୧୫ରୁ ୧୯ ବର୍ଷ ଭିତରେ ଗର୍ଭବତୀ ହେଉଛନ୍ତି ୧୧ ପ୍ରତିଶତ ମହିଳା
ରାୟଗଡ଼ା : କଡ଼ା ଆଇନ, ବ୍ୟାପକ ଜନ ସଚେତନତା ସତ୍ତ୍ବେ ରାୟଗଡ଼ାରେ ଥମିବାର ନାଁ ନେଉନି ବାଲ୍ୟ ବିବାହ। ବର୍ଷକ ମଧ୍ୟରେ ଜିଲ୍ଲାରେ ୯୭ କିଶୋର/କିଶୋରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୨୦୧୯ରେ ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଯୋଗୁ ରାୟଗଡ଼ା ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ବେଳେ ଚଳିତ ବର୍ଷ ସ୍ଥିତିରେ ସୁଧାର ଆସିବା ବଦଳରେ ବାଲ୍ୟ ବିବାହ ସଂଖ୍ୟା ବଢ଼ିଛି। ଯାହା ଜିଲ୍ଲା ପ୍ରଶାସନ, ଶିଶୁ ସୁରକ୍ଷା କମିଟି ପାଇଁ ଚ୍ୟାଲେଞ୍ଜ ସଦୃଶ୍ୟ ହୋଇଛି।
ବାଲ୍ୟ ବିବାହ ରୋକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବେଟି ବଚାଓ, ବେଟି ପଢ଼ାଓ ଯୋଜନା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଇଛି। ତୃଣମୂଳସ୍ତରରେ ଜନ ସଚେତନତାକୁ ବ୍ୟାପକ କରାଯାଇ ଜିଲ୍ଲାସ୍ତରରେ ଗଠନ କରାଯାଇଛି ଟାସ୍କଫୋର୍ସ କମିଟି। ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଏହି କମିଟି ପରିଚାଳନା ହେଉଥିବା ବେଳେ ଅଙ୍ଗନବାଡ଼ି, ସ୍କୁଲ୍, କଲେଜ ସମେତ ଗ୍ରାମାଞ୍ଚଳରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ବାଲ୍ୟ ବିବାହ ରୋକିବାକୁ ଅଭିଭାବକଙ୍କୁ ସଚେତନ କରାଯାଉଛି। ୧୮ ବର୍ଷରୁ କମ୍ ଯୁବତୀ, ୨୧ ବର୍ଷରୁ କମ ଯୁବକଙ୍କୁ ବିବାହ ବନ୍ଧନରେ ବାନ୍ଧିଲେ ପରିବାର ଲୋକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି ପ୍ରଶାସନ। ହେଲେ ରାୟଗଡ଼ା ଜିଲ୍ଲାରେ ବାଲ୍ୟ ବିବାହ ଜନ ସଚେତନତା ଓ ଆଇନର ଭୟ କାମ କରୁନି। ୨୦୨୦ ବର୍ଷରେ ଜିଲ୍ଲାରେ ୯୭ଟି ବାଲ୍ୟ ବିବାହ ହୋଇଥିବା ସରକାରୀ ରେକର୍ଡରୁ ଜଣା ପଡ଼ିଛି। ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ। କମ ବୟସରେ ବିବାହ କରି କିଶୋର, କିଶୋରୀ ଅଭିଭାବକ ହେଉଥିବା ବେଳେ ଜନ୍ମ ନେଉଥିବା ଶିଶୁ ଅପପୃଷ୍ଟି ଓ ଅପରିପକ୍ବର ଶିକାର ହେଉଛନ୍ତି। ସରକାରଙ୍କ ସର୍ଭେ ରିପୋର୍ଟ ଅନୁଯାୟୀ, ରାୟଗଡ଼ା ଜିଲ୍ଲା ବାଲ୍ୟ ବିବାହ କ୍ଷେତ୍ରରେ ରାଜ୍ୟରେ ପଞ୍ଚମ ସ୍ଥାନରେ ରହିଛି। ୨୮.୪ ପ୍ରତିଶତ କିଶୋରୀ ୧୮ରୁ କମ ବୟସରେ ବିବାହ କରୁଥିବା ବେଳେ ୧୦.୯ ପ୍ରତିଶତ ମହିଳା ୧୫ରୁ ୧୯ ବର୍ଷ ଭିତରେ ଗର୍ଭବତୀ ହେଉଛନ୍ତି। ଯାହା କୁମାରୀ ମାଆର ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଅନ୍ୟପକ୍ଷରେ ଜିଲ୍ଲାର ଶିକ୍ଷା ହାର ୪୯.୭୬ ପ୍ରତିଶତ ରହିଥିବା ବେଳେ ମହିଳାଙ୍କ ଶିକ୍ଷାହାର ୩୯.୮୭ ପ୍ରତିଶତ ଏବଂ ଆଦିବାସୀ ସଂପ୍ରଦାୟ ଯୁବତୀ ଓ ମହିଳାଙ୍କ ଶିକ୍ଷାହାର ୨୪.୬ ପ୍ରତିଶତ ରହିଛି। ଯେଉଁଥି ପାଇଁ ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବାଲ୍ୟ ବିବାହ ପାଇଁ ଆଶ୍ରମ/ସେବାଶ୍ରମ ସ୍କୁଲରେ ପଢ଼ୁଥିବା କିଶୋର/କିଶୋରୀ ଅଧାରୁ ପାଠ ଛାଡ଼ୁଥିବାରୁ ଜିଲ୍ଲାରେ ବିକାଶ ବାଧାପ୍ରାପ୍ତ ହେଉଛି। ଆଦିବାସୀଙ୍କ ବହୁ ପୁରାତନ କନିଆ ଝିକା ପରମ୍ପରା ଏବେ ଗାଁ ଗହଳିରେ ବଞ୍ଚି ରହିଥିବାରୁ ବର୍ଷର ଯାନିଯାତ୍ରା ସମୟରେ ଡଙ୍ଗରିଆ, ଲାଞ୍ଜିଆ ସଉରାଙ୍କ ସମେତ ଅନ୍ୟ ସଂପ୍ରଦାୟର ଯୁବତୀଙ୍କୁ ଟାଣି ନେଇ ବିବାହ କରିବାର ନଜିର ରହିଛି। ୨୦୧୮ରେ ରାଜ୍ୟ ସରକାର ପ୍ରକାଶ କରିଥିବା ବାଲ୍ୟ ବିବାହ ସଂପର୍କିତ ରିପୋର୍ଟରେ ରାୟଗଡ଼ାରେ ବାର୍ଷିକ ୯ଟି କାର୍ଯ୍ୟକ୍ରମ ମାଧ୍ୟମରେ ୯୦୦ରୁ ଉର୍ଧ୍ବ ସ୍କୁଲ/କଲେଜ ଛାତ୍ରଛାତ୍ରୀଙ୍କୁ ଗ୍ରାମାଞ୍ଚଳ ସ୍ତରରେ ବାଲ୍ୟ ବିବାହ ରୋକିବା ଦିଗରେ ତାଲିମ୍ ପ୍ରଦାନ କରାଯାଉଥିବା ଉଲ୍ଲେଖ ରହିଛି। ଏଥି ସହିତ ଚାଇଲଡ୍ ଲାଇନ୍,ଆଇସିଡିଏସ୍ ସୁପରଭାଇଜରଙ୍କ ଜରିଆରେ ମଧ୍ୟ ବହୁ ପଦକ୍ଷେପ ନେଉଛନ୍ତି ସରକାର। କିନ୍ତୁ ବାଲ୍ୟ ବିବାହ ହାରରେ ପରିବର୍ତ୍ତନ ଆସିପାରୁନଥିବାରୁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକରେ ଚାଇଲଡ୍ ଲାଇନ୍, ଶିଶୁ ସୁରକ୍ଷା କମିଟି, ସମ୍ମନ୍ବିତ ଶିଶୁ ବିକାଶ ବିଭାଗ ସମେତ ଲାଇନ୍ ଡିପାର୍ଟମେଣ୍ଟର ସହଯୋଗ ଲୋଡ଼ିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର।