ଦଶରଥପୁର: ଔଷଧ ଦୋକାନୀଙ୍କ ତ୍ରୁଟିପୂର୍ଣ୍ଣ ଇଞ୍ଜେକ୍ସନ ଦ୍ୱାରା ଦୁଇ ଦିନ ଧରି ଅସୁସ୍ଥ ଥିବା ଜଣେ ୬ ବର୍ଷର ଶିଶୁପୁତ୍ରର ଆଜି ମୃତ୍ୟୁ ହୋଇଛି । ମୃତ ଶିଶୁଟି ଯାଜପୁର ଜିଲ୍ଲା ଦଶରଥପୁର ଥାନା ବିହାରୀ ପଞ୍ଚାୟତ ମୁଗୁପଦା ଗ୍ରାମ ସୁରେନ୍ଦ୍ର ମଲ୍ଳିକଙ୍କ ପୁଅ ଓମ୍ ମଲ୍ଳିକ ବୋଲି ଜଣାପଡ଼ିଛି । ଏନେଇ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ ଇଞ୍ଜେକ୍ସନ ଦେଇଥିବା ଔଷଧ ଦୋକାନୀ ଫେରାର ହୋଇଯାଇଛନ୍ତି । ଅଭିଯୋଗ ମୁତାବକ ଦଶରଥପୁର ଥାନା ମୁଗୁପଦା ଗ୍ରାମ ସୁରେନ୍ଦ୍ର ମଲ୍ଲିକଙ୍କ ପୁଅ ଓମ୍ ମଲ୍ଲିକ (୬) ଦୁଇ ଦିନ ହେବ ଅସୁସ୍ଥ ଥିଲେ । ବାପା ସୁରେନ୍ଦ୍ର ସୋମବାର ଦିନ ପ୍ରାୟ ୧ଘଟିକା ସମୟରେ ଓମ୍କୁ ସାଙ୍ଗରେ ଧରି ବିରୁହାଁ ପଞ୍ଚାୟତ ମନ୍ଦାରଖଣ୍ଡ ଛକରେ ଥିବା ମିଟୁ ପତିଙ୍କ ଔଷଧ ଦୋକାନକୁ ଆଣିଥିଲେ । ଓମ୍ ଅସୁସ୍ଥ ଥିବା କହି ସୁରେନ୍ଦ୍ର ଔଷଧ ଦୋକାନୀ ମିଟୁଙ୍କୁ କିଛି ଔଷଧ ଦେବା ପାଇଁ କହିଥିଲେ ।
ଔଷଧ ଦୋକାନୀ ମିଟୁ ସବୁ ଶୁଣିବା ପରେ ଔଷଧ ପରିବର୍ତ୍ତେ ଇଞ୍ଜେକ୍ସନ ନେବାକୁ ପଡ଼ିବ ବୋଲି କହିବା ସହିତ ଓମ୍କୁ ୨ଟି ଇଞ୍ଜେକ୍ସନ ଦେଇଥିଲେ । ଇଞ୍ଜେକ୍ସନ ନେବା ପରେ ପରେ ଓମ୍ ସେହିଠାରେ ହିଁ ଚେତାଶୁନ୍ୟ ହୋଇପଡ଼ିବାରୁ ଔଷଧ ଦୋକାନୀ ମିଟୁ ଓ ସୁରେନ୍ଦ୍ର ଏକ ବାଇକ୍ରେ ଶିଶୁପୁତ୍ର ଓମ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ଓମ୍କୁ ମୃତ ଘୋଷଣା କରିଥିଲେ । ଓମ୍ର ମୃତ୍ୟୁ ପରେ ବାପା ସୁରେନ୍ଦ୍ର କାନ୍ଦି କାନ୍ଦି ପରିସରରେ ଗଡିଯାଉଥିବାବେଳେ ଔଷଧ ଦୋକାନୀ ମିଟୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏସମ୍ପର୍କରେ ଖବର ପାଇ ଯାଜପୁର ଟାଉନ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିବା ବେଳେ ମୃତ ଓମ୍ଙ୍କ ଦାଦା ବାପାଜି ମଲ୍ଲିକ ଔଷଧ ଦୋକାନୀ ମିଟୁଙ୍କ ତ୍ରୁଟିପୂର୍ଣ୍ଣ ଇଞ୍ଜେକ୍ସନ ଯୋଗୁ ଓମ୍ର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/3ba0e8fa-e6d7-41df-a0b5-c5c176d61203.jpg)