ରାଉରକେଲା: ମା’ କୋଳକୁ ଫେରିଲା ନବଜାତ ଶିଶୁପୁତ୍ର

ରାଉରକେଲା/ରାଜଗାଙ୍ଗପୁର: ଗତ ଦୁଇ ଦିନ ତଳେ ବିଜୁ ଏକ୍ସପ୍ରେସ୍‌ ୱେ ଫୁଟ୍‌ପାଥରୁ ଉଦ୍ଧାର ନବଜାତ ଶିଶୁପତ୍ର ମା’ କୋଳକୁ ଫେରିଛି। ଆଜି ଉଭୟ ମା’ ଓ ଶିଶୁକୁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ‘ସଖୀ’ରେ ରଖି ଚିକିତ୍ସା କରାଯାଉଛି। ମା’ ସ୍ବାସ୍ଥ୍ୟ ଅବସ୍ଥା ଓ ମାନସିକ ସ୍ଥିତିର ସୁଧାର ଆସିବା ପରେ ଉଭୟ ମା’ ଓ ନବଜାତ ଶିଶୁକୁ ତାଙ୍କ ଗାଁକୁ ପଠାଇ ଦିଆଯିବ ବୋଲି ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା କହିଛନ୍ତି। ସେପଟେ ମହିଳା ଜଣକ ଝାଡ଼ଖଣ୍ଡରୁ ଛତିଶଗଡ ନୁହେଁ, ସେ ଚାଲି ଚାଲି ମହାରାଷ୍ଟ୍ର ବିଦର୍ଭର ଓକଲା ସହରକୁ ଯାଉଥିଲେ। ନବଜାତ ଶିଶୁର ମା’ କହିବାନୁଯାୟୀ ସେ ଭୁଲ୍‌ରେ ଟ୍ରେନ୍‌ରେ ଚଢ଼ି ସେ ରାଉରକେଲାରେ ପହଞ୍ଚି ଯାଇଥିଲେ। ରାଉରକଲୋରୁ ଟ୍ରେନରେ ଓକଲା ଯାଇଥାନ୍ତେ, କିନ୍ତୁ ଲକ୍‌ଡାଉନ୍‌ କଟକଣା ପାଇଁ ମାର୍ଚ୍ଚ ୨୪ରୁ ସେ ରାଉରକେଲାରେ ଫସି ରହିଥିଲେ।

ଗର୍ଭବତୀ ଥିବା ବେଳେ ଦୀର୍ଘ ଦିନ ଧରି କାହାଠାରୁ କୌଣସି ପ୍ରକାର ସହଯୋଗ ନ ପାଇ ନିର୍ଯାତନାର ଶିକାର ହୋଇଆସୁଥିଲେ । ମାନସିକ ଦୁଶ୍ଚିନ୍ତା ଭିତରେ ସେ ଟ୍ରେନ ଚାଲିବାକୁ ଅପେକ୍ଷା କରିଥିଲେ। ଟ୍ରେନ ନ ଚାଲିବା ରୁ ନିରାଶ ହୋଇ ଶେଷରେ ଗତ ଦୁଇ ଦିନ ତଳେ ରାଉରକେଲା ରୁ ଚାଲି ଚାଲି ମହାରାଷ୍ଟ୍ରର ଓକଲା ଅଭିମୁଖେ ବାହାରିଥିଲେ। ବିଜୁ ଏକ୍ସପ୍ରେସ୍‌ ୱେର ସାନ ନୂଆଗାଁ ନିକଟରେ ପ୍ରସବ ଯନ୍ତ୍ରଣା ହୋଇଥିଲା। ଫଳରେ ରାସ୍ତାକଡ ଫୁଟପାଥ୍‌ରେ ବସି ପଡିଥିଲେ। ସେଠାରେ ମିଶନ ଡାକ୍ତରଖାନାକୁ ନେବା ସମୟରେ ରାସ୍ତାକଡରେ ଶିଶୁ ପୂତ୍ରକୁ ଜନ୍ମ ଦେଇଦେଇଥିଲେ। ସେଠାରେ କିଛି ସମୟ ରହିବା ପରେ ସେ ନିଜ ଶିଶୁପତ୍ରକୁ ଛାଡି କାଂଶବାହାଲ ଆଡକୁ ଚାଲି ଚାଲି ପଳାଇ ଯାଇଥିଲେ। କାଂଶବାହାଶ ପୁଲିସ ମହିଳାଙ୍କୁ ବାଟରୁ ଉଦ୍ଧାର କରି ରାଜଗାଙ୍ଗପୁର କେଶରମାଲରେ ରଖିଥିଲେ।

ଆଜି ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ କାଂଶବାହାଲ ଫାଣ୍ଡି ଅଧିକାରୀ ଘଟଣା ସମ୍ପର୍କରେ ଚାଇଲ୍‌ଡ ଲାଇନ ଓ ଶିଶୁ କଲ୍ୟାଣ କମିଟିକୁ ଜଣାଇଥିଲେ। ପରେ ରାଜଗାଙ୍ଗପୁର ସିଡିପିଓଙ୍କ ସହାୟତାରେ ମହିଳାଙ୍କୁ କାଂଶବାହାଲସ୍ଥିତ ଲାଇଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିଲେ। ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥାର ସୁଧାର ଆସିବା ପରେ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ମହିଳାଙ୍କୁ ବିଶ୍ରା ଦିଶାସ୍ଥିତ ଚାଇଲ୍‌ଡ ଲାଇନକୁ ଅଣାଯାଇଥିଲା। ସେଠାରେ ଉଭୟ ମା’ ଓ ଶିଶୁପୁତ୍ରଙ୍କୁ ଆର୍‌ଜିଏଚ୍‌ ‘ସଖୀ’କୁ ଆଣି ରଖାଯାଇଛି। ମହିଳାଙ୍କ ବୟସ ୩୦ ବର୍ଷ ପାଖାପାଖି ହୋଇଥିବା ବେଳେ ଅତ୍ୟଧିକ ମାନସିକ ଚାପରେ ଥିଲା ଭଳି ମନେ ହେଉଛି। ଅନେକ ମାନସିକ ଯନ୍ତ୍ରଣା ଭୋଗିଲେଣି ତେଣୁ ତାଙ୍କୁ କିଛି ଦରକାର ନାହିଁ ସେ କେବଳ ମହାରାଷ୍ଟ୍ର ସ୍ଥିତ ଓକଲା ଯିବାକୁ ଚାହାଁନ୍ତି। ତାଙ୍କୁ କୌଣସି ପ୍ରକାର ସେଠାକୁ ପଠାଇବା ବ୍ୟବସ୍ଥା କରାଯାଉ ବୋଲି ମହିଳା ଜଣଙ୍କ କହିଛନ୍ତି। ସେପଟେ ପ୍ରତି ଘଣ୍ଟାରେ ମହିଳା ଜଣକ ନିଜର ବୟାନ ବଦଳାଉଥିବାରୁ ଶିଶୁ କଲ୍ୟାଣ କମିଟି ପକ୍ଷରୁ ସ୍ବତନ୍ତ୍ର ନଜର ରଖାଯାଇଛି।

ସମ୍ବନ୍ଧିତ ଖବର