ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଗୁଣପୁର ଫାଣ୍ଡି ଅନ୍ତର୍ଗତ କାର୍ନିବେର ଗ୍ରାମରେ ଗୁରୁବାର ନଦୀରେ ବୁଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ଗତକାଲି ମଧ୍ୟାହ୍ନରେ ଗାଁ’ର ଦାନ ମାଝୀଙ୍କ ପୁଅ ଦୀପକ (୮ ବର୍ଷ) ଗାଧୋଇବାକୁ ନିକଟସ୍ଥ ନାଗାବଳୀ ନଦୀକୁ ଯାଇଥିଲା। ତେବେ ବହୁ ସମୟ ପର୍ଯ୍ୟନ୍ତ ସେ ନ ଫେରିବାରୁ ବାପା ଓ ମା’ ତୁରନ୍ତ ନଦୀ କୂଳକୁ ଯାଇଥିଲେ। ସେଠାରେ ନଦୀ କୂଳରେ ପୁଅର ଚପଲ ଥିବା ଦେଖିବା ପରେ ଚାରିଆଡ଼େ ଖୋଜାଖୋଜି କରିଥିଲେ।
ପରେ ପାଣିରେ ବୁଡ଼ିଯାଇଥିବା ଆଶଙ୍କା କରି ବାପା ଦାନ ନଦୀରେ ପଶି ଖୋଜିବା ପରେ ପୁଅକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ତାକୁ ତୁରନ୍ତ କାଣିଗୁମା ସ୍ବାସ୍ଥ୍ୟ ସ୍ବରାଜ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରୁ ଡାକ୍ତର ତାକୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଏଠାରେ ଦୀପକକୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଫାଣ୍ଡି ଅଧିକାରୀ ଅଜୟ ନାୟକ ତଦନ୍ତ କରୁଥିବା ଜଣାପଡ଼ିଛି।