ଜିଲ୍ଲାରେ ବାଟବଣା ବାଲ୍ୟ ବିବାହ ଆଇନ ! ୫ ମାସରେ ୨୨ ବାଲ୍ୟ ବିବାହ

ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲେ ବି କାର୍ଯ୍ୟାନୁଷ୍ଠାନ ଶୂନ

ଯାଜପୁର: ଯାଜପୁର ଜିଲ୍ଲାରେ ବାଟବଣା ବାଲ୍ୟବିବାହ ଆଇନ। ଜିଲ୍ଲାରେ ପୂର୍ବାପେକ୍ଷା ବାଲ୍ୟ ବିବାହ କମିବା ପରିବର୍ତେ ବଢ଼ିବାରେ ଲାଗିଛି। ଯାହାକି ଅନେକ ସଚେତନା ଓ ଅର୍ଥ ବିନିଯୋଗ ପରେ ବି ବାଲ୍ୟବିବାହ ରୋକାଯାଇ ପାରୁନି। ଯାହାକି ପ୍ରତି ମାସରେ ଜିଲ୍ଲାର କେଉଁଠୁ ନା କେଉଁଠୁ ବାଲ୍ୟ ବିବାହର ଅଭିଯୋଗ ଆସୁଛି। ଯାହାକି ଗତ ମାସ ମଧ୍ୟରେ ଜିଲ୍ଲାରେ ୨୨ ବାଲ୍ୟ ବିବାହ ପ୍ରଶାସନର ମୁଣ୍ତବିନ୍ଧାର କାରଣ ସାଜିଛି। ବାଲ୍ୟ ବିବାହ ରୋକିବା ପାଇଁ ଶିଶୁ ସୁରକ୍ଷା ୟୁନିଟ, ଚାଇଲ୍ଡଲାଇନ,ଅଙ୍ଗନୱାଡି କର୍ମୀ ଓ ପୁଲିସ କାର୍ଯ୍ୟ କରୁଥିବା ବେଳେ ତଥାପି ଲୋକମାନେ ପ୍ରାପ୍ତ ବୟସ ପୂର୍ବରୁ ପିଲାଙ୍କୁ ବାହା ଦେବାକୁ ଉଦ୍ୟମ କରୁଛନ୍ତି। ସୂଚନା ଅନୁଯାୟୀ ଗତ ରବିବାର ଦିନ ଉପର ନଗଡାରେ ଏକ ବାଲ୍ୟ ବିବାହ ହେଉଥିବାର ଜାଣି ତାକୁ ବନ୍ଦ କରାଯାଇଥିବା ବେଳେ ଗତକାଲି ଯାଜପୁର ସଦର ଥାନା ଅଞ୍ଚଳରୁ ଏକ ବାଲ୍ୟ ବିବାହକୁ ବନ୍ଦ କରାଯାଇଥିଲା।

ତେବେ ବିଭାଗ କେବଳ ବାହାଘର ବନ୍ଦ କରି ନାବାଳକ ପୁଅ ଝିଅଙ୍କୁ ଶିଶୁ ମଙ୍ଗଳ ସମିତିରେ ହାଜର କରି ପୁନର୍ବାର ପରିବାରକୁ ହସ୍ତାନ୍ତର କରି ଚୁପ ବସୁଛି। କିନ୍ତୁ ବାସ୍ତବରେ ସେ ପିଲାଙ୍କ ସ୍ଥିତି କଣ ସେମାନେ ଅଛନ୍ତି ନା ପୁନର୍ବାର ବିବାହ କରିଗଲେ ତାହା ଯାଞ୍ଚ କରାଯାଉନାହିଁ। ଅନେକ କ୍ଷେତ୍ରରେ ଅସାଧୁ କର୍ମଚାରୀଙ୍କ ସହଯୋଗରେ ବାଲ୍ୟବିବାହର ସୂଚନା ସାମ୍ନାକୁ ଆସୁନି। ବହୁ ସମୟରେ ଅନେକ ବାଲ୍ୟ ବିବାହ ବିରୁଦ୍ଧରେ ଅଭିଯୋଗ ହେଉନି କି ଶିଶୁ ମଙ୍ଗଳ ସମିତିରେ ପୁଅଝିଅଙ୍କୁ ହାଜର କରାଯାଉନଥିବାର ମଧ୍ୟ ଅଭିଯୋଗ ହେଉଛି। ଉଦାହରଣ ସୂରୂପ ନଗଡାରୁ ୧୦୦ କିମି ଦୂର ଗାଡିରେ ୫୦୦୦ ହଜାରରୁ ଉର୍ଦ୍ଧ ଅର୍ଥ ବିନିଯୋଗ‌ରେ ଅଣାଯାଇଥିବା ନାବାଳକକୁ ସିଡବ୍ଲୁସିରେ ହାଜର କରାଯାଇ ପୁନର୍ବାର ପରିବାରକୁ ହସ୍ତାନ୍ତର କରାଯାଉଛି।

ଯାହାକି ଫେରିଯାଇଥିବା ନାବାଳକ ପୁର୍ନବାର ବିବାହ କଲା କି ନାହିଁ ତାହାର ତଦନ୍ତ କରାଯାଉନାହିଁ। ଅନ୍ୟ ପଟେ ୪ ମାସ ତଳେ ଯାଜପୁର ବ୍ଲକର କାକୁଡିକୁଦ ଅଞ୍ଚଳରେ ମଧ୍ୟରେ ଏକ ବାଲ୍ୟବିବାହ ବନ୍ଦ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନା ପୋଲିସରେ ଅଭିଯୋଗ ହୋଇଛି, ନା ଶିଶୁକୁ ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଛି। ତେଣୁ ଏଠାରେ ଦୁଇଟି ସମାନ ଘଟଣାରେ ଏଭଳି ଅବହେଳା ଦେଖିବାକୁ ମିଳିଛି ଯେ ଗୋଟିଏ ନାବାଳକକୁ ଶହେ କିମି ଦୂରରେ ଯାଜପୁର ମୁଖ୍ୟାଳୟକୁ ଶିଶୁ ମଙ୍ଗଳ କମିଟିରେ ହାଜାର କରିବା ସହ ନଗଡା ଭଳି ନିରକ୍ଷରତା ଗ୍ରାମର ଲୋକମାନଙ୍କ ବିରୋଧରେ ପୋଲିସରେ ଏତଲା ଦିଆଯାଉଛି। ମାତ୍ର ଯାଜପୁର ବ୍ଳକର ମାତ୍ର ୧୦ କିମି ଦୂରେ ଥିବା ଶିଶୁଟିକୁ ଶିଶୁ ମଙ୍ଗଳ କମିଟିରେ ହାଜର ନକରିବା ଓ ପୋଲିସ ଏତଲା ନହେବା,ଏହା ଶିଶୁ ବିଭାଗର ପକ୍ଷପାତ ନୀତି ବୋଲି ସାଧାରଣରେ ଆଲୋଚନା ହେଉଛି।

ବିଭାଗୀୟ ସୂଚନାଅନୁସାରେ ଯାଜପୁର ଜିଲ୍ଲାରେ ଗତ ଜାନୁଆରୀ ମାସରୁ ମେ ମାସ ୫ ମାସ ମଧ୍ୟରେ ୨୨ଟି ବାଲ୍ୟବିବାହ ଉଦ୍ୟମ କରାଯାଇଛି। ଯାହାକି ଯାଜପୁର ବ୍ଲକରେ ୨ଟି, କୋରେଇ ବ୍ଲକରେ ୩ଟି, ଧର୍ମଶାଳାରେ ୩ଟି, ଦାନଗଦିରେ ୫ଟି ଓ ସୁକିନ୍ଦାରେ ୯ଟି ବାଲ୍ୟ ବିବାହ କରାଯାଇଥିଲା। ଏହାବାଦ୍ ଅନେକ ବାଲ୍ୟ ବିବାହର ଖବର ବିଭାଗ ପାଖରେ ପହଞ୍ଚି ପାରିନାହିଁ। ତେବେ ବାଲ୍ୟ ବିବାହକୁ ଏକ ଅପରାଧ ବୋଲି କୁହାଯାଉଥିବା ବେଳେ ଏହାର ସଚେତନତା ପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ବାଲ୍ୟ ବିବାହ ରୋକିବା ପାଇଁ ସ୍ଥାନୀୟ ସରପଞ୍ଚ, ସିଡିପିଓ, ଶିଶୁ ସୁରକ୍ଷା ୟୁନିଟ, ଚାଇଲ୍ଡ ଲାଇନ ଓ ପୁଲିସକୁ କ୍ଷମତା ଦିଆଯାଇଥିବା ବେଳେ ଯାଜପୁର ଜିଲ୍ଲାରେ ବାଲ୍ୟ ବିବାହ ପୂର୍ବାପେକ୍ଷା ବଢ଼ିବାରେ ଲାଗିଛି। ତେବେ ଏନେଇ କୌଣସି ବିଭାଗୀୟ ଅଧିକାରୀ ମତାମତ ଦେବାକୁ ଅରାଜି ଥିବା ବେଳେ କିପରି ଜିଲ୍ଲାର ବାଲ୍ୟବିବାହ ବୋଝ କମାଯାଇ ପାରିବ ସେ ନେଇ ଉଦ୍ୟମ କରିବା ଜରୁରୀ ହୋଇପଡିଛି।

ସମ୍ବନ୍ଧିତ ଖବର