ଶିଶୁ ଉଦ୍ୟାନ ଜମି ପାଲଟିଛି ଭଲିବଲ ପଡ଼ିଆ

ପଞ୍ଚାୟତ ଏବଂ ବ୍ଲକ୍ ପ୍ରଶାସନ ନିରବ

ନାରାୟଣପାଟଣା: କୋରାପୁଟ ଜିଲ୍ଲାର ଉପାନ୍ତ ନାରାୟଣପାଟଣା ବ୍ଲକ୍ ସଦର ମହକୁମାସ୍ଥିତ ମୁଖ୍ୟ ବଜାର ନିକଟରେ ରହିଥିବା ଶିଶୁ ଉଦ୍ୟାନ ଜମି ଏବେ ଭଲିବଲ ଖେଳ ପଡ଼ିଆ ପାଲଟିଛି। ପଞ୍ଚାୟତ କିମ୍ବା ବ୍ଲକ୍ ପ୍ରଶାସନ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ ଏଠାରେ ଶିଶୁ ଉଦ୍ୟାନ ନିର୍ମାଣ ହୋଇପାରିନି।

ସୂଚନା ଥାଉକି, ନାରାୟଣପାଟଣାଠାରେ ଶିଶୁଙ୍କ ମନୋରଞ୍ଜନ ନିମନ୍ତେ ବିଗତ ଦିନରେ ନାରାୟଣପାଟଣାସ୍ଥିତ ଏକ ନିର୍ଦ୍ଦିଷ୍ଟ ପରିବାରର ପୂର୍ବ ପୁରୁଷମାନେ ପଞ୍ଚାୟତକୁ ଜମି ହସ୍ତାନ୍ତର କରିଥିଲେ। ମୁଖ୍ୟ ବଜାର ନିକଟରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଏହି ଶିଶୁ ଉଦ୍ୟାନ କରିବାକୁ ଜାଗା ପ୍ରଦାନ କରାଯାଇଥିଲା। ଏପରିକି ଜମି ହସ୍ତାନ୍ତର ସମୟରେ କେବଳ ଶିଶୁ ଉଦ୍ୟାନ ପାଇଁ ଏହି ଜମି ବ୍ୟବହାର କରାଯାଇ ପାରିବ ବୋଲି ଉଲ୍ଲେଖ କରାଯାଇଥିଲା। କିନ୍ତୁ ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ବ୍ଲକ୍ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ ଏଠାରେ ଶିଶୁ ଉଦ୍ୟାନ ନିର୍ମାଣ ହୋଇପାରିନାହିଁ।

ଫଳରେ ପୂର୍ବ ପୁରୁଷମାନେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ଜମି ହସ୍ତାନ୍ତର କରିଥିଲେ ତାହା ସାଧିତ ହୋଇପାରି ନଥିବାରୁ ଜମି ହସ୍ତାନ୍ତର କରିଥିବା ପୂର୍ବ ପୁରୁଷମାନଙ୍କ ପରବର୍ତ୍ତୀ ପିଢ଼ି ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ଏଥିପ୍ରତି କେହି ଦୃଷ୍ଟି ନଦେବାରୁ ଉକ୍ତ ଜମି ବର୍ତ୍ତମାନ ଭଲିବଲ ପଡ଼ିଆ ପାଲଟିଥିଲା ବେଳେ ଆଉ କିଛି ଜମିରେ ପଞ୍ଚାୟତ ପକ୍ଷରୁ ସାଂସ୍କୃତିକ ମଣ୍ଡପ ଏବଂ କେତୋଟି ଘର ନିର୍ମାଣ କରାଯାଇଥିଲା। ତେବେ ତଦାରଖ ଅଭାବ ଯୋଗୁଁ ଉକ୍ତ ଘରଗୁଡ଼ିକ ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି। ଉକ୍ତ ଜମିରେ ଦିନରେ ଭଲିବଲ ଖେଳ ଚାଲିଥିବା ବେଳେ ସନ୍ଧ୍ୟା ହେଲେ ବିଭିନ୍ନ ଅସାମାଜିକ କାର୍ଯ୍ୟ ମଧ୍ୟ ସେଠାରେ ଚାଲିଛି।

ବର୍ତ୍ତମାନ ନାରାୟଣପାଟଣା ଅଞ୍ଚଳରେ ଲୋକଙ୍କ ମନୋରଞ୍ଜନ ନିମନ୍ତେ କୌଣସି ବ୍ୟବସ୍ଥା ନଥିବାରୁ ଅନ୍ତତଃପକ୍ଷେ ଶିଶୁ ଉଦ୍ୟାନ ନିର୍ମାଣ କରାଗଲେ ଶିଶୁମାନେ ଖେଳକୁଦ କରିବା ସହ ଲୋକମାନେ ଏଠାକୁ ଆସି ପ୍ରାତଃ ଏବଂ ସାନ୍ଧ୍ୟ ଭ୍ରମଣ କରିବା ସହ ସେମାନଙ୍କ ମାନସିକ ଚିନ୍ତାରୁ ସାମାନ୍ୟ ବିଶ୍ରାମ ନେଇପାରିବେ। ଏନେଇ ସ୍ଥାନୀୟ ସରପଞ୍ଚ ଇନ୍ଦ୍ରଜିତ ନାଗବଂଶ ସହ ଯୋଗାଯୋଗ କରିବାରୁ ଭଲିବଲ ପଡ଼ିଆରେ ଶିଶୁ ଉଦ୍ୟାନ ନିର୍ମାଣ କରିବା ପାଇଁ କାର୍ଯ୍ୟ ଖସଡ଼ାରେ ୫ ଲକ୍ଷ ଟଙ୍କା ରଖାଯାଇଛି। ତାହା ଅନୁମୋଦନ ହୋଇ ଆସିବା ପରେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର