ନୂଆପଡା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅର୍ନ୍ତଗତ ପାଣ୍ଡେଲବାହାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଖେଳୁ ଥିବା ବେଳେ କୂଅରେ ପଡ଼ି ୫ ବର୍ଷ ଶିଶୁର ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ଶିଶୁର ନାମ କହ୍ନେୟା ଦୁରିଆ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପାଣ୍ଡେଲବାହାଲ ଗାଁର ତୁକାରାମ ଦୁରିଆଙ୍କ ୫ ବର୍ଷର ଶିଶୁ କହ୍ନେୟା ଦୁରିଆ ସାଙ୍ଗମାନଙ୍କ ସହ ଗାଁ ଦାଣ୍ଡରେ ଖେଳୁ ଥିଲା। ଖେଳୁ ଥିବା ବେଳେ ଅସାବଧାନତା ଯୋଗୁଁ ଶିଶୁ କହ୍ନେୟା କୂଅରେ ପଡି ଯାଇ ଥିଲା। କୂଅରେ ପଡିଯାଇ ଥିବା ଦେଖି ତା’ ସାଥୀରେ ଖେଳୁଥିବା ଅନ୍ୟ ସାଙ୍ଗମାନେ ଦୌଡ଼ି ଯାଇ କହ୍ନେୟା ପରିବାର ଲୋକଙ୍କୁ ଜଣାଇ ଥିଲେ। ସାଙ୍ଗପିଲାଙ୍କ ଠାରୁ ଖବର ପାଇ ପରିବାରଲୋକ କୂଅ ପାଖକୁ ଦୌଡ଼ି ଆସିବା ସହ କୋମନା ଦମକଳବାହିନୀକୁ ଖବର ଦେଇଥିଲେ।
ଖବର ପାଇ ଦମକଳବାହିନୀର କର୍ମଚାରୀ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ। ଏହାପରେ କୂଅରୁ କହ୍ନେୟାକୁ ଉଦ୍ଧାର କରି କୋମନା ସରକାରୀ ଡାକ୍ତରଖାନାକୁ ନେଇଥିଲେ। ହେଲେ ଦୁର୍ଭଗ୍ୟବଶତଃ କହ୍ନେୟାକୁ ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ। କୋମନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏପଟେ ଶିଶୁର ଏଭଳି ମୃତ୍ୟୁ ଖବର ପାଇବା ପରେ ପରିବାରଲୋକ ପାଗଳପ୍ରାୟ ହୋଇ ପଡ଼ିଛନ୍ତି। ଗ୍ରାମରେ ଦୁଃଖର ଛାୟା ଖେଳି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/download-16.jpg)