚାୟତ ଶଙ୍କରପୁର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଚଳାଇଛି। ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ତ ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଘଟଣାରେ ସେହି ଗାଁର ଏକ ନାବାଳକ ଓ ତାର ମା’କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହା ହତ୍ୟାକାଣ୍ତ କିମ୍ବା ଏକ ଦୁର୍ଘଟଣା ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ମଙ୍ଗଳପୁରର କହ୍ନେଇଲାଲ୍ ଭୋଇ ଓ ଶୁନୁଲତା ଭୋଇଙ୍କ ଦୁଇ ବର୍ଷର ପୁଅ ସୌମ୍ୟରଂଜନ ଓରଫ ବାପୁନ୍। କହ୍ନେଇଲାଲ୍ ଓଡ଼ିଶା ବାହାରେ ରହି କାମ କରନ୍ତି। ପ୍ରାୟ ଦୁଇ ବର୍ଷ ହେବ ବଡ଼ ଝିଅ ଏବଂ ପୁଅକୁ ନେଇ ଶୁନୁଲତା ନିଜ ବାପ ଘର ଶଙ୍କରପୁର ଗାଁରେ ରହୁଥିଲେ। ଗତ ସୋମବାର ଦିନ ପ୍ରାୟ ୧୧ଟା ବେଳେ ସୌମ୍ୟ ଘର ଅଗଣାରେ ଖେଳୁଥିଲା। ମା’ ପଚାରିବା ବେଳେ ପିଲାଟି ଖନି ଖନି ପାଟିରେ ସେଇଠି ଖେଳୁଥିବା କହିଥିଲା। କିଛି ସମୟ ଭିତରେ ହଠାତ୍ ଗାଏବ୍‌ ହୋଇ ଯାଇଥିଲା। ବହୁ ଖୋଜାଖୋଜି ପରେ ପରିବାର ଲୋକ ବିରିଡ଼ି ଥାନା ଅଧିକାରୀ ନିରଞ୍ଜନ ମଲ୍ଲିକଙ୍କୁ ଜଣାଇବା ପରେ ସେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲେ। ଶିଶୁ ପୁତ୍ରକୁ ଜଣେ ଫେରିବାଲା ଲୁନାରେ ବସାଇ ନେଇ ଯାଉଥିବା କଥା ଗାଁର ଜଣେ ମହିଳା କହିଥିଲେ। ତେଣୁ ପୁଲିସ ଗାଁ ଠାରୁ ବସନ୍ତପୁର ଏବଂ ଭୁବନେଶ୍ବର ଝାରପଡ଼ା ଆଡକୁ ଯାଇଥିବା ରାସ୍ତାର ସମସ୍ତ ସିସି ଟିଭି ଗୁଡ଼ିକୁ ଯାଞ୍ଚ କରିଥିଲା। ହେଲେ କୌଣସି ସୁରାକ୍‌ ପାଇ ନଥିଲା।

Advertisment

ସନ୍ଧାନୀ କୁକୁରକୁ ନେଇ ତଦନ୍ତ ବେଳେ ସେ ନିକଟରେ ଥିବା କେନାଲ ଆଡକୁ ଓ କେତେକଙ୍କ ଘରକୁ ଯାଇଥିଲା। ତେଣୁ ପୁଲିସ୍‌ ସେହି ଗାଁରେ ହିଁ ଶିଶୁଟି ଥିବ ବୋଲି ନିଶ୍ଚିତ ହୋଇ ଯାଇଥିଲା। ଆଜି ସକାଳୁ ଗ୍ରାମବାସୀ ଖୋଜା ଖୋଜି କଲା ବେଳେ ଶିଶୁ ପୁତ୍ରର ମୃତ ଦେହକୁ କେନାଲରୁ ଉଦ୍ଧାର କରାଯାଇଥିଲା। ଯାହାକୁ ନେଇ ସାରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ଥାନା ଅଧିକାରୀ ଶ୍ରୀ ମଲ୍ଲିକ ପହଚିଂ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଏକ ନାବାଳକ ଓ ତାର ବୋଉ ପୁଅକୁ ମାରି ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। କେନାଲ ନିକଟରେ ଏକ ତାଳ ପତ୍ରରେ ରକ୍ତ ଲାଗିଛି। ସେଠାରୁ କେନାଲ ଆଡକୁ ରକ୍ତ ପଡ଼ି ପଡ଼ି ଯାଇ ଶୁଖି ଯାଇଛି। ଅନ୍ୟପଟେ ମୃତ ସୌମ୍ୟଙ୍କ ଜେଜେ ବାପାଙ୍କ କହିବା ଅନୁସାରେ ଘର ପାଖର ଏକ ନାବାଳକ ପିଲା ଭୟଭୀତ ହୋଇ ସେ ସୌମ୍ୟକୁ ମାରିଥିବା ସ୍ବୀକାର କରିଛି। ଅଧିକ ପଚରାଉଚରା କରିବାରୁ ଗତ ମଙ୍ଗଳବାରଠାରୁ ନାବାଳକ ଓ ତାର ମା’ କେଉଁଆଡେ ଚାଲି ଯାଇଥିଲେ। ଅଭିଯୋଗ ପରେ ପୋଲିସ ଉକ୍ତ ଦୁଇଜଣଙ୍କୁ ଅଟକ ରଖିଥିବା ଏକ ବିଶେଷ ସୂତ୍ରରୁ ଜଣା ପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହୋଇ ଯିବ ବୋଲି ପୁଲିସ କହିଛି।