ଉପଯୁକ୍ତ ଚିକିତ୍ସା ଅଭାବରୁ ଶିଶୁ ମୃତ୍ୟୁ ଅଭିଯୋଗ, ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଉତ୍ତେଜନା

ଜୟପୁର: ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାତିରେ ଜରୁରୀକାଳୀନ ରୋଗୀଙ୍କୁ ଉପଯୁକ୍ତ ‌ସ୍ବାସ୍ଥ୍ୟ ସେବା ମିଳୁ ନ ଥିବାରୁ ରୋଗୀଙ୍କର ମୃତ୍ୟୁ ହେଉଥିବା ଭଳି ଗୁରୁତର ଅଭିଯୋଗ ବି ଉଠିଛି।  ଜିଲ୍ଲାପାଳ, ସାଂସଦ, ଜୟପୁର ବିଧାୟକ ଆଦି କଡ଼ା ତାଗିଦ କରିବା ସହ ଏଦି‌ଗରେ ଗୁରୁତ୍ବ ଅଧିକା ଦେବାକୁ ବି କହିଛନ୍ତି। ବାରମ୍ବାର ଅନୁଷ୍ଠିତ ବୈଠକରେ ଏଭଳି ତାଗିଦ ସତ୍ତ୍ବେ ଜିଲ୍ଲା ମୁଖ୍ୟଚିକିତ୍ସାଳୟର କର୍ମଚାରୀ ମାନେ ଚେତୁ ନାହାନ୍ତି। ଫଳରେ ଗତକାଲି ରାତିରେ ଗୁରୁତର ଭାବେ ଥିବା ଗୋଟିଏ ଶିଶୁକୁ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ତାହାର ମୃତ୍ୟୁ ହୋଇଥିବା ପରିବାରବର୍ଗ ଅଭିଯୋଗ ଉଠାଇଛନ୍ତି। ଶୁକ୍ରବାର ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଶିଶୁଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାରବର୍ଗ ପାଟିତୁଣ୍ଡ କରିବା ସହ ବହୁ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା। ସୂଚନା ଅନୁଯାୟୀ, ଜୟପୁର ବ୍ଲକର ଛାତଡିପୁଟ ଗାଁର ଗୋବିନ୍ଦ ହାଲବାଙ୍କ ୯ ମାସର ପୁଅ ଗତକାଲି ରାତିରେ ଝାଡ଼ାବାନ୍ତି ହୋଇଥିଲା। ରାତି ୧୧ଟା ବେଳେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆଣି ସେମାନେ ଭର୍ତ୍ତି କରିଥିଲେ। ତେବେ ଶିଶୁଟିକୁ ତଳେ ଶଯ୍ୟା ଦିଆଯାଇଥିଲା। ଶିଶୁଟିକୁ ଆଡମିସନ କରିବା ସମୟରେ ଦୁଇଟି ଇଞ୍ଜେକ୍ସନ ଦେଇଥିଲେ। ଏହାପର ଠାରୁ କୌଣସି ଡାକ୍ତର କିମ୍ବା କର୍ମଚାରୀ କେହି ବି ଥରେ ଆସି ଦେଖିବା କିମ୍ବା ସାଲେଇନ୍, ଇଞ୍ଜେକ୍ସନ କିମ୍ବା ଔଷଧ ଦେଇ ନଥିବା ଗୋବିନ୍ଦ ଓ ଶିଶୁର ଦାଦା ବଳଦେବ ଅଭିଯୋଗ କରିଛନ୍ତି।

ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଶିଶୁଟି ନ ପାଇବା ଫଳ‌ରେ ସକାଳ ୬ଟା ବେଳେ ତାହାର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଡାକ୍ତରଖାନା କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। ପରିବାରବର୍ଗ ଓ ସମ୍ପର୍କୀୟ ମାନେ ଖବର ଶୁଣି ଡାକ୍ତରଖାନାରେ ଜମା ହୋଇ ଯାଇଥିଲେ। ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କ ଅବହେଳାରୁ ହିଁ ଶିଶୁର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ। ଶିଶୁ ବିଶେଷଜ୍ଞ ଡାକ୍ତର ଦୁର୍ଗା ପ୍ରସାଦ ପାତ୍ର, ଡାକ୍ତର ଆଶୋକ ମଲ୍ଲୀକ ଉତ୍ୟକ୍ତ ଲୋକଙ୍କୁ ବହୁ ବୁଝାସୁଝା କରିବା ପରେ ସେମାନେ ଶିଶୁର ମରଶରୀରକୁ ନେଇଥିଲେ। ଡାକ୍ତରଖାନା ପକ୍ଷରୁ ମହାପ୍ରୟାଣରେ ମୃତ ଶିଶୁକୁ ଛାତଡ଼ିପୁଟରେ ଛାଡ଼ିବା ବ୍ୟବସ୍ଥା କରାଯାଇଥିଲା। ଶିଶୁଟି ଗୁରୁତର ଥିବା ସମ୍ପର୍କରେ ଶିଶୁବିଭାଗ କିମ୍ବା ଆଡମିସନ କରିଥିବା କର୍ମଚାରୀ ମାନେ ଜରୁରୀ ରୋଗୀ ଆସିଥିବା ନେଇ ଶିଶୁ ବିଶେଷଜ୍ଞଙ୍କୁ ସୂଚନା ଦେବା କଥା। ସେଭଳି କିଛି ସୂଚନା ଡାକ୍ତର ପାତ୍ରଙ୍କ ନିକଟକୁ ଆସି ନଥିବା କହିଛନ୍ତି। ଶିଶୁଟିକୁ କିଛି ଖାଇବାକୁ ଦେବାର ନଥିଲା, ପରିବାରବର୍ଗ ବୋଧେ କିଛି ଖାଇବାକୁ ଦେଇଥିବା ଯାହା ଖାଦ୍ୟ ନଳୀରେ ଯାଇ ଲାଗି ରହିବା ଫଳରେ ଏଭଳି ହୋଇଥାଇ ପାରେ ବୋଲି ସନ୍ଦେହ କରୁଥିବା କହିଛନ୍ତି ଡାକ୍ତର ପାତ୍ର। ଏଭଳି ହେବା ଦୁର୍ଭାଗ୍ୟଜନକ, ଏପରି ହୋଇଥିବା ସମ୍ପର୍କରେ ସୂଚନା ପାଇଛି, ତଦନ୍ତ କରି କାର୍ଯ୍ୟ‌ାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ‌ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଡିଏମଓ ଡାକ୍ତର ଆରଏନ ମିଶ୍ର।

ସମ୍ବନ୍ଧିତ ଖବର