ଧର୍ମଶାଳା/କଣ୍ଟିଗଡ଼ିଆ: ଭୁଲ୍ ଟିକାକରଣ ପାଇଁ ଏକ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ। ଶିଶୁର ମୃତ୍ୟୁ ପାଇଁ ତାକୁ ଟିକା ଦେଇଥିବା ସ୍ବାସ୍ଥ୍ୟ କର୍ମଚାରୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟୀ କରିଛନ୍ତି ପରିବାର ଲୋକ। ଏନେଇ ମୃତ ଶିଶୁର ମା' ପଟୁଣିଆ ପଞ୍ଚାୟତ ଶଙ୍ଖ ଗ୍ରାମର ନବୀନ ସେଠୀଙ୍କ ପତ୍ନୀ ବେବି ଧର୍ମଶାଳା ଥାନାରେ ଗତ ୩୦ ତାରିଖରେ ଏତଲା ଦେଇଥିଲେ। ପୁଲିସ୍‌ ଆଜି ଘଟଣାସ୍ଥଳରେ ପହ‌ଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ଦୁଇଦିନ ତଳେ ମାଟିରେ ପୋତାଯାଇଥିବା ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ପଠାଇଛି।

Advertisment

ଅଭିଯୋଗ ଅନୁସାରେ ବେବି ସେଠୀ ଗତ ୨୦ ତାରିଖରେ ପାଟପୁର ପଞ୍ଚାୟତ ଫାଜିଲପୁର ଅଙ୍ଗନବାଡ଼ି କେନ୍ଦ୍ରକୁ ନିଜ ୩ ମାସ ୬ ଦିନର ପୁଅକୁ ଟିକା ଦେବା ପାଇଁ ନେଇଥିଲେ। ପୁଅର ଓଜନ ୩କିଲୋ ଥିବାବେଳେ ସେଠାରେ ଥିବା ଓଜନ ମେସିନରେ ୪କିଲୋ ୨୦୦ ଗ୍ରାମ୍ ହେଲା ବୋଲି ସୂଚନା ଦିଆଯାଇଥିଲା। ସେ ଏହାକୁ ବିରୋଧ କରିଥିଲେ ମଧ୍ୟ ଓଜନ ମେସିନ୍ ଠିକ୍ ଅଛି ବୋଲି କୁହାଯାଇଥିଲା। ପ୍ରଥମେ ୨ଟି ଟିକା ଅଣ୍ଟାରେ ଦିଆଗଲା ପରେ ଗତମାସର ବକେୟା ଥିବା ଅନ୍ୟ ୨ଟି ଟିକା ହାତରେ ଓ ପୋଲିଓ ବୁନ୍ଦା ମଧ୍ୟ ଖୁଆଇଥିଲେ। ଘରକୁ ଯିବା ରାସ୍ତାରେ ଶିଶୁଟି କାନ୍ଦିବା ସହିତ ତାକୁ ପ୍ରବଳ ଜ୍ବର ହୋଇଥିଲା।

ଏ ସଂପର୍କରେ ସେ ଆଶାକର୍ମୀଙ୍କୁ ପଚାରିବାରୁ ଜ୍ବର ୪୮ଘଣ୍ଟା ରହିବ ବୋଲି ସେ ବୁଝିକି କହିଥିଲେ। ଜ୍ବର ନକମିବାରୁ ଶିଶୁଟିକୁ ଗତ ୨୨ତାରିଖରେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଇସିୟୁ ବେଡ୍ ନଥିବାରୁ ତାକୁ ଅନ୍ୟ ଡାକ୍ତରଖାନା ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ସେଠାରୁ ପିଲାକୁ ନେଇ ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ରଖାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ୨୯ତାରିଖ ଅପରାହ୍‌ଣରେ ଶିଶୁଟିର ମୃତ୍ୟୁ ଘଟିଥିଲା। ପରିବାର ଲୋକ ମୃତଦେହ ଆଣି ଘର ନିକଟରେ ପୋତି ଦେଇଥିଲେ। ଏହି ମୃତ୍ୟୁ ପାଇଁ ଦାୟିତ୍ବରେ ଥିବା ଏଏନ୍ଏମ୍ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟୀ କରି ବେବି ଗତକାଲି ଥାନାରେ ଏତଲା ଦେବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି। ପୁଲିସ୍‌ ଆଜି ମାଟିତଳୁ ମୃତଦେହ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ସେଠାରେ ଡାକ୍ତର ମନା କରିଦେବାରୁ ମୃତଦେହ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ମଧ୍ୟ ଶବ ବ୍ୟବଚ୍ଛେଦ ହୋଇ ପାରିବ ନାହିଁ ବୋଲି କୁହାଯିବାରୁ ପୁଣି ବଡ଼ଚଣା ଫେରିଥିଲା। ପରେ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।