ଟ୍ରଲର ଧକ୍କାରେ ଶିଶୁ ମୃତ; ମା’ ଆଗରେ ପୁଅର ଜୀବନ ଗଲା, ଶବ ରଖି ରାସ୍ତାରୋକ କଲେ ଗ୍ରାମବାସୀ

ରାମଚନ୍ଦ୍ରପୁର: ୨୦ ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ନୂଆଗାଁ ଛକରେ ଟ୍ରଲର ଧକ୍କାରେ ଏକ ଶିଶୁର ମୃତ୍ଯୁ ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ। ମୃତ ଶିଶୁ ନୂଆଗାଁର ପ୍ରଭାତରଂଜନ ସା (୪୧)ଙ୍କ ପୁଅ ଗୁଡୁଲି ସା (୬) ।

ଆଜି ଅପରାହ୍ନରେ ରାସ୍ତା ପାର ହୋଇ ଟିଉସନ ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏନଏଲ୍ ୦୧ଏବି ୧୭୧୩ ନମ୍ବର ଥିବା ଲୁହାପଥର ବୋଝେଇ ଟ୍ରଲରଟି ଶିଶୁଟି ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଏହିସବୁ ଘଟଣା ଶିଶୁଟିର ମା ରିତାଞ୍ଜଳି ସା ଙ୍କ ଆଖି ଆଗରେ ଘଟିଯାଇଥିଲା। ମାଆର ବୁକୁଫଟା କାନ୍ଦ ଓ ହୃଦୟ ବିଦାରକ ଦୃଶ୍ଯ ଦେଖି ପୂରା ଗାଁ ସ୍ତବ୍ଧ ହୋଇଯାଇଥିଲା। ତୁରନ୍ତ କ୍ଷତିପୂରଣ ସହିତ ରାସ୍ତା ଉପରେ ଡାଇଭର୍ସନ କରିବା ଦାବି ନେଇ ଶହଶହ ଲୋକ ରୁଣ୍ତ ହୋଇ ୨୦ ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରି ରଖିଛନ୍ତି।

ଖବର ପାଇ ରାମଚନ୍ଦ୍ରପୁର ଥାନାଧିକାରୀ ବନ୍ଦନା ପାତ୍ର ପୁଲିସ ଫୋର୍ସ ସହ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଲୋକମାନେ ନିଜ ଜିଦରେ ଅଟଳ ରହିଛନ୍ତି।

ସମ୍ବନ୍ଧିତ ଖବର